ବାଲିଅନ୍ତା ବଜାର/ବାଲିପାଟଣା: ଆଜି ଗୋପ ବ୍ରାଞ୍ଚ୍ କେନାଲରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାକରୁଦ୍ରପୁର ସଦାସିମୂଲ ଗାଁର କୈଳାସ ହାତୀ(୭୦)। କାକରୁଦ୍ରପୁରରୁ ଭାସି ଯାଇଥିଲେ ହେଁ ତାଙ୍କ ମୃତଦେହ ବାଲିପାଟଣା ବାଇଁଲୋ ନିକଟରୁ ମିଳିଥିଲା। ବାଲିପାଟଣା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍କୁ ପଠାଇଛି। ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ କୈଳାସ ଶୌଚ ହେବା ପାଇଁ କେନାଲକୁ ଯାଇଥିଲେ।
ଅନୁମାନ କରାଯାଉଛି କି ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜିଥିଲେ। କେନାଲ ତୁଠରେ ତାଙ୍କ ବାଡ଼ି ଓ ଗାମୁଛା ଦେଖିବା ପରେ ସେ ଭାସି ଯାଇଥିବା ସନ୍ଦେହ ହୋଇଥିଲା। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲା। ସନ୍ଧ୍ୟା ହେବାରୁ ଅଗ୍ନିଶମ ବାହିନୀ ଫେରିଯାଇଥିଲେ। କିନ୍ତୁ ରାତି ପ୍ରାୟ ସାଢ଼େ ୯ଟା ବେଳେ ବାଲିପାଟଣା ବାଇଁଲୋ ହନୁମାନ ମନ୍ଦିର ନିକଟରେ କେନାଲରେ ଜଣେ ବୃଦ୍ଧଙ୍କ ମୃତଦେହ ଲାଗିଥିବା ଦେଖିବାକୁ ମିଳିଥିଲା। ପରେ ଜଣାପଡ଼ିଲା ଯେ ତାହା କୈଳାସଙ୍କ ମୃତଦେହ।