‌‌କେବେ ଭିକାରିମୁକ୍ତ ହେବ ଏକାମ୍ରକ୍ଷେତ୍ର

ପୁରୁଣା ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀ ପରି ଏକାମ୍ରକ୍ଷେତ୍ରକୁ ଆସୁଛନ୍ତି ଶହ ଶହ ପର୍ଯ୍ୟଟକ। ଶ୍ରୀଲିଙ୍ଗରାଜ ମନ୍ଦିର ବୁଲିବା ସହ ସହସ୍ରଲିଙ୍ଗ, ଦେବୀ ପାଦହରା, ବିନ୍ଦୁସାଗର, ମୁକ୍ତେଶ୍ବର ସମେତ ବହୁ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ବୁଲିଥାନ୍ତି। ତେବେ ପୁରୀ ପରି ଏକାମ୍ରକ୍ଷେତ୍ର ଭିକାରିମୁକ୍ତ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ପୁରୀ ସହ ଭୁବନେଶ୍ବରକୁ ଭିକାରିମୁକ୍ତ କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ବର ଓ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କ୍ଷେତ୍ର ପୁରୀକୁ ଭିକାରିମୁକ୍ତ କରିବାକୁ ସରକାର ଅଣ୍ଟା ଭିଡ଼ିଥିଲେ। ଏନେଇ ପୁରୀ ଓ ଖୋର୍ଧା ଜିଲ୍ଲାପାଳ ଓ ପୋଲିସ ବିଭାଗକୁ ନିର୍ଦେଶ ଦିଆଯାଇଥିଲା। ଉନ୍ନୟନ କମିସନର ଉଭୟ ଜିଲ୍ଲାରୁ ଭିକାରି ହଟିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ପୁରୀରେ ଏବେ ଭିକାରି ହଟାଇବା ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା ବେଳେ ଏକାମ୍ରକ୍ଷେତ୍ରରେ ଏହାକୁ କରାଯିବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

ପୁରୀ ପରି ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ବିକାଶ କରାଯାଉଛି। ଜବରଦଖଲ ଉଚ୍ଛେଦ ସହ ସ୍ଥିତିବାନ ଜମି ଅଧିଗ୍ରହଣ କରାଯାଉଛି। ମନ୍ଦିର ଚାରିପଟ ସୌନ୍ଦର୍ଯ୍ୟ କରାଯିବା ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତେବେ ନିକଟରେ ପୁରୀରେ ‘ନୀଳାଦ୍ରି ନିଳୟ’ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ଲୋକଙ୍କ ସମ୍ପର୍କରେ ଖୁବ୍‌ଶୀଘ୍ର ସର୍ଭେ କରାଯିବ। ସାମାଜିକ ସୁରକ୍ଷା ଯୋଜନାରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବ। ଏଥି ସହ ଭିକାରିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ‘ସହାୟ’ ଯୋଜନାରେ ଥଇଥାନ କରିବାକୁ ଯୋଜନା କରିଛନ୍ତି ସରକାର। ପୁରୀ ଜିଲାର ବିଭିନ୍ନ ସ୍ଥାନରେ ୮ଟି ନୀଳାଦ୍ରି ନିଳୟ ତଥା ଭିକାରି ପୁନର୍ବାସ ଗୃହ ନିର୍ମାଣ ପାଇଁ ସ୍ଥିର କରାଯାଇଛି। ସେସବୁ ସ୍ଥାନରେ ୫୦ଜଣ ଲେଖାଏ ଭିକାରୀଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯିବ। ସେମାନେ ପୁଣିଥରେ ଯେପରି ଭିକ୍ଷାବୃତ୍ତିକୁ ନଫେରନ୍ତି ତାହାକୁ ଦୃଷ୍ଟିରେ ରଖି ସରକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ପଦକ୍ଷେପ ଆରମ୍ଭ କରାଯାଇଛି। ତେବେ ଏକାମ୍ରକ୍ଷେତ୍ରରେ କେବଳ ମହା ଶିବରାତ୍ରି ଆସିବା ପୂର୍ବରୁ ଭିକାରିମାନଙ୍କୁ ମନ୍ଦିର ସମ୍ମୁଖରୁ ହଟି ଅନ୍ୟସ୍ଥାନରେ ବସିବାକୁ କୁହାଯାଇଛି। ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏଠାରେ ମଧ୍ୟ ଭିକାରିମାନଙ୍କ ପାଇଁ ଯୋଜନା କରି ସେମାନଙ୍କୁ ଥଇଥାନ କରିବାକୁ ଦାବି କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କୁହନ୍ତି, ପୁରୀ ପରି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଭିକାରିମାନଙ୍କ ପାଇଁ ବ୍ୟବସ୍ଥା ହେବା ଉଚିତ୍‌। ଏଠାକୁ ମଧ୍ୟ ଶହଶହ ପର୍ଯ୍ୟଟକ ଆସୁଛନ୍ତି। ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ଲୋକଙ୍କ ସମ୍ପର୍କରେ ସର୍ଭେ କରି ସାମାଜିକ ସୁରକ୍ଷା ଯୋଜନାରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ଆର୍ଥିକ ସହାୟତା ଯୋଗାଇବା ଆବଶ୍ୟକ ରହିଛି। ତେବେ ଏକାମ୍ର କ୍ଷେତ୍ରରେ ଏପରି ଯୋଜନା କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀ ପରି ଏକାମ୍ରକ୍ଷେତ୍ର ବିକାଶ କରାଯିବ କି କେବଳ ଉଚ୍ଛେଦ କରାଯାଇ ପ୍ରଶାସନ ଚୁପ୍‌ ବସିବ ତାହା ସନ୍ଦେହ ସୃଷ୍ଟି କରିଛି। ଏନେଇ ବିଏମ୍‌ସି ଅତିରିକ୍ତ କମିସନର ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ କୁହନ୍ତି, ଏକାମ୍ର କ୍ଷେତ୍ରରେ ଏପରି କିଛି ଯୋଜନା ନାହିଁ। ଆଗାମୀ ଦିନରେ ଏହି ଯୋଜନା ହୋଇପାରେ।

ସମ୍ବନ୍ଧିତ ଖବର