ଭୁବନେଶ୍ୱର: କରୋନାରେ ଭୀଷଣ ପ୍ରଭାବିତ ହୋଇଥିବା ହସ୍ତଶିଳ୍ପୀ ତଥା ବୁଣାକାରମାନଙ୍କ ମଧ୍ୟରେ ଆଶାର ନୂତନ କିରଣ ଭାବେ ଉଭା ହୋଇଛି ‘ଏକାମ୍ର ହାଟ’। କାରିଗର ଓ ବୁଣାକାରମାନଙ୍କୁ ବିକ୍ରିବଟାର ସୁଯୋଗ ଦେବା ତଥା ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଆଜି ଏହା ପୁନଃ ଲୋକାର୍ପିତ ହୋଇଯାଇଛି। ଏହି ଉତ୍ସବକୁ ଜାକଜମକରେ କରିବା ପାଇଁ ପୂର୍ବପ୍ରସ୍ତୁତି ହୋଇଥିଲେ ହେଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ନିରାଡ଼ମ୍ବରରେ କରାଯାଇଛି।
୨୦୨୦ ଅକ୍ଟୋବରରେ ଓଡ଼ିଶାରେ ଥିବା ଅର୍ବାନ୍ ହାଟଗୁଡ଼ିକର ପରିଚାଳନା ଦାୟିତ୍ୱ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଜ ହାତକୁ ନେବା ପରେ ଏକାମ୍ର ହାଟକୁ କାରିଗର ଓ ବୁଣାକାରମାନଙ୍କର ବ୍ୟବସାୟ ଉଦ୍ଦେଶ୍ୟରେ ନୂତନ ଭାବେ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ହସ୍ତଶିଳ୍ପ ତଥା ବୁଣାକାରମାନଙ୍କୁ ସେମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ବଜାର ପାଇଁ ସୁଯୋଗ ସୃଷ୍ଟି କରିବା ଏହି ଅର୍ବାନ ହାଟର ମୁଖ୍ୟ ଉଦ୍ଦେଶ୍ୟ। ହାଟକୁ ଏବେ ନୂଆ ରୂପ ଦିଆଯିବା ସହ ଦୁଇଟି ଜୋନ୍ରେ ବିଭକ୍ତ କରାଯାଇଛି। ତାହା ହେଲା ‘ଏକାମ୍ର କୁଟୀର’ ଓ ‘ଏକାମ୍ର ବଜାର’। ‘ଏକାମ୍ର କୁଟୀର’ରେ ୮ଟି କଳା ପ୍ରଦର୍ଶନ ଷ୍ଟଲ ସହିତ ୫୦ଟି ଷ୍ଟଲ ଓ ‘ଏକାମ୍ର ବଜାର’ରେ ଏକ ଖୋଲା ଜାଗା ପରିବେଷ୍ଟିତ ୩୩ଟି ଷ୍ଟଲ ରହିଛି। ସମୁଦାୟ ୮୩ଟି ଷ୍ଟଲ ମଧ୍ୟରୁ ୫୬ଟି ହସ୍ତଶିଳ୍ପ ପାଇଁ ଓ ୨୭ଟି ହସ୍ତତନ୍ତ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି।
ପରିଦର୍ଶକମାନେ ଏକାମ୍ର ହାଟରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ପ୍ରକୃତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇପାରିବେ। ଏଠାରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଦ୍ୱାରା ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରତ୍ୟକ୍ଷ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ପରିଦର୍ଶକମାନେ ଓଡ଼ିଶାର ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ। ଏହି ହାଟରେ ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ସଂସ୍ଥାମାନଙ୍କ ଷ୍ଟଲ ଖୋଲାଯାଇଛି। ହାଟରେ ୧୦ଟି ସ୍ୱତନ୍ତ୍ର ଫୁଡ୍ ଷ୍ଟଲର ବ୍ୟବସ୍ଥା କରାଯାଇଛି। ସେଥିରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟାନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେଉଛି। ସେହିପରି ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଂଚ, ଏଟିଏମ୍, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା କରାଯାଇଛି। ଏହି ହାଟ ପ୍ରତ୍ୟେକ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ କୋଭିଡ୍-୧୯ ଗାଇଡ୍ଲାଇନ୍ ଅନୁଯାୟୀ ଖୋଲା ରହିବ। ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହାର ଖୋଲିବା ସମୟରେ ପରିବର୍ତ୍ତନ କରାଯିବ। ହାଟର ପରିଚାଳନା ଦାୟିତ୍ୱ, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍) ଉପରେ ନ୍ୟସ୍ତ ହୋଇଛି।