ଏକାମ୍ର ଯୋଜନା: ବିନ୍ଦୁସାଗର ସମେତ ୧୨ ଜଳାଶୟର ପୁନରୁଦ୍ଧାର ହେବ
ପାଣିର ମାନ ପରୀକ୍ଷା କରିବା ପରେ ଡିପିଆର୍ ପ୍ରସ୍ତୁତ ହେବ, ଜଳ ଗୁଣାତ୍ମକମାନ କେନ୍ଦ୍ର ପାଣିର ମାନ ପରୀକ୍ଷା କରିବ
ଭୁବନେଶ୍ବର: ଏକାମ୍ର ଯୋଜନାରେ କେବଳ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଭିତ୍ତିଭୂମି ଉନ୍ନତୀକରଣ ହେବନି। ଏହା ଚାରିକଡ଼େ ଥିବା ସମସ୍ତ ଜଳାଶୟର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟୀକରଣ କରାଯିବ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ (ଓବିସିସି) ଜଳାଶୟ ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଓବିସିସି ପକ୍ଷରୁ ଏକାମ୍ର ଯୋଜନାରେ ବିନ୍ଦୁସାଗର ସହ ଲିଙ୍ଗରାଜ ମନ୍ଦିର ଚାରିକଡ଼େ ଥିବା ଆଉ ୧୧ଟି ଜଳାଶୟର ପୁନରୁଦ୍ଧାର ହେବ। ଖୁବ୍ ଶୀଘ୍ର ଏହି ପୁନରୁଦ୍ଧାର କାମ ଆରମ୍ଭ ହେବାକୁ ଥିବାରୁ ୧୨ଟି ଯାକ ଜଳାଶୟରେ ଥିବା ଜଳର ଗୁଣାତ୍ମକମାନ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଖଣ୍ଡଗିରିସ୍ଥିତ ଜଳ ଗୁଣାତ୍ମକମାନ କେନ୍ଦ୍ରର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଓବିସିସି ପକ୍ଷରୁ ଚିଠି ଲେଖାଯାଇଛି। ଜଳ ଗୁଣାତ୍ମକମାନ କେନ୍ଦ୍ର ପକ୍ଷରୁ ୧୨ଟି ଜଳାଶୟର ପାଣିକୁ ନେଇ ପରୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି। କେଉଁ ଜଳାଶୟରେ ପାଣିର ମାନ କିପରି ଅଛି, ଏହାକୁ କିପରି ବିଶୋଧନ କରାଯାଇପାରିବ, କେଉଁ ପ୍ରକାରର ଗୁଳ୍ମ ଓ ଦଳ ଏଠାରେ ବଢ଼ୁଛି, ଏହାକୁ କିପରି ମୂଳରୁ ନାଶ କରାଯାଇପାରିବ ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି। ପାଣିର ମାନ ପରୀକ୍ଷା ପାଇଁ ଯେତେ ପ୍ରକାରର ପରୀକ୍ଷା ଆବଶ୍ୟକ ତାହା କରିବାକୁ ଓବିସିସି ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜଳ ଗୁଣାତ୍ମକମାନ କେନ୍ଦ୍ରର ରିପୋର୍ଟ ମିଳିବା ପରେ ୧୨ଟି ଜଳାଶୟର ପୁନରୁଦ୍ଧାର ପାଇଁ ଡିପିଆର୍ ପ୍ରସ୍ତୁତ ହେବ। ଏଥିରେ ପାଣି ଭିତରେ କି ପ୍ରକାରର ସୌନ୍ଦର୍ଯ୍ୟୀକରଣ କରିହେବ, ପୋଖରୀ ହୁଡ଼ାରେ କି ପ୍ରକାରର ସୌନ୍ଦର୍ଯ୍ୟୀକରଣ କରିହେବ, କେଉଁ ଜଳାଶୟରେ ଫାଉଣ୍ଟେନ୍ ଲାଗିପାରିବ, କେଉଁଠି ଆଲୋକ ଓ ଶବ୍ଦ ସୋ’ କରିହେବ ସେନେଇ ଯୋଜନା ପ୍ରସ୍ତୁତ ହେବ। ସୂଚନାଯୋଗ୍ୟ, ବିନ୍ଦୁସାଗରର ପୁନରୁଦ୍ଧାର ପାଇଁ ବିଏମ୍ସି ଓ ଏଏସ୍ଆଇ କୋଟି କୋଟି ଖର୍ଚ୍ଚ କରିଥିଲେ ହେଁ ଆଜି ଯାଏ ଦଳମୁକ୍ତ ହୋଇପାରିଲାନି। ଏବେବି ବିନ୍ଦୁସାଗରକୁ ଦେଖିଲେ କେହି କହିବେନି ଏଠାରେ କିଛି ପୁନରୁଦ୍ଧାର ଯୋଜନା ହୋଇଛି ବୋଲି।
ବିଏମ୍ସିର ଯୋଜନା କ’ଣ ଥିଲା
ବିନ୍ଦୁସାଗର ଓ ଏହା ଚାରିକଡ଼ରେ ଥିବା ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ବିଏମ୍ସି ବହୁବାର ଯୋଜନା କରିଛି। ହେଲେ ଆଜି ପର୍ଯ୍ୟନ୍ତ କେବଳ କୋଟି କୋଟି ଟଙ୍କା ପାଣିରେ ପଡ଼ିଛି। ବିଏମ୍ସିର ଯୋଜନା ଅନୁଯାୟୀ, ବିନ୍ଦୁସାଗର ସହ ଗୋଡ଼ି ପୋଖରୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗା ଯମୁନା, ଦେବୀ ପାଦହରା ପୋଖରୀକୁ ସ˚ଯୋଗ କରାଯାଇଥାନ୍ତା। ୬ଟି ଯାକ ପୋଖରୀକୁ ପାଇପ ଲାଇନ ମାଧୢମରେ ସ˚ଯୋଗ କରାଯାଇଥାନ୍ତା। ଦୟା ନଦୀ କିମ୍ବା ପୁରୀ କେନାଲରେ ଇନଟେକ୍ େଵଲ୍ କରି ପାଣି ଆଣି ବିନ୍ଦୁ ସାଗରରେ ପଡ଼ିଥାନ୍ତା। ବିନ୍ଦୁସାଗରରେ ଏବେ ଯେତିକି ପାଣି ରହୁଛି ତାହା ଆବଶ୍ୟକତାଠାରୁ ପ୍ରାୟ ୨ଫୁଟ କମ୍ ରହୁଛି। ତେଣୁ ଏହି ପାଣି ମିଶିଲେ ଆଉଟଲେଟ୍ ଡ୍ରେନ୍ ସ୍ତରରେ ପାଣି ରହିବ। ଆଉ ଅପରିଷ୍କାର ପାଣି ନିଷ୍କାସନ ହୋଇପାରିବ। ଏଥିପାଇଁ ସ୍ବତନ୍ତ୍ର ଇରେଟର ଲାଗିଥାନ୍ତା। ଯାହା ପାଣିକୁ ନିୟମିତ ବ୍ୟବଧାନରେ ବିଶୁଦ୍ଧ କରିବ। ସେହିପରି ବିନ୍ଦୁସାଗରରେ ପୂଜା ତର୍ପଣ କରୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର କୁଣ୍ତ ରହିବ। ଏଥିରେ ଯାହା ଅପରିଷ୍କାର ଜିନିଷ ରହିବ ତାହାକୁ କାଢି ନୂଆ ପାଣି ମିଶାଯାଇଥାନ୍ତା। ହେଲେ ଏହା କେବଳ ଯୋଜନାରେ ରହିଗଲା। ବର୍ତ୍ତମାନର ପୂର୍ତ୍ତ ସଚିବ ବିଏମ୍ସି କମିସନର ଥିବା ସମୟରେ ବିନ୍ଦୁ ସାଗର ଏବଂ ଏହାର ଚତୁଃପାର୍ଶ୍ବ ଜଳାଶୟଗୁଡ଼ିକର ପୁନରୁଦ୍ଧାର ନେଇ ଏମିତି ଯୋଜନା କରିଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇପାରିଲାନି। ଏବେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓବିସିସି ବିନ୍ଦୁସାଗର ଓ ଏହା ଚତୁଃପାର୍ଶ୍ବ ପୁଷ୍କରିଣୀକୁ ନେଇ ଯୋଜନା କରିଛି। ଏହା କେତେଦୂର ସଫଳ ହେଉଛି ତାହା ଦେଖିବା ବାକି ରହିଲା।