‘ଜାତୀୟ ଢାଞ୍ଚାରେ ପ୍ରସ୍ତୁତ ହେଉଛି ରାଜ୍ୟ ଶିକ୍ଷା ନୀତି’

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପାଇଁ ଦକ୍ଷ ଓ ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକ। ଶିକ୍ଷକମାନେ ନୂଆ ଜ୍ଞାନକୌଶଳ ବିଷୟରେ ଅବଗତ ହେବାକୁ ପଡ଼ିବ। ଏଥିସହ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ବ୍ୟବସ୍ଥା ମଜଭୁତ କରିବାକୁ ହେଲେ ଶିକ୍ଷକ ତାଲିମ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦରକାର ବୋଲି ‘ପ୍ରାଥମିକ ଶିକ୍ଷାର ବିକାଶ: ନବସୃଜନ ଓ ସୁଯୋଗ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାରେ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି।

ପିପୁଲସ କଲଚରାଲ ସେଣ୍ଟର(ପିକକ୍‌) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍‌ସିଇଆରଟି ନିର୍ଦେଶକ ମନୋଜ କୁମାର ପାଢ଼ୀ ଯୋଗଦେଇ କହିଲେ, ଜାତୀୟ ଶିକ୍ଷାନୀତି ଢାଞ୍ଚାର ଓଡ଼ିଶାରେ ନୂଆ ଶିକ୍ଷାନୀତି ପ୍ରସ୍ତୁତି ଚାଲିଛି। ସମସ୍ତ ପିଲାଙ୍କୁ ବିଦ୍ୟାଳୟକୁ ଆଣିବା, ଅଧାରୁ ପାଠ ଛାଡ଼ୁଥିବା(ଡ୍ରପ ଆଉଟ) ହାର ରୋକିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାଠ ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି ନିମନ୍ତେ ୩୧୪ ବ୍ଲକରେ ଗୋଟିଏ ଲେଖାଏଁ ମୂଳ ସାକ୍ଷରତା କେନ୍ଦ୍ର ଖୋଲା ଯାଇଛି। ରାଜ୍ୟ ସରକାର ଏବେ ଶିକ୍ଷକ ତାଲିମକୁ ଅଗ୍ରାଧିକାର ଦେଉଛନ୍ତି। ବିଶେଷକରି ପ୍ରାଥମିକସ୍ତରରୁ ପିଲାଙ୍କ ଶିକ୍ଷାର ମୂଳଦୂଆ ସୁଦୃଢ଼ କରିବାକୁ ବିଭାଗ ସହିତ ସମାଜର ସବୁ ସ୍ତରରେ ମିଳିତ ଉଦ୍ୟମ ଆବଶ୍ୟକ।

ପୂର୍ବତନ ସୂଚନା ଆୟୁକ୍ତ ତଥା ସିୱାଇଏସଡିର ସହ-ପ୍ରତିଷ୍ଠାତା ଜଗଦାନନ୍ଦ ଯୋଗଦେଇ ପିଲାଙ୍କୁ ଉନ୍ନତ ଶିକ୍ଷାଦାନ ପାଇଁ ଶିକ୍ଷକମାନଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ ମଜଭୁତ କରିବାକୁ ପଡ଼ିବ ବୋଲି ମତପ୍ରକାଶ କରିଥିଲେ। ପିକ୍‌କ ସମ୍ପାଦକ ରଞ୍ଜନ କୁମାର ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ପ୍ରାଥମିକ ଶିକ୍ଷାକୁ କିପରି ଆହୁରି ବିକଶିତ କରାଯାଇପାରିବ, ସେନେଇ ଆଲୋଚନା କରିଥିଲେ। ଭଦ୍ରକ ଡିଆଇଟିର ଅବସରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାସ, ଏନ୍‌ଆଇସିର ପୂର୍ବତନ ନିର୍ଦ୍ଦେଶକ ରବିନାରାୟଣ ବେହେରା, ପୋଖରୀପୁଟ ଡିଏଭି ଶିକ୍ଷୟିତ୍ରୀ ସ୍ମରଣିକା ପଟ୍ଟନାୟକ, ମୋ ସ୍କୁଲ ଅଭିଯାନର ଉପନିର୍ଦେଶିକା ସସ୍ମିତା ମାଳି ପ୍ରମୁଖ ଯୋଗଦେଇ ସମସ୍ତଙ୍କ ସହଭାଗିତାରେ ବିଦ୍ୟାଳୟ ଭିତ୍ତିଭୂମି ସହିତ ଶୈକ୍ଷିକ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।

ମୀନାକ୍ଷୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିକ୍‌କର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଶିକ୍ଷାବିତ୍‌ ସନ୍ତୋଷ କୁମାର ପରିଡ଼ା, ବିଜିଭିଏସ୍‌ର ଉଷାରାଣୀ ବେହେରା, ଓଭାର କ୍ଷମାକର ସ୍ୱାଇଁ, ପିକକର ଅଳ୍ପନା ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର