କରୋନା ଛଡ଼ାଇନେଲା ରୋଜଗାର: ଦୟନୀୟ ଅବସ୍ଥାରେ ବୃଦ୍ଧ ଦମ୍ପତି

ପୁଅ ପଚାରିଲାନି, ସରକାରୀ ସହାୟତା ବି ମିଳୁନି

ବାଲିଅନ୍ତା : ପୁଅ ପଚାରିଲା ନାହିଁ। ସ୍ତ୍ରୀ ପିଲା ଧରି ଅନ୍ୟତ୍ର ରହିଲା। ବୁଢ଼ା ବାପା ଶ୍ବାସରୋଗରେ ପୀଡ଼ିତ ହେବା ପରେ କୌଣସି ଶାରୀରିକ କାମ ଧନ୍ଦା କରିପାରିଲେ ନାହିଁ। ତେଣୁ ବୁଢ଼ାବୁଢ଼ୀ ପାନ ଦୋକାନଟିଏ କରି ଦି’ ପଇସା ରୋଜଗାର କରି ଚଳି ଯାଉଥିଲେ। ଏବେ କରୋନା କଟକଣା ପାଇଁ ଦୋକାନ ବନ୍ଦ। ପଇସାଟିଏ ରୋଜଗାର ନାହିଁ। ଶ୍ବାସ ପାଇଁ ଔଷଧ ସେବନ ବାଧାପ୍ରାପ୍ତ ହେବାରୁ ରୋଗ ବଢ଼ି ଯାଇଛି। ଏମିତି ହିନିମାନ ଅବସ୍ଥାରେ ପଡ଼ିଥିବା ବୁଢ଼ାବୁଢ଼ୀଙ୍କୁ କୌଣସି ସରକାରୀ ସହାୟତା ମିଳି ନାହିଁ। ଏମିତିକି କୋଭିଡ୍‌ ସଂକଟ ବେଳେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କାଣିଚାଏ ସହଯୋଗ ମିଳିନାହିଁ। ତେଣୁ ବଡ଼ ଅସହାୟ ଅବସ୍ଥାରେ ଓଳିଏ ଖାଇଲେ ଓଳିଏ ଉପାସରେ ଭୁବନପୁର ରାସ୍ତାକଡ଼ରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି ବିଦେଶୀ ଓ ତିଳୋତ୍ତମା।

ବିଦେଶୀ ଓ ତିଳୋତ୍ତମା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ ୨୦ବର୍ଷ ତଳେ ଭୁବନେଶ୍ବର ଚାଲି ଆସିଥିଲେ। ଏଠାରେ ବାଲି ସିମେଣ୍ଟ କାମ କରି ପରିବାର ଚଳାଉଥିଲେ। ବୟସ ବଢ଼ିବା ସହ ବିଦେଶୀଙ୍କର ଶ୍ବାସରୋଗ ବାହାରିବାରୁ ଆଉ କାମ କରିବାକୁ ଯାଇ ପାରିଲେ ନାହିଁ। ଏତିକିବେଳେ ଏକମାତ୍ର ପୁଅ ଜିତୁ ତା’ ପିଲା ଛୁଆଙ୍କୁ ନେଇ ଶ୍ବଶୁର ଘରକୁ ଚାଲିଗଲା। ଫଳରେ ୩ ବର୍ଷ ହେଲା ସେମାନେ ଭୁବନପୁର ରାସ୍ତାକଡ଼ରେ ପାନ ଦୋକାଟିଏ କରି ଚଳି ଯାଉଥିଲେ। ତାଲାବନ୍ଦ ଯୋଗୁଁ ଏବେ ଦୋକାନ ବନ୍ଦ। ରାସନ ସାମଗ୍ରୀ ପାଇବା ଆଶ‌ାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ିଲେ ମଧ୍ୟ ରାସନ୍ କାର୍ଡ ନଥିବାରୁ କିଛି ମିଳୁନି। ତହସିଲଦାରଙ୍କ ସୂଚନାନୁସାରେ, କୋଭିଡ୍ ସମୟରେ ଅସହାୟଙ୍କୁ ରାସନ୍ ସାମଗ୍ରୀ ଯୋଗାଇ ହେବ। କିନ୍ତୁ ଏହି ବ୍ୟବସ୍ଥାରୁ ବୃଦ୍ଧ ଦମ୍ପତି ବାଦ୍ ପଡ଼ିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହୁଥିଲେ ମୋ:୯୬୬୮୭୬୭୦୨୬ରେ ଯୋଯୋଗ କରିବାକୁ ବିଦେଶୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର