ଏକାମ୍ର ଯୋଜନା ଆଗେଇବାକୁ ବାଟ ଫିଟିଲା: ଉଚ୍ଛେଦ ଉପରୁ ଅଦାଲତି କଟକଣା ଉଠିଲା

ଭୁବନେଶ୍ବର: ଏକାମ୍ର ଉନ୍ନତୀକରଣ ଯୋଜନାରେ ଚାଲିଥିବା ଉଚ୍ଛେଦ ଅଭିଯାନ ଉପରୁ ଅଦାଲତି କଟକଣା ହଟିଛି। ନଭେମ୍ବର ମାସରେ ହାଇକୋର୍ଟ ଜାରି କରିଥିବା ଅନ୍ତରୀଣ ରହିତାଦେଶକୁ ଗତକାଲି ହାଇକୋର୍ଟ ଉଠାଇ ଦେଇଛନ୍ତି। ଏହା ସହ ଦୁଇଟି ମାମଲାରେ ରାୟ ଶୁଣାଇଛନ୍ତି। ପୂର୍ବରୁ ଆଉ ଦୁଇଟି ମାମଲାର ମଧ୍ୟ ବିଚାର ଶେଷ ହୋଇଛି। ଏକାମ୍ର ଯୋଜନା ସମ୍ପର୍କରେ ଆଉ ଗୋଟିଏ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଅଛି। ରହିତାଦେଶ ଉଠି ଯାଇଥିବାରୁ ଏକାମ୍ର ଯୋଜନାରେ କାମ ତ୍ବରାନ୍ବିତ ହୋଇପାରିବ।

ପୁରୁଣା ଭୁବନେଶ୍ବର ବାସିନ୍ଦା ଜନ୍ମେଞ୍ଜୟ କର ତାଙ୍କ ଘର ଉଚ୍ଛେଦକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ପ୍ରଶାସନ ବିରୋଧରେ ମାମଲା କରିଥିଲେ। ତାଙ୍କ ଅଭିଯୋଗ ଥିଲା ଯେ ଏଏସ୍‌ଆଇ ମାଲିକାନାରେ ଥିବା ଜମିରେ ତାଙ୍କ ପରିବାର ୭୦ ବର୍ଷ ହେଲା ରହି ଆସିଛନ୍ତି। ଏଏସ୍‌ଆଇ ୧୯୭୭ ମସିହାରେ ଏକ ଲିଖିତ ରସିଦ ଦେଇ ସେହି ଜମିରେ ରହିବା ପାଇଁ ଆବେଦନକାରୀଙ୍କ ବାପାଙ୍କୁ ଅନୁମତି ଦେଇଥିଲେ। ଏହା ପରେ ସେଠାରେ ଅସ୍ଥାୟୀ ଭାବେ ଘର ନିର୍ମାଣ ହୋଇଥିଲା। ସେହି ଘର ଭଙ୍ଗା ହେଲେ ଥଇଥାନ ପ୍ୟାକେଜ୍‌ରେ ଉଭୟ ଜମି ଓ ଘରର ମୂଲ୍ୟ ତାଙ୍କୁ ଦିଆଯିବାକୁ ସେ ଦାବି କରିଥିଲେ। ଆବେଦନକାରୀ ନଭେମ୍ବର ୯ ତାରିଖରେ ମାମଲା ଦାଖଲ କରିବା ପୂର୍ବ ଦିନ ଅର୍ଥାତ ନଭେମ୍ବର ୮ ତାରିଖରେ ଜିଲ୍ଲା ପ୍ରଶାସନ ତାଙ୍କ ଘର ଭାଙ୍ଗି ଦେଇଥିଲା ବୋଲି ଅଭିଯୋଗ କରିଥିଲେ। ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ହାଇକୋର୍ଟଙ୍କ ପକ୍ଷରୁ ଏକାମ୍ର ଯୋଜନାରେ ସମସ୍ତ ପ୍ରକାର ଉଚ୍ଛେଦ ଉପରେ ରହିତାଦେଶ ଜାରି କରାଯାଇଥିଲା।

ତେବେ ବିଏମ୍‌ସି ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା ଯେ ଆବେଦନକାରୀ ଏଏସ୍‌ଆଇ ଜମିକୁ ବେଆଇନ୍ ଭାବେ ଦଖଲ କରିଥିଲେ। ସଂପୃକ୍ତ ବ୍ୟକ୍ତି ୧୯୭୭ ମସିହାର ଯେଉଁ ଏଏସ୍‌ଆଇ ହାତଲେଖା ରସିଦ୍‌ ଦେଖାଉଛନ୍ତି, ତାହା ଆଦୌ ଠିକ୍ କାଗଜ ନୁହେଁ। ସେହି ରସିଦ୍‌ କିଏ ଓ କେଉଁ କ୍ଷମତା ବଳରେ ମଞ୍ଜୁର କରିଥିଲେ, ତାହା ଉଲ୍ଲେଖ ନାହିଁ। ସେଥିରେ ମଧ୍ୟ ଅଫିସିଆଲ୍‌ ସିଲ୍‌‌ ମରାଯାଇ ନାହିଁ। ତେବେ ସେଠାରେ ଅଭିଯୋଗକାରୀ ଯେଉଁ ନିର୍ମାଣ କରିଛନ୍ତି, ତାହା ବାବଦକୁ କ୍ଷତିପୂରଣ ଦେବା ପାଇଁ(ଏଏସ୍‌ଆଇର ମଞ୍ଜୁରି ନେଇ) ପୂର୍ତ୍ତ ବିଭାଗର ଅନୁମତି ଲୋଡ଼ାଯାଇଛି। ତେବେ ଆବେଦନକାରୀ ପାଲଟା ଅଭିଯୋଗ କରିଥିଲେ ଯେ ବିଏମ୍‌ସିର ଯୁକ୍ତି ସମ୍ପୂର୍ଣ୍ଣ ମିଥ୍ୟା। ହାତଲେଖା ରସିଦ୍‌ର ସତ୍ୟତା ଯାଞ୍ଚ୍‌ କରିବାର କ୍ଷମତା ବିଏମ୍‌ସି ଅଧିକାରୀଙ୍କର ନାହିଁ। ବିବାଦୀୟ ଜମିର ମାଲିକ ଏଏସ୍‌ଆଇ ହୋଇଥିବାରୁ କେବଳ କେନ୍ଦ୍ର ସରକାର ହିଁ ସେଠାରୁ ଉଚ୍ଛେଦ କରିପାରିବେ। ତେଣୁ ବିଏମ୍‌ସିର ଉଚ୍ଛେଦ ପଦକ୍ଷେପ ସମ୍ପୂର୍ଣ୍ଣ ଏକପାଖିଆ ଓ ବେଆଇନ।

ଯେତେହୁ ଆବେଦନକାରୀ ନିଜେ ସ୍ବୀକାର କରିଛନ୍ତି ଯେ ଜମି ଏଏସ୍‌ଆଇ ମାଲିକାନାରେ ଅଛି, ତେଣୁ ଆବେଦନକାରୀ ଜମି ବାବଦକୁ କ୍ଷତିପୂରଣ ପାଇବେ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଥିଲେ। ‌େଯହେତୁ ଆବେଦନକାରୀଙ୍କ ନିର୍ମାଣ ମୂଲ୍ୟର କ୍ଷତିପୂରଣ ଦେବାକୁ ପ୍ରକ୍ରିୟା ଜାରି ରହିଛି, ତେଣୁ ତାହାକୁ ବିଚାର କରି ଏପ୍ରିଲ୍‌ ୫ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଉଚ୍ଛେଦ ଉପରୁ ରହିଦାଦେଶ ଉଠାଇ ଦେଇଥିଲେ।

ଅନ୍ନପୂର୍ଣ୍ଣା ମହାପାତ୍ର ନାମକ ଜଣେ ମହିଳା ତାଙ୍କ ପାଚେରୀକୁ ବେଆଇନ ଭାବେ ଭଙ୍ଗାଯାଇଥିବାରୁ ହାଇକୋର୍ଟରେ ଆଉ ଏକ ମାମଲା କରିଥିଲେ। କୋର୍ଟ ଏହି ମାମଲାର ବିଚାର କରି ବିଏମ୍‌ସି ନିକଟରେ ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ବିସ୍ତୃତ ଅଭିଯୋଗପତ୍ର ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ପତ୍ର ପାଇଲା ପରେ ଏହାକୁ ବିଚାର କରି ଏପ୍ରିଲ୍‌ ୧୫ ତାରିଖ ଭିତରେ ବିଏମ୍‌ସି ଉପଯୁକ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିବା ସହ ମାମଲା ଶୁଣାଣିରେ ପୂର୍ଣ୍ଣଛେଦ ଟାଣିଛନ୍ତି।

ସମ୍ବନ୍ଧିତ ଖବର