ଏକାମ୍ର ପୁସ୍ତକ ମହୋତ୍ସବରେ ବ୍ୟଙ୍ଗ ସନ୍ଧ୍ୟା : ବ୍ୟଙ୍ଗ ମାଧ୍ୟମରେ ସଂସ୍କାର ଆସିପାରିବ

ଡ.କୁଳାଙ୍ଗାରଙ୍କୁ ଗନ୍ତାୟତ ଶିବପ୍ରସାଦ ସମ୍ମାନ

ଭୁବନେଶ୍ୱର : ହାସ୍ୟ ସାହିତ୍ୟ ବ୍ୟତିକ୍ରମର ଅନୁସନ୍ଧାନ କରେ। ଏହି ହାସ୍ୟ ତଥା ବ୍ୟଙ୍ଗ କଥା ସମାଜକୁ ହସିବାର ଖୋରାକ ଯୋଗାଏ। ମାତ୍ର ବ୍ୟଙ୍ଗ ସାହିତ୍ୟକୁ ଗ୍ରହଣ କରିବାର ମାନସିକତା ଓଡ଼ିଆ ଜାତିର ହୋଇନାହିଁ। ଗ୍ରହଣୀୟ ନହେଲେ ମଧ୍ୟ ବ୍ୟଙ୍ଗ ସାହିତ୍ୟିକମାନେ ଏକ ନୂଆ ଏଜେଣ୍ଡା ତିଆରି କରିବାକୁ ପଡ଼ିବ। ବିଶେଷକରି ରାଜନୀତି କ୍ଷେତ୍ରରେ ନିର୍ଦିଷ୍ଟ ଏଜେଣ୍ଡା ପ୍ରସ୍ତୁତ କରାଯାଇପାରିଲେ ଏହା ମାଧ୍ୟମରେ ସମାଜ ସଂସ୍କାର ଅଣାଯାଇପାରିବ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ଏକାମ୍ର ପୁସ୍ତକ ମହୋତ୍ସବ କମିଟି ଆନୁକୂଲ୍ୟରେ ଆୟୋଜିତ ଏକାମ୍ର ପୁସ୍ତକ ମେଳା ମଞ୍ଚର ‘ବ୍ୟଙ୍ଗ ସନ୍ଧ୍ୟା’ରେ ଶ୍ରୀ ପଟ୍ଟନାୟକ ଏପରି ସମ୍ଭାଷଣ ରଖି କହିଲେ, ସାହିତ୍ୟିକର ପ୍ରକୃତ ପୁରସ୍କାର ପାଠକଙ୍କ ପାଖରୁ ମିଳେ। ତେଣୁ ରାଷ୍ଟ୍ର କୃପାକୁ ଦୃଷ୍ଟିରେ ନରଖି ସେମାନେ ସୃଜନ ସୃଷ୍ଟି କରିଚାଲନ୍ତୁ। ସ୍ୱୀକୃତି, ସମ୍ମାନ ଓ ପୁରସ୍କାର ତାଙ୍କୁ ଅବଶ୍ୟ ମିଳିବ।

ଉତ୍କଳ ସାହିତ୍ୟ ସମାଜର ସଭାପତି ଡ.ବିଜୟାନନ୍ଦ ସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ହସର ଅଭାବ ଆଜି ବିଶ୍ୱକୁ ଚାପଗ୍ରସ୍ତ କରିଛି। ହସ ହିଁ ସମସ୍ତ ସମସ୍ୟା ସମାଧାନର ସରଳ ସୂତ୍ର ବୋଲି ସେ କହିଥିଲେ। ଏହି ଅବସରରେ ଲୋକପ୍ରିୟ ହାସ୍ୟକବି ସ୍ୱର୍ଗତ ଗନ୍ତାୟତ ଶିବପ୍ରସାଦଙ୍କ ସ୍ମୃତିରେ ଦିଆଯାଇଥିବା ପୁରସ୍କାର ଲାଭ କରିଥିଲେ ବ୍ୟଙ୍ଗକବି ଡ.କୁଳାଙ୍ଗାର। ‘ପଞ୍ଚବଟି’ର ସମ୍ପାଦକ ସୁଶାନ୍ତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗନ୍ତାୟତ ଶିବପ୍ରସାଦଙ୍କ ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ମହୋତ୍ସବ କମିଟିର ସଭାପତି ପୀତବାସ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ଦେଇଥିଲେ ଉପସଭାପତି ଅଭୟ କୁମାର ନାୟକ। ଶେଷରେ ସମ୍ପାଦକ ଭାସ୍କର ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭ୍ୟା ବିମଳା ସିଂହ ମାନପତ୍ର ପାଠ କରିଥିଲେ।

ପରେ ଡ. କୁଳାଙ୍ଗାରଙ୍କ ସଂଯୋଜନାରେ ସତ୍ୟାନାଶ, ବ୍ରଜବିହାରୀ ସୁବୁଦ୍ଧି, ହୁଙ୍କାପିଟା, ଶ୍ରୀଶ୍ରୀ ହୁଗୁଳା, କବି ଦୁର୍ବଳିଆ, ଡ.ରମାକାନ୍ତ ମହାପାତ୍ର, ଶାନ୍ତନୁ ପାଣିଗ୍ରାହୀ ଏବଂ ମିଷ୍ଟର ଭାଇରସ୍‌ ତଥା ଗିରୀଶ ଚନ୍ଦ୍ର ସାହୁ ହାସ୍ୟରସରେ ଶ୍ରୋତାଙ୍କୁ ଆପ୍ୟାୟିତ କରିଥିଲେ।

ସମ୍ବନ୍ଧିତ ଖବର