ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ବରରେ ଆୟୋଜିତ ହୋଇଛି। ଓଡ଼ିଆ ଭାଷାର ମହତ୍ବ ସାରା ବିଶ୍ବ ବୁଝିବାର ସୁଯୋଗ ସୃଷ୍ଟି ହୋଇଛି। ପୂରା ଭୁବନେଶ୍ବର ଓଡ଼ିଆ ଓଡ଼ିଆ ବାସ୍ନା ହେଉଛି। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କର ଏଭଳି ଏକ ଉଦ୍ୟମ ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ। ତା’ ସହିତ ଏହି ସଙ୍ଗୀତର ମୂର୍ଚ୍ଛନା, ଆମ ବ୍ୟଞ୍ଜନ, ଭୁଫେଷ୍ଟୋ ଏକ ନିଆରା ଅନୁଭୂତି ଦେଇଛି। ଆମ ଓଡ଼ିଆ ସବୁଠୁ ବଢ଼ିଆ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ। ପ୍ରଦର୍ଶନୀ ପଡ଼ିଆରେ ସଙ୍ଗୀତର ମୂର୍ଚ୍ଛନା ମଞ୍ଚରେ ଏକାମ୍ର ଉତ୍ସବକୁ ଉଦ୍ଘାଟନ କରିବା ଅବସରରେ ସେ ଏଭଳି କହିଛନ୍ତି। ଅନ୍ୟତମ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କର ଏଭଳି ଏକ ପ୍ରୟାସକୁ ପ୍ରସଂଶା କରିବା ସହ ଏହାକୁ ଏକ ଐତିହାସିକ ଦିନ ବୋଲି ଅଭିହିତ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଏହା ପ୍ରତ୍ୟେକ ଓଡ଼ିଆ ପାଇଁ ଗୌରବର ଦିନ ବୋଲି କହିଥିଲେ। ବିଡିଏ ଉପାଧ୍ୟକ୍ଷ ବଲ୍ୱନ୍ତ ସିଂହ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ନିର୍ଦ୍ଦେଶକ ତଥା ବିଡିଏ ସିଟି ଫେଷ୍ଟ ଓଏସ୍ଡି ସିଦ୍ଦିକି ଆଲାମ୍ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର: ମଞ୍ଚରୁ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତ ଭାସି ଆସୁଥିଲା। ଚାଇନା ଲ୍ୟାମ୍ପ୍, ନାଲିନେଳି ଆଲୋକମାଳାରେ ସଜେଇ ହୋଇଥିବା ରାସ୍ତା ଆଜି ପାଲଟିଥିଲା ସଭିଙ୍କର ସେଲ୍ଫି ପଏଣ୍ଟ। ପ୍ରବେଶ ପଥରେ ସମ୍ମୋହନ କରୁଥିଲା ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ଖାଦ୍ୟର ସମ୍ଭାର 'ଆମ ବ୍ୟଞ୍ଜନ'। ସେପଟେ ଫ୍ଲି' ମାର୍କେଟରେ ଝୁଲୁଥିବା ମନଲୋଭା ପରିଧାନ ଯେମିତି ହାତଠାରି ଡାକୁଥିଲା! କେଉଁ ଆଡ଼େ ଯିବେ, ଆଗ କେଉଁଠିକୁ ଯିବେ ଦ୍ବନ୍ଦ୍ବରେ ପଡ଼ିଥିଲେ ସଭିଏଁ। ଆଜି ପ୍ରଦର୍ଶନୀ ପଡ଼ିଆରେ ଏମିତି ସ୍ଥିତି ସୃଷ୍ଟି କରିଥିଲା ଏକାମ୍ର ମହୋତ୍ସବ।
ବାଉଁଶ ଗହଣାରେ ଜଗନ୍ନାଥ ସଂସ୍କୃତି
ବାଉଁଶ ପାତିଆରେ ତିଆରି ହୋଇଛି ଗହଣା। କେଉଁଥିରେ ଜଗନ୍ନାଥ ମା' ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରୁଥିବା ଚିତ୍ର ତ କେଉଁଥିରେ କୃଷ୍ଣଙ୍କ ଲୀଳା। ଏସବୁର ଦର ମଧ୍ୟ ପକେଟକୁ ସୁହାଇବା ଭଳି। ପଟିଆ ଇକୋଦର୍ଶିନୀ ଷ୍ଟଲ୍ରେ ଏଭଳି ସାମଗ୍ରୀ କିଣିବାକୁ ଗ୍ରାହକଙ୍କ ଭିଡ଼ ଜମିଥିଲା। ୫୦ଟଙ୍କାରୁ ଆରମ୍ଭ କରି ୩୫୦ ଟଙ୍କା ପର୍ଯ୍ୟନ୍ତ ଏହି ସାମଗ୍ରୀ ବିକ୍ରି ହେଉଥିଲା। କେବଳ ଗହଣା ନୁହେଁ, ଏଠାରେ ବାଉଁଶ ବୁକ୍ ମାର୍କ, କ୍ଲିପ୍, ସମ୍ବଲପୁରୀ କପଡ଼ାରେ କାନଫୁଲ ଆଦି ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇଥିଲା। ଏସବୁ ସହିତ ବଜାରର ମଧ୍ୟ ଭାଗରେ ହୋଇଥିବା ମଞ୍ଚ ଗ୍ରାହକଙ୍କୁ ଆହୁରି ଟିକିଏ ସମୟ ଏଠାରେ କାଟିବାକୁ ବାଧ୍ୟ କରୁଥିଲା। ସେଠାରେ ଗୀତ ନାଚ ସହିତ ଶ୍ରେୟାସ ବ୍ୟାଣ୍ଡର ସ୍ବତନ୍ତ୍ର ପରିବେଷଣ ଲୋକଙ୍କୁ ବେଶ୍ ମନୋରଞ୍ଜନର ଖୋରାଖ ଯୋଗାଇଥିଲା।
ଏକାମ୍ର ହାଟରେ ବସିଲା ଖାଓଗଳି
ରାମ ମନ୍ଦିର ଖାଓଗଳିକୁ ଏକାମ୍ର ହାଟ ପରିସରକୁ ଆଜି ସ୍ଥାନାନ୍ତରଣ କରାଯାଇଥିଲା। ପ୍ରବଳ ଗହଳିକୁ ନଜର ରଖି ବିଡ଼ିଏ ପକ୍ଷରୁ ଏହା କରାଯାଇଥିଲା। ଫଳରେ ଗୋଟିଏ ଜାଗାରେ ଖାଓଗଳି ଖାଦ୍ୟ ସହିତ ମହୋତ୍ସବ ବୁଲା ଚାଲିଥିଲା।
ମକର ଚାଉଳରୁ କାଇ ଚଟଣି
ଖସେରି ପକୁଡ଼ି ସହିତ କଉଁରା ବାହା, ସିମ୍ ଜିଲ୍ ପକୁଡ଼ି, ଜିଲ୍ ରାପାଃ ସହ କାଇ ଚଟଣି! ପୁଣି ପତଳା ପିଠା ସହ ରସୁଣ ଚଟଣି! 'ଆମ ବ୍ୟଞ୍ଜନ' ପରିସରରେ କେଉଁଠି ଭଳିକି ଭଳି ସାନ୍ତାଳୀ ଖାଦ୍ୟର ପସରା ମେଲିଥିଲା ତ କେଉଁଠି ମିଳୁଥିଲା କାକରା, ନଡ଼ିଆ ପୁର ମଣ୍ଡା, ବିରି ଗଜ, ସରସତିଆ ଭଳି ପାରଂପରିକ ଓଡ଼ିଆ ପିଠା। ଖାଲି ସେତିକିରେ ତାଲିକା ସରି ନଥିଲା, ମକର ଚାଉଳ, କ୍ଷୀର ଗଇଁଠା, ବୁଢ଼ା ଚକୁଳି, ଝୁଙ୍କା କନ୍ଧମୂଳ ସିଝା, ଦେଶୀ କୁକୁଡ଼ା ଝୋଳ, ଚିତଉ, ଛେନା ମଟର ତରକାରି, ମଗଜ ଲଡ଼ୁ, ସର୍ବତ ବି ଥିଲା। ରାଜ୍ୟର କୋଣ ଅନୁକୋଣର ଓଡ଼ିଆ ହାଣ୍ଡି ଖାଦ୍ୟର ପସରା ମେଲେଇଥିଲେ ବିଭିନ୍ନ ପଞ୍ଚତାରକା ହୋଟେଲ ଓ ହୋଟେଲ ମ୍ୟାନେଜମେଣ୍ଟର ଅନୁଷ୍ଠାନର ଛାତ୍ରଛାତ୍ରୀ। ଖାଦ୍ୟ ପରଷୁ ଥିବା ବ୍ୟକ୍ତିଙ୍କ ଠାରୁ ଖାଦ୍ୟ ପର୍ଯ୍ୟନ୍ତ ସବୁଥିରେ ଦେଖିବାକୁ ମିଳୁଥିଲା ଓଡ଼ିଆପଣର ଝଲକ। ପ୍ରତି ଅନୁଷ୍ଠାନ ପାଇଁ ଦିଆଯାଇଥିବା ସ୍ଥାନକୁ ନଡ଼ା ଛଣରେ ସଜାଇ ଏହାକୁ ଦେଶୀରୂପ ଦିଆଯାଇଥିବା ବେଳେ ଖାଦ୍ୟଗୁଡ଼ିକୁ ମାଟିହାଣ୍ଡିରୁ କାଢ଼ି ଗ୍ରାହକଙ୍କୁ ପରଷା ଯାଉଥିଲା ଶାଳପତ୍ରରେ। ଗୋଟିଏ ସ୍ଥାନରେ ପିଠା, ମିଠା, ଆମିଷ, ନିରାମିଷ ସବୁ ମିଳୁଥିବାରୁ ଏଠାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ୭୫ ଟଙ୍କାରେ ସନ୍ତାଳୀ ଖାଦ୍ୟ ଖସେରି ପକୁଡ଼ି ସହିତ କଉଁରା ବାହା ଭଳି ରାଜଧାନୀଆଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଖାଦ୍ୟ ମିଳୁଥିବା ବେଳେ ଜିଲ୍ ରାପାଃ ସହ କାଇ ଚଟଣି ୨୦୦ ଟଙ୍କାରେ, ୨୫ ଟଙ୍କାରେ କାକରା, ଆରିସା, କରଞ୍ଜି, ମୁଆଁ ପିଠା, ବିରିଗଜ, ଖାସ୍ତାଗଜା, କ୍ଷୀରଗଜା, ଲବଙ୍ଗଲତା, ଛେନାଝିଲି, ମକର ଚାଉଳ ଭଳି ପିଠା ଓ ମିଠା ମିଳୁଥିବା ବେଳେ ୨୫୦ ଟଙ୍କାରେ ଦେଶୀ କୁକୁଡ଼ା ଝୋଳ ଓ ଚିତଉ ପିଠା ୨୫୦ ଟଙ୍କାରେ, ଖାସି ମାଂସ ସହ ଚିତଉ ପିଠା ୩୦୦ ଟଙ୍କାରେ ଉପଲବ୍ଧ ହେଉଛି। ମୋଟ୍ ୨୦ଟି ଖାଦ୍ୟ ଷ୍ଟଲ୍ ପଡ଼ିଛି।
ଏଲିଏନ୍ ଖାଇଲା ମିଲେଟ୍ କ୍ୟାଣ୍ଡି
ଅବାକ୍ ହୋଇ ଚାହିଁ ବସିଥିଲେ କୁନିକୁନି ପିଲା। ତାଙ୍କରି ଆଖି ଆଗରେ ସତେ ଆକାଶରୁ ଓହ୍ଲାଇ ଆସିଲା ଅନ୍ୟଗ୍ରହର ନିବାସୀ (ଏଲିଏନ୍) 'ଜୋଜୋ'। ହିମ୍ଲି ଘରେ ପହଞ୍ଚି ଖାଦ୍ୟ ଅନ୍ବେଷଣ କରୁଥିଲା। ଏଲିଏନ୍କୁ ଦେଖି ଡରିଯାଇଥିବା ହିମ୍ଲିକୁ ଜୋଜୋ କହିଲା, ''ମୁଁ ଜୁମ୍ ଗ୍ରହରୁ ଖାଦ୍ୟ ଅନ୍ବେଷଣରେ ଆସିଛି। ସେଠାରେ ସମସ୍ତଙ୍କ ଦେହ ଭାରି ଅସୁସ୍ଥ...।'' ତା’ ଦୁଃଖ ଶୁଣି ହିମ୍ଲି ନିଜ ପାଖରେ ରଖିଥିବା ମିଲେଟ୍ ଚକୋଲେଟ୍କୁ ଜୋଜୋ ଆଡ଼କୁ ବଢ଼ାଇ ଦେଲା। ଜୋଜୋ ତା’କୁ ଖାଇବା ପରେ ଭାରି ଖୁସି ହୋଇଥିଲା। ତା’କୁ ଭାରି ଭଲ ଲାଗିଲା। ସେ ନିଜ ଅସୁସ୍ଥ ଗ୍ରହର ଅନ୍ୟମାନଙ୍କ ପାଇଁ ମିଲେଟ୍ ଚକୋଲେଟ୍ ଧରି ଉଭାନ୍ ହୋଇଗଲା। ଜୋଜୋ ପୁଣି ଥରେ ଆସି ମିଲେଟ୍ ପ୍ରସ୍ତୁତ ଖାଦ୍ୟ ନେବା ପାଇଁ କହି ଯାଇଥିବାରୁ ହିମ୍ଲି ତା ମା'ଙ୍କ ପଛରେ ପଡ଼ି ଯାଇଥିଲା। ଜୋଜୋ ଆସିବା ପୂର୍ବରୁ ମିଲେଟ୍ ଖାଦ୍ୟ କିଭଳି ପ୍ରସ୍ତୁତ ହୋଇ ରହିବ, ସେ ଚିନ୍ତା ତାକୁ ଘାରି ଯାଉଥିଲା। ମା'ଙ୍କ ସହ ମିଶି ହିମ୍ଲି ମିଲେଟ୍ ଖାଦ୍ୟ ପ୍ରସ୍ତୁତିରେ ଲାଗିପଡ଼ିଲା...।
ଏ କାହାଣୀ କାଳ୍ପନିକ ଥିଲେ ବି ମିଲେଟ୍ର ଉପକାରିତାକୁ ଆଜି ଇନ୍ଦିରା ଗାନ୍ଧୀ(ଆଇଜି) ପାର୍କରେ ପିଲାମାନଙ୍କ ଆଗରେ ଏଇ ଭାବରେ ଉପସ୍ଥାପନ କରିବାକୁ ଉଦ୍ୟମ କରିଥିଲେ ଶାଶ୍ବତୀ ପଟ୍ଟନାୟକ। ଏକାମ୍ର ଉତ୍ସବର ଅନ୍ୟତମ ଅଂଶ ଭାବରେ ଶନିବାର ବିଡିଏ ପକ୍ଷରୁ ଭୂଫେଷ୍ଟୋ ଆରମ୍ଭ ହୋଇଛି। ଆଇଜି ପାର୍କ ସମେତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି), ଏପିଜେ ଅବଦୁଲ କଲାମ ପାର୍କ (କଳିଙ୍ଗନଗର) ଓ ନୀଳାଦ୍ରି ବିହାର ବୁଦ୍ଧ ପାର୍କରେ ଏମିତି ଅନେକ କଥକଙ୍କ ମୁହଁରୁ କାହାଣୀ ଶୁଣିବାକୁ ମିଳିଥିଲା। କେବଳ କାହାଣୀ ନୁହେଁ, ଏହା ସହିତ ଅବଦୁଲ୍ କଲାମ୍ ପାର୍କରେ କଣ୍ଡେଇନାଚ, ‘ଗୀତରେ ଗୀତରେ ଗଣିତ ଶିକ୍ଷା’ ଭଳି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ବକୁଳ ଫାଉଣ୍ଡେସନ ପକ୍ଷରୁ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଆଇଜି ପାର୍କରେ ସତ୍ୟବ୍ରତ ତ୍ରିପାଠୀ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ। ପ୍ରାଚୀତାରା, ଶାଶ୍ବତୀ ନନ୍ଦ ଶତପଥୀ, ସୁଜାତା ପ୍ରିୟମ୍ବଦା; ବୁଦ୍ଧ ପାର୍କରେ ହୃଦୟ ରଞ୍ଜନ, ସବିତା ପଟ୍ଟନାୟକ, ମୀରା ଦାସ, ଯଶସ୍ବିନୀ ମହାପାତ୍ର, ଗୌରହରି ବିଶ୍ବାଳ, ବସନ୍ତ ସାହୁ; କଳାଭୂମିରେ ଲୋପାମୁଦ୍ରା ମହାନ୍ତି, ବିଦ୍ୟୁତ୍ଲତା ପାଣିଗ୍ରାହୀ, ସ୍ବାଗତିକା ସେଠୀ, ସମ୍ପଦ ମହାପାତ୍ର, ରୀତେନ୍ ପଟ୍ଟନାୟକ ଏବଂ ଏପିଜେ ଅବ୍ଦୁଲ୍କଲାମ୍ ପାର୍କରେ ସାନ୍ତାକାର ଚେଲ୍ଲାପିଲା, ତପସ୍ବିନୀ ପଣ୍ଡା, ସତ୍ୟବ୍ରତ ମହାପାତ୍ର, ବର୍ଷା ମିଶ୍ର ଯୋଗ ଦେଇଥିଲେ। ଏହାକୁ ପିଲାଙ୍କ ସହିତ ବୟସ୍କମାନେ ମଧ୍ୟ ମନଭରି ଉପଭୋଗ କରିଥିଲେ।