ଏକାମ୍ରକ୍ଷେତ୍ର ଉନ୍ନତୀକରଣ ଯୋଜନା: ଅଡୁଆରେ ସରକାର

ହାଇକୋର୍ଟଙ୍କ ବିନା ଅନୁମତିରେ କୌଣସି ନିର୍ମାଣ ଭଙ୍ଗା ଯିବ ନାହିଁ, ଏଏସ୍‌ଆଇକୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ: ଏକାମ୍ରକ୍ଷେତ୍ର ଉନ୍ନତୀକରଣ ଯୋଜନା ପ୍ରସଙ୍ଗରେ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି। ହାଇକୋର୍ଟଙ୍କ ବିନା ଅନୁମତିରେ କୌଣସି ନିର୍ମାଣ ଆଉ ଭଙ୍ଗା ଯାଇ ପାରିବ ନାହିଁ। ‘ଏକାମ୍ରକ୍ଷେତ୍ର ଆମେନିଟିଜ୍ ଓ ମନୁମେଣ୍ଟ ରିଭାଇଭାଲ ଆକ୍ସନ ପ୍ଲାନ୍ ଅଧୀନ’ରେ ନିର୍ମାଣ ଉଚ୍ଛେଦ ଉପରେ ହାଇକୋର୍ଟ ୨୦୨୦, ନଭେମ୍ବର ୯ରେ ଜାରି କରିଥିବା ଅଙ୍କୁଶ ବଳବତ୍ତର ରହିଛି। ହାଇକୋର୍ଟଙ୍କ ବିନା ଅନୁମତିରେ ସରକାରଙ୍କ ପକ୍ଷରୁ ଆଉ କୌଣସି ନର୍ମାଣ ଭଙ୍ଗା ଯାଇପାରିବ ନାହିଁ ବୋଲି ନଭେମ୍ବର ୯ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଆଜି ହାଇକୋର୍ଟ ସଂପୂର୍ଣ୍ଣ ଭାବେ ବଳବତ୍ତର ରଖିଛନ୍ତି। ଏଥିସହ ଏହି ମାମଲାରେ ଜବାବ ଦାଖଲ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ଭୁବନେଶ୍ବର ସର୍କଲ ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୫କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଏକାମ୍ରକ୍ଷେତ୍ର ଉନ୍ନତୀକରଣ ଯୋଜନା ନାଁରେ ତାଙ୍କ ଘରକୁ ଭାଙ୍ଗି ଦେବାକୁ ପ୍ରଶାସନ ଧମକ ଦେଉଛି ବୋଲି ଦର୍ଶାଇ ଆବେଦନକାରୀ ଜେ. କର ନଭେମ୍ବର ପ୍ରଥମ ସପ୍ତାହରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିଜ ଜମି ଓ ଘର ହରାଉଥିବା ବ୍ୟକ୍ତିଙ୍କୁ ଆଇନ ଅନୁସାରେ ଥଇଥାନ କରିବା ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା କଥା। କିନ୍ତୁ ବିନା ଥଇଥାନ ଓ କ୍ଷତିପୂରଣରେ ପ୍ରଶାସନ ତାଙ୍କ ଘର ଉଚ୍ଛେଦ କରିବାକୁ ଧମକ ଦେଉଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ନଭେମ୍ବର ୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ଅଦାଲତଙ୍କ ବିନା ଅନୁମତିରେ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଓ ମନୁମେଣ୍ଟ ରିଭାଇଭାଲ ଆକ୍ସନ ପ୍ଲାନ୍ ଅଧୀନରେ ସରକାରଙ୍କ ପକ୍ଷରୁ ଆଉ କୌଣସି ନର୍ମାଣ ଭଙ୍ଗା ଯାଇ ପାରିବନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଆଇନଗତ ପ୍ରକ୍ରିୟା ଅନୁସରଣ ନ କରି କୌଣସି ନାଗରିକଙ୍କୁ ତାଙ୍କ ସଂପତ୍ତିରୁ ବଞ୍ଚିତ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ କହିଥିଲେ। ଏଥି ସହିତ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର