ଭୁବନେଶ୍ୱର : ଆମର ଐତିହ୍ୟ ଯେତିକି ଗୌରବମୟ ବର୍ତମାନ ସେତିକି ପ୍ରାଚୁର୍ଯ୍ୟପୂର୍ଣ୍ଣ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ସାରା ଭାରତରେ ବିରଳ। ଯାହା ଆମକୁ ସମସ୍ତଙ୍କ ମଧ୍ୟରେ ଏକ ଅନନ୍ୟ ପରିଚୟ ଦେଇଛି। ଆମର ଭାଷା ସାହିତ୍ୟ, ସଂସ୍କୃତିକୁ ଆଗେଇ ନେବାରେ ଏପରି ପୁସ୍ତକମେଳାର ବଳିଷ୍ଠ ଭୂମିକା ରହିଛି। ଆଜି ଜନତା ମଇଦାନଠାରେ ସପ୍ତମ ଏକାମ୍ର ପୁସ୍ତକ ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ଏପରି ମତ ପ୍ରକାଶ ପାଇଛି।
ମହୋତ୍ସବ କମିଟିର ସଭାପତି ପୀତବାସ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଉଦ୍ଘାଟକ ଭାବେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଯୋଗ ଦେଇଥିଲେ। ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ‘ନାଲ୍କୋ’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ତପନ କୁମାର ଚାନ୍ଦ, ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ ଓ ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଡ. ତପନ କୁମାର ଚାନ୍ଦଙ୍କୁ ଡ. କବିପ୍ରସାଦ ମିଶ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉପସଭାପତି ଡ. ଅଭୟ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଭାସ୍କର ଜେନା ଧନ୍ୟବାଦ ଦେଇଥିଲେ।
ପୁସ୍ତକମେଳା ମଞ୍ଚରେ ବିଦ୍ୟୁତ୍ପ୍ରଭା ଗନ୍ତାୟତଙ୍କ ପୁସ୍ତକ ‘ଅତୀତର ଚଳଚ୍ଚିତ୍ର’, ରୀନା ମହାପାତ୍ରଙ୍କ ‘ଆହତ ପକ୍ଷୀର ସ୍ୱର’, ସୌଦାମିନୀ ପରିଡ଼ାଙ୍କ ‘ଅମିତ୍ରାକ୍ଷର’ ଓ କାଳିନ୍ଦୀ ଭଞ୍ଜଙ୍କ ‘ଜୀବନର ରଙ୍ଗ’ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ସେହିପରି ଶ୍ରୀ ଜଗନ୍ନାଥଙ୍କ ଉପରେ ଶାନ୍ତନ୍ତୁ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘ଦ ହେରିଟେଜ୍ ଅଫ୍ ଲର୍ଡ ଜଗନ୍ନାଥ ଡ୍ୟୁରିଙ୍ଗ୍ ୧୩୩୧ଇନ୍ ଚିଲିକା ଲେକ୍’ ସିଡି ଲୋକର୍ପଣ ସହ ପୁସ୍ତକ ମେଳା ମଞ୍ଚରେ ପ୍ରଦର୍ଶିତ ହୋଇଥିଲା।
ଏହି ପୁସ୍ତକମେଳା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମେଳାରେ ସମୁଦାୟ ୧୫୦ଟି ଷ୍ଟଲ୍ ରହିଛି। ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ପରିିସର ଖୋଲା ରହିବ।
ପାଠକ ଓ ଲେଖକଙ୍କ ମଧ୍ୟରେ ସମ୍ପର୍କର ସେତୁ
ପାଠକ ଓ ଲେଖକଙ୍କ ମଧ୍ୟରେ ସଂପର୍କର ସେତୁ ସ୍ଥାପନ ପାଇଁ ପୁସ୍ତକମେଳାରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟଙ୍କ ଲେଖାର ମୁଗ୍ଧ ପାଠକ ଗୁରୁ ରାଉତରାୟ ଓ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଲେଖାର ମୁଗ୍ଧ ପାଠକ ପ୍ରତାପ କୁମାର ନାୟକଙ୍କୁ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତାକାଲି ମଧ୍ୟ ଏ ସଂପର୍କିତ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/ekamra-pustak-2.jpg)