ଲିଙ୍ଗରାଜ ମନ୍ଦିର: ଉଜୁଡ଼ା ଏକାମ୍ର କ୍ଷେତ୍ର

ଲିଙ୍ଗରାଜ ମନ୍ଦିର ଯିବା ରାସ୍ତାରେ ଏବେ ବି ବହୁ ଗଛ ପଡ଼ିରହିଛି। ସାମନ୍ତରାପୁରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଯିବା ରାସ୍ତା କେଦାରଲେନ୍‌ ଛକ ଉପରେ ଏବେ ବି ଗଛ ପଡ଼ି ରହିଛି। ମନ୍ଦିର ପରିସରରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିଯାଇଥିବା ବେଳେ ରୋଷଘର ନଷ୍ଟ ହୋଇଛି। ଏହା ନିକଟରେ ଥିବା ବିନ୍ଦୁସାଗର ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ। ଲାଇଟ୍‌ ଏଣ୍ଡ୍‌ ସାଉଣ୍ଡ ସିଷ୍ଟମ୍‌ ଏବେ ପୂରା ଅଚଳ ହୋଇ ଯାଇଛି। ଏହାର ମୋଟର ଗୃହରୁ ଲାଇଟ୍‌ ସିଷ୍ଟମ୍‌ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି। ସେହିପରି ବିନ୍ଦୁସାଗର କୂଳରେ ଥିବା ବହୁ ସୌନ୍ଦର୍ଯ୍ୟଭରା ଲାଇଟ୍ ଖୁଣ୍ଟ୍‌ ଉପୁଡ଼ି ପଡ଼ିଛି।

ପୁରୁଣା ଭୁବନେଶ୍ବର(ଲିଙ୍ଗରାଜ ସାହୁ): ରାଜଧାନୀର ପର୍ଯ୍ୟଟନ ଶିଳ୍ପର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି ‘ଫନି’। ମନ୍ଦିରମାଳିନୀ ସହର ଭାବେ ଖ୍ୟାତ ସହରର ପର୍ଯ୍ୟଟନ ଭିତ୍ତିଭୂମି ଭୁଶୁଡ଼ି ଯାଇଛି। ପର୍ଯ୍ୟଟନ କ୍ଷେତ୍ର ପରିସରର ସବୁଜିମା ସୌନ୍ଦର୍ଯ୍ୟ ଉଜୁଡ଼ି ଯାଇଛି। ସ୍ଥିତି ଏମିତି ଯେ, ପର୍ଯ୍ୟଟନ ସମୃଦ୍ଧ ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକଙ୍କ ପାଦ ପଡ଼ୁନାହିଁ। ଫଳରେ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ପରିସରର ଉଜୁଡ଼ା ସ୍ଥିତିକୁ ବି ସଜଡ଼ା ଯାଇପାରିନାହିଁ। ସ୍ଥିତି କେବେ ସ୍ବାଭାବିକ ହେବ ସେ ସମ୍ପର୍କରେ ବି କର୍ତୃପକ୍ଷ ସୂଚନା ଦେଇ ପାରୁନାହାନ୍ତି। ଦେଶ ଓ ଦେଶ ବାହାରୁ ସର୍ବାଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଶ୍ରୀଲିଙ୍ଗରାଜ ମନ୍ଦିର, ନନ୍ଦନକାନନ, ମୁକ୍ତେଶ୍ବର ମନ୍ଦିର, ରାଜାରାଣୀ ମନ୍ଦିର, ଧଉଳି, ଖଣ୍ଡଗିରି ଏବେ ଖାଁ ଖାଁ ଲାଗୁଛି। କେବଳ ଏକାମ୍ର କ୍ଷେତ୍ରରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ କ୍ଷୟକ୍ଷତିର ଆକଳନ ୧୦ କୋଟି ଟପିଯାଇଛି। ଏହା ଫଳରେ ହୋଟେଲ୍‌ ଶିଳ୍ପ ମଧ୍ୟ ବହୁଳ ଭାବେ ପ୍ରଭାବିତ ହୋଇଛି। ସ୍ଥିତି ଯାହା ଏଥର ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଜଳଜଳ ଦିଶିଲାଣି।

ଖଣ୍ଡଗିରି ଓ ଉଦୟଗିରି: ଖଣ୍ଡଗିରି ପାହାଡ଼ ଉପରକୁ ଯାଇଥିବା ରାସ୍ତା ଉପରେ ଗଛ ପଡ଼ି ବାଟ ବନ୍ଦ ହୋଇଯାଇଛି। ଉଦୟଗିରିରେ ମଧ୍ୟ ସାଜସଜା ଓ ଉଦ୍ୟାନ ଉପ‌ରେ ଗଛ ପଡ଼ି ସେଗୁଡ଼ିକ ନଷ୍ଟ ହୋଇଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି। ବଡ଼ବଡ଼ ଗଛ ଭାଙ୍ଗି ପଡ଼ିଥିଲେ ହେଁ ଏହାକୁ ଏଯାଏଁ ସଫା କରାଯାଇନାହିଁ। ଉଦୟଗିରି ପରିସରରେ ଥିବା ଫୁଲ ବଗିଚା ବି ନଷ୍ଟ ହୋଇଯାଇଛି।

ରାଜାରାଣୀ ମନ୍ଦିର: ସୌନ୍ଦର୍ଯ୍ୟକରଣ ଦୃଷ୍ଟିରୁ ରାଜାରାଣୀ ମନ୍ଦିର ପରିସର ଟିକେ ନିଆରା। କିନ୍ତୁ ଏହି ପରିସରରେ ଗଛଗୁଡ଼ିକ ଉପୁଡ଼ି ଯାଇ ସୌନ୍ଦର୍ଯ୍ୟ ଛାରଖାର ହୋଇଯାଇଛି। ସେଠାରେ ଥିବା ଟିକେଟ୍‌ କାଉଣ୍ଟର ଛାତ ଉଡ଼ିଯାଇଛି। ଟିକେଟ୍‌ କାଟିବାକୁ ତ ଲୋକେ ସେଠାରେ ବସୁନାହାନ୍ତି ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନେ ପରିସରର କଦର୍ଯ୍ୟ ସ୍ଥିତି ଦେଖି ଲେଉଟିଯାଉଛନ୍ତି। ଟଙ୍କପାଣି ରୋଡ଼୍‌ରେ ଥିବା ମେଘେଶ୍ବର ମନ୍ଦିର ଯିବା ମୁଖ୍ୟ ରାସ୍ତାରେ ଗଛ ପଡ଼ିଥିବା ବେଳେ ଏହାର ପରିସରରେ ଥିବା କେତେକ ଗଛ ଉପୁଡ଼ି ପଡ଼ିଛି। ସେହିପରି ବ୍ରହ୍ମେଶ୍ବର ପାଟଣା ଛକଠାରେ ଥିବା ଭାସ୍କରେଶ୍ବର ମନ୍ଦିର ପରିସରରେ ଗଛ ସହ ପାଚେରୀ ଭୁଶୁଡ଼ି ପଡ଼ିଛି।

ଧଉଳି: ଧଉଳିରେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ବସଷ୍ଟାଣ୍ଡ୍‌ର ଟିଣ ସେଡ୍‌ ଉଡ଼ି ଯାଇଛି। ଶାନ୍ତିସ୍ତୂପ ପରିସରରେ ଥିବା ଶାନ୍ତିପାର୍କର ଅବସ୍ଥା ଶୋଚନୀୟ ହୋଇଛି। ଧଉଳିକୁ ଯିବା ରାସ୍ତାରେ ମଧ୍ୟ ଗଛ ବାଧକ ସାଜିଛି। ସେହିପରି ଶିଶୁପାଳଗଡ଼କୁ ଯିବା ରାସ୍ତାରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ି ରହିଥିବାରୁ ଯିବା ଆସିବା ସମ୍ଭବ ହୋଇପାରୁନାହିଁ। ହୋଟେଲ ବ୍ୟବସାୟ ପ୍ରଭାବିତ: ଫନିର ତାଣ୍ଡବରେ ଭୁବନେଶ୍ବରରେ ଥିବା ଅନେକ ହେଟେଲ, ଲଜ୍‌ ଓ ଗେଷ୍ଟ ହଉସ ଏବେ ବନ୍ଦ ରହିଛି। ବିଭିନ୍ନ ତାରକା ହୋଟେଲଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହ ସୌନ୍ଦର୍ଯ୍ୟକରଣ ଓ ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକରଣ ଭାଙ୍ଗିରୁଜି ଯାଇଛି। କିଛିଦିନ ପୂର୍ବରୁ ପର୍ଯ୍ୟଟକ ଭର୍ତି ହୋଟେଲ ରୁମ୍‌ ଏବେ ଫାଙ୍କା ପଡ଼ିଛି।

ମୁ‌କ୍ତେଶ୍ବର ମନ୍ଦିର
ଏକାମ୍ର କ୍ଷେତ୍ରରେ ଦେଶୀ, ବିଦେଶୀ ର୍ପଯ୍ୟଟକଙ୍କ ପାଇଁ ଓଡ଼ିଶାର ପ୍ରମୁଖ ଆର୍କଷଣ ସାଜୁଥିବା ମୁକ୍ତେଶ୍ବର ମନ୍ଦିର ‘ଫନି’ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ମୁକ୍ତେଶ୍ବର ମନ୍ଦିରକୁ ଯିବା ଆସିବା ବାଟ ଦୁଇ ପଟୁ ବନ୍ଦ ହୋଇଯାଇଛି। ସେଠାରେ ଥିବା ଗଛ ଉଭୟ ଲୁଇସ୍‌ ରୋଡ଼୍ ରାସ୍ତା ଓ କେଦାର ଗୌରୀ ମନ୍ଦିର ନିକଟ ରାସ୍ତାରେ ପଡ଼ି ରହିଛି। ଫଳରେ ସେଠାକୁ ଯିବା ଆସିବା ସମ୍ଭବ ହେଉନାହିଁ। ସେଠାରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ବି ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରିଛି।

ସମ୍ବନ୍ଧିତ ଖବର