ଏକାମ୍ରରେ ଚିତ୍ର ସ୍ପଷ୍ଟ : ତ୍ରିମୁଖୀ ଲଢ଼େଇ ଜମିବ

ଅଶୋକ ପଣ୍ଡାଙ୍କୁ ଲଗାତର ତୃତୀୟ ଥର ଟିକେଟ୍‌ ମିଳିଲା

ବିଜେପି ପାଇଁ ଅମୀୟ ଅଡ଼ୁଆ, କଂଗ୍ରେସରେ ନୂଆ ମୁହଁ

ମଧ୍ୟ, ଉତ୍ତର ନିର୍ବାଚନମଣ୍ଡଳୀ ଚିତ୍ର ସ୍ପଷ୍ଟ ହୋଇନି

ଉତ୍ତରକୁ ନେଇ ବିଜେପିର ଆଭିମୁଖ୍ୟ ଉତ୍କଣ୍ଠା ବଢ଼ାଉଛି

ଭୁବନେଶ୍ବର : ଏକାମ୍ରରେ ହେବ ତ୍ରିମୁଖୀ ଲଢ଼େଇ। ଏଠାରେ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ସରିଛି। ଏବେ ସମସ୍ତଙ୍କ ନଜର ଉତ୍ତର ଓ ମଧ୍ୟ ନିର୍ବାଚନମଣ୍ଡଳୀ ଉପରେ। ଉତ୍ତରରେ ତିନିଟି ଯାକ ଦଳ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ମଧ୍ୟରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଝୁଲାଇ ରଖିଛନ୍ତି। ଗୋଟିଏ ପଟେ ଭୁବନେଶ୍ବର ଲୋକସଭାରେ ଲଢ଼େଇ ଚିତ୍ର ସ୍ପଷ୍ଟ ହୋଇଥିଲା ବେଳେ ବିଧାନସଭା ପାଇଁ ସବୁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ପ୍ରଚାର ଜମିବ।

ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଆଜି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନାମ ଘୋଷଣା କରିଛି। ଲଗାତର ତୃତୀୟ ଥର ପାଇଁ ମଇଦାନକୁ ଓହ୍ଲାଇବେ ଶ୍ରୀ ପଣ୍ଡା। ଗତ ଦୁଇଟି ନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଥିବା ଶ୍ରୀ ପଣ୍ଡା ଏଥର କିପରି ପ୍ରଦର୍ଶନ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆହୁରି ମଧ୍ୟ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାତଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ନିର୍ବାଚନରେ ବିଜେଡି ଜିତିଥିଲେ ବି ଶ୍ରୀ ପଣ୍ଡା ୨୦୧୪ରେ ଏକମାତ୍ର ବିଧାୟକ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ୨୦୧୭ରେ ଜୟଦେବ ବିଧାୟକ ଶଶିଭୂଷଣ ବେହେରା ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ବି ଶ୍ରୀ ପଣ୍ଡା ତାଙ୍କ ପଦ ବଜାୟ ରଖିଥିଲେ। ତେଣୁ ୫ ବର୍ଷ ମନ୍ତ୍ରୀ ଥିବାରୁ ତାଙ୍କର ପ୍ରଦର୍ଶନ ଦଳ ପାଇଁ ବେଶ୍‌ ଗୁରୁତ୍ବ ବହନ କରୁଛି।

ବିଜେଡି ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କୁ କଡ଼ା ମୁକାବିଲା କରିବାକୁ ବିଜେପି ଓ କଂଗ୍ରେସ ଜୋର୍‌ଦାର୍ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ବିଜେପି ପ୍ରାର୍ଥୀ ବାବୁ ସିଂହ ଦଳ ଭିତରୁ ବିଦ୍ରୋହର ସାମ୍ନା କରିଛନ୍ତି। ତାଙ୍କ ପ୍ରାର୍ଥିତ୍ବକୁ ନେଇ ଦଳ ଭିତରେ ଆରମ୍ଭ ହୋଇଥିବା ବିବାଦ ଏ ଯାଏ ସମାଧାନ ହୋଇପାରୁନି। ଶ୍ରୀ ସିଂହ ପ୍ରଚାର ଆରମ୍ଭ କରିଥିଲେ ବି ଟିକେଟ୍‌ ପାଇଁ ଅନ୍ୟତମ ଦାବିଦାର ଅମୀୟ ଦାଶଙ୍କ ସମର୍ଥକମାନେ ତାଙ୍କୁ ସହଯୋଗ କରି ନାହାନ୍ତି। ଆଜି ମଧ୍ୟ ଅମୀୟ ଦାଶଙ୍କ ଶତାଧିକ ସମର୍ଥକ ଏକାଠି ହୋଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ। ଶ୍ରୀ ଦାଶ ଯାହା ନିଷ୍ପତ୍ତି ନେବେ, ସେଥିରେ ସେମାନଙ୍କ ସମର୍ଥନ ରହିବ ବୋଲି ସମର୍ଥକମାନେ ଘୋଷଣା କରିଥିଲେ। କିନ୍ତୁ ଶ୍ରୀ ଦାଶଙ୍କ ଆଭିମୁଖ୍ୟ କ’ଣ ହେବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଉ ନାହିଁ। ଆଜି ବିଜେପିର କିଛି ବରିଷ୍ଠ ନେତା ଶ୍ରୀ ଦାଶଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିବା ସୂଚନା ମିଳିଛି। ଅପର ପକ୍ଷରେ ଅମୀୟଙ୍କୁ ବାଦ୍ ଦେଇ ବାବୁ ସିଂହ ତାଙ୍କ ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ଆଜି ସେ ଏକ କର୍ମୀ ସମ୍ମିଳନୀ ଆୟୋଜନ କରିବା ସହ ସ୍ଥାନୀୟ ଯୁବକ, ମହିଳାମାନଙ୍କୁ ବିଜେପିରେ ମିଶାଇଥିଲେ। ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କଂଗ୍ରେସ ପ୍ରାର୍ଥୀ ରଶ୍ମୀ ମହାପାତ୍ରଙ୍କ ନାମ ଦଳ ଘୋଷଣା କରିସାରିଥିବାରୁ ସେ ମଧ୍ୟ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଗତ ଦୁଇଟି ନିର୍ବାଚନମରେ ଶ୍ରୀମତୀ ମହାପାତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଆଖିଦୃଶିଆ ସଫଳତା ପାଇ ନ ଥିଲେ। ଏଥର କଂଗ୍ରେସ ପ୍ରାର୍ଥୀ ଭାବେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ‌େଗାଟିଏ ଗୋଷ୍ଠୀ କଂଗ୍ରେସ ଭବନରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ତେବେ ଏକାମ୍ରରେ କଂଗ୍ରେସ ସଂଗଠନ ଏତେଟା ସୁଦୃଢ଼ ନ ଥିବାରୁ ଶ୍ରୀମତୀ ମହାପାତ୍ର ବିରୋଧୀଙ୍କୁ ମୁକାବିଲା କରିବାକୁ କିପରି ରଣନୀତି ଆପଣାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଏକାମ୍ରରେ ଲଢ଼େଇ ଚିତ୍ର ସ୍ପଷ୍ଟ ହୋଇଥିଲା ବେଳେ ଉତ୍ତର ଓ ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ଦୁଇ ଜଣ ବିଜେଡି ବିଧାୟକ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ଉଭୟଙ୍କୁ ଏଥର ପୁନର୍ବାର ଟିକେଟ୍‌ ଦିଆଯିବ ନା ନୂଆ ମୁହଁ ଉପରେ ସୁପ୍ରିମୋ ଭରସା କରିବେ, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଦୁଇଟି ଆସନ ପାଇଁ ଏକାଧିକ ଆଶାୟୀ ନିଜ ନିଜ ବାଟରେ ଜୋର୍‌ଦାର୍ ଲବି ଚଳାଇଛନ୍ତି। ବିଜେପି ମଧ୍ୟ ନିର୍ବାଚନମଣ୍ଡଳୀରେ ଗତ ଥରର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପୁନର୍ବାର ଟିକେଟ୍‌ ଦେଇଛି। କିନ୍ତୁ ଭୁବନେଶ୍ବର ଲୋକସଭା ଅନ୍ତର୍ଗତ ୭ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ଟିରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ବି ଉତ୍ତର ଭୁବନେଶ୍ବରରେ ଘୋଷଣା କରି ନାହିଁ। ତେଣୁ ବିଜେପି ଏହି ଆସନ ପାଇଁ କାହାକୁ ଅପେକ୍ଷା କରିଛି, ତାହା ଏବେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ବିଜେଡି ପ୍ରାର୍ଥୀ ଘୋଷଣାକୁ ବିଜେପି ଅପେକ୍ଷା କରିଥିବା କୁହାଯାଉଛି। ବିଜେଡି ଜଣେ ଦୁଇ ଜଣ ନେତା ବିଜେପି ସହ ଯୋଗାଯୋଗରେ ଥିବାରୁ ଶେଷ ମୂହୁର୍ତ୍ତରେ ଦଳ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ। କଂଗ୍ରେସ ଉଭୟ ମଧ୍ୟ ଓ ଉତ୍ତର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ।

ସମ୍ବନ୍ଧିତ ଖବର