ଏକାମ୍ରକାନନ ଫାର୍ମ ଜମି ବିବାଦ ଘନେଇଲା, ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଏକାମ୍ରକାନନ ଫାର୍ମର ୨୦.୧୯୨ ଏକର ଜମି ଫେରାଇ ନେବାକୁ ସାଧାରଣ ପ୍ରଶାସନ ବିଭାଗର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ଏହି ଜଙ୍ଗଲ ଜମିକୁ ରାଜ୍ୟ ସରକାର ବିକ୍ରି କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି, ତାହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି।

ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଛନ୍ତି ଯେ ଏକାମ୍ରକାନନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବଦାନ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ବର୍ଷ ହେଲା ଏହି ଫାର୍ମକୁ ଅବହେଳା କରିଆସିଛନ୍ତି। ଫାର୍ମର ଉନ୍ନତୀକରଣ ବଦଳରେ ରାଜ୍ୟ ସରକାର ଫାର୍ମ ଏବଂ ଏହା ନିକଟବର୍ତ୍ତୀ ଜଙ୍ଗଲ ଜମିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେବାକୁ ଚକ୍ରାନ୍ତ ଚଳାଇଛନ୍ତି। ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରରେ ଜମି ଦୁର୍ନୀତି ସବୁ ସୀମା ଟପିଛି। ଘଙ୍ଗାପାଟଣା ଜମି ଦୁର୍ନୀତି, ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଦୁର୍ନୀତି, ବଗଲା ଧର୍ମଶାଳା ଜମି ଦୁର୍ନୀତି ପ୍ରଭୃତି ରାଜ୍ୟ ସରକାରଙ୍କ ଜମି ଦୁର୍ନୀତିର କିଛି ଉଦାହରଣ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ ରାଜ୍ୟ ସରକାର ଯେତେ ଦୁର୍ନୀତି କରିଛନ୍ତି, ସେଥିରେ ଜମି ଦୁର୍ନୀତି ସବୁଠୁ ବଡ଼ ଦୁର୍ନୀତି। ପ୍ରାୟ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଏଥିରେ ହୋଇଛି। ଏବେ ରାଜ୍ୟ ସରକାର ଏକାମ୍ରକାନନ ଫାର୍ମ ଏବଂ ଏହା ସନ୍ନିକଟସ୍ଥ ଜଙ୍ଗଲ ଜମିକୁ ବିକ୍ରି କରିବାକୁ ଯୋଜନା କରିଛନ୍ତି। ଏହାଦ୍ବାରା ବିଜେଡିକୁ ସାହାଯ୍ୟ କରୁଥିବା କିଛି କର୍ପୋରେଟ୍ ସଂସ୍ଥା, ଅସାଧୁ ଅଫିସର ଓ ରାଜନେତା ଉପକୃତ ହେବେ। ସରକାରଙ୍କ ଏହି ହୀନ ଉଦ୍ୟମକୁ କଂଗ୍ରେସ ଦଳ ବରଦାସ୍ତ କରିବନି।

କେବଳ ଏତିକି ନୁହେଁ, ରାଜ୍ୟ ସରକାର ଖୋର୍ଦ୍ଧା ଓ ଭୁବନେଶ୍ବରର ଅନ୍ଧାରୁଆ, ଦାରୁଠେଙ୍ଗ, ଚନ୍ଦକା, କୁଜିମହଲ, ଦାସପୁର, କଣ୍ଟାବାଡ଼, ଗିରିଙ୍ଗାପୁର, ମେଣ୍ଢାଶାଳ, ପାଇକରାପୁର, ଛତାବର, ବେଲପଡ଼ା, ତରାବୋଇ, କୁମାରବସ୍ତ, ଜାଗମରା, ‌ବରମୁଣ୍ଡା ପ୍ରଭୃତି ଗ୍ରାମର ଖେଳପଡ଼ିଆ, ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ, ସ୍କୁଲ ପଡ଼ିଆ, ମଶାଣି ଜାଗାକୁ ମଧ୍ୟ ଦଖଲ କରିବା ପାଇଁ ଗ୍ରାମବାସୀଙ୍କ ଉପରେ ପୁଲିସ୍‌ ବଳପ୍ରୟୋଗ ଆରମ୍ଭ କରିଦେଇଛନ୍ତି। ଫଳରେ ଏହି ସବୁ ଗ୍ରାମରେ ଜନଅସନ୍ତୋଷ ସୃଷ୍ଟି ହେଲାଣି। ତେଣୁ କଂଗ୍ରେସ ଲୋକଙ୍କ ସହ ରହି ଲଢ଼େଇ ଜାରି ରଖିବ। କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ମନୋରଂଜନ ଦାଶ, ସଂଗ୍ରାମ କେଶରୀ ଜେନା, ମନ୍ମଥ ରାଉତରାୟ, ରଶ୍ମି ମହାପାତ୍ର, ପ୍ରକା‌ଶ ଜେନା, ରାଜୀବ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ରଂଜିତ ପାତ୍ର, ସ୍ବାଗତ କର, ୟାସିର ନୱାଜ, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ପ୍ରଣତି ମିଶ୍ର, ଶ୍ରୀୟା ମହାନ୍ତି, ଅମୀୟ ପାଣ୍ଡବ ପ୍ରମୁଖ ଭାଷଣ ଦେଇଥିଲେ। ସଂଗ୍ରାମ ରାଉତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର

Comments are closed.