ରାଜ୍ୟସ୍ତରୀୟ ଫୁଲ ପ୍ରଦର୍ଶନୀ : ଏକାମ୍ର କାନନରେ ଫୁଲର ସମ୍ଭାର

ଭୁବନେଶ୍ୱର: ବଗିଚା ସାରା ବିଛେଇ ହୋଇଥିଲା ଖାଲି ଫୁଲ ଆଉ ଫୁଲ। ଭଳିକି ଭଳି ରଙ୍ଗିନ୍‌ ଫୁଲର ସମ୍ଭାର ଭିତରୁ ଭାସି ଆସୁଥିଲା ହାଲ୍‌କା ବାସ୍ନା। ଗୋଲାପ, ସୂର୍ଯ୍ୟମୁଖୀ, ପିଟୁନିଆ, କାଲେଣ୍ଡୁଲା, ଜିନିଆ, ଜର୍‌ବେରା, ଗ୍ଲାଡିଓଲି, ଡାଲିଆ ଭଳି ଫୁଲର ସୌନ୍ଦର୍ଯ୍ୟ ଓ ସୁଗନ୍ଧ ଭିତରେ କିଛି କ୍ଷଣ ହଜିଯିବାକୁ ଜମିଥିଲା ଫୁଲପ୍ରେମୀଙ୍କ ଭିଡ଼। ଫୁଲ ସହ ଫଟୋଟିଏ ନନେଲେ ମନ ବୁଝୁ ନଥିଲା। ଏମିତି ଏକ ଅବକାଶ ନେଇ ଆସିଛି ଆଞ୍ଚଳିକ ଉଦ୍ଦିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି) ଏବଂ ପ୍ଲାଣ୍ଟ୍‌ ଲଭର୍ସ ଆସୋସିଏସନ୍‌ ପକ୍ଷରୁ ଏକାମ୍ର କାନନରେ ଆୟୋଜିତ ରାଜ୍ୟସ୍ତରୀୟ ବାର୍ଷିକ ଫୁଲ ପ୍ରଦର୍ଶନୀ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ପରିସରରେ ୩୦୦ରୁ ଊର୍ଧ୍ୱ ରଙ୍ଗବେରଙ୍ଗ ଫୁଲ ଦେଖିବାକୁ ମିଳିଛି। ଆୟୋଜିତ ବଗିଚା ପ୍ରତିଯୋଗିତାରେ ୯୦ଜଣ ଅଂଶଗ୍ରହଣ କରିଥିବା ବେଳେ ୫୦ ଜଣଙ୍କୁ ବିଭିନ୍ନ ଫୁଲ ଓ ବଗିଚା ପାଇଁ ପୁରସ୍କୃତ କରାଯାଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ମଧ୍ୟରେ ଗଛ ବଜାରରେ ୪୦ଟି ନର୍ସରି ଅଂଶଗ୍ରହଣ କରିଥିବା ବେଳେ ଆଳଙ୍କାରିକ ବୃକ୍ଷରାଜି, ମଞ୍ଜି, ଚାରା, ବଗିଚା ଉପକରଣ, ସାର, କୀଟନାଶକର ଷ୍ଟଲ୍‌ ଖୋଲିଛି। ଏଥିସହିତ ଫୁଲ, ପାଖୁଡ଼ା ଓ ପତ୍ରରେ ସୁସଜ୍ଜିତ ରଙ୍ଗୋଲି ସାଙ୍ଗକୁ ପରିବାରେ ଖୋଦେଇ କଳାର ପ୍ରଦର୍ଶନୀ ନିଆରା ଅନୁଭବ ଦେଇଛି।

ଅପରାହ୍‌ଣରେ ବଗିଚା ପ୍ରତିଯୋଗିତାରେ କୃତୀ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି। ଏଥିସହିତ ପୂର୍ବରୁ ସରିଥିବା ଚିତ୍ର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆର୍‌ପିଆର୍‌ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ.ଏଚ୍‌ଏସ୍‌ ଉପାଧ୍ୟାୟ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ.ସନ୍ଦୀପ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆସୋସିଏସନ୍‌ର ସଭାପତି କ୍ଷୀରୋଦ ପଟ୍ଟନାୟକ ଏବଂ ସମ୍ପାଦକ ଡ.ପି ଶ୍ରୀନିବାସ ଏବଂ ଅନ୍ୟ ସଦସ୍ୟବୃନ୍ଦ ପରିଚାଳନା କରିଥିଲେ। ଏହି ପ୍ରଦର୍ଶନୀ ଆସନ୍ତା କାଲି ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହିବ।

୯୯ହଜାର ଟଙ୍କାରେ ନିର୍ମିତ ଫୁଲ ତୋରଣ

ଫୁଲ ପ୍ରଦର୍ଶନୀକୁ ପ୍ରବେଶ ପଥରେ ନିର୍ମିତ ଫୁଲ ତୋରଣ ଏଥର ସବୁଠୁ ବଡ଼ ଆକର୍ଷଣ ସାଜିଛି। ଜର୍ବେରା, ସେବତୀ, ଅର୍କିଡ୍‌, ଗେଣ୍ଡୁ ଏବଂ ଆଳଙ୍କାରିକ ପତ୍ରରେ ନିର୍ମିତ ଏହି ତୋରଣ ୯୯ ହଜାର ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ତୋରଣ ସାମ୍ନାରେ ଫଟୋ ଉଠାଇବା ପାଇଁ ଦେଖେଣାହାରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର