କୋଭିଡ୍‌ ଆମ୍ବୁଲାନ୍ସ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଦୁର୍ଘଟଣାରେ ଯୁବକ ମୃତ

ବାଲିଅନ୍ତା : ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଭାର୍ଗବୀ ବ୍ରିଜ୍‌ ଉପରେ ଏକ ଦ୍ରୁତଗାମୀ କୋଭିଡ୍‌ ଆମ୍ବୁଲାନ୍ସ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଧଉଳି ଥାନା ଅଧୀନ ଲିଙ୍ଗିପୁର ଅଞ୍ଚଳର ନରେନ୍ଦ୍ର ସାହୁ (୬୬)। ବାଳକାଟି ଫାଣ୍ଡି ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଆମ୍ବୁଲାନ୍‌ସ(ଓଡି୦୨ବିଏମ୍‌-୪୯୩୬)କୁ ପୁଲିସ ଜବତ କରିବା ସହ ଚାଳକକୁ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାନୁଯାୟୀ, ନରେନ୍ଦ୍ର ଏକ ସ୍କୁଟି (ଓଆର ୦୨ ବିଏଚ୍‌ ୭୭୦୬) ଯୋଗେ ବାଳକାଟିରୁ ଘରକୁ ଫେରୁଥିଲେ। ସେ ଭାର୍ଗବୀ ବ୍ରିଜ୍‌ ଉପରେ ପହଞ୍ଚିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କୋଭିଡ୍‌ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ସହ ନରେନ୍ଦ୍ର ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବାଳକାଟି ଫାଣ୍ଡି ଅଧିକାରୀ ମମତାଜ୍‌ ଅଲ୍ଲୀ ଖାଁ ତାଙ୍କୁ ପିସିଆର୍‌ ଭ୍ୟାନ୍‌ରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ନରେନ୍ଦ୍ରଙ୍କର ମୃତ୍ୟୁ ହୋଇଯାଇଥିଲା।

ଦୁର୍ଘଟଣାରେ ଯୁବକ ମୃତ
ଭୁବନେଶ୍ବର : ଗତ ବିଳମ୍ବିତ ରାତିରେ ରସୁଲଗଡ଼ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି, ନୟାଗଡ଼ ରଣପୁରର ଦୁର୍ଗାପ୍ରସାଦ ସାହୁ। ରାତି ପ୍ରାୟ ୨ଟା ବେଳେ ରାସ୍ତାକଡ଼ରୁ ପିସିଆର୍‌ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ ନେଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାସ୍ତାକଡ଼ରେ ପଡ଼ିଥିବା ବୁଲେଟ୍‌କୁ ମଞ୍ଚେଶ୍ବର ଥାନା ପୁଲିସ ଜବତ କରିବା ସହ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି।

ସୂଚନା ମୁତାବକ, ଦୁର୍ଗା କଳାରାହାଙ୍ଗରେ ରହି ବମିଖାଲରେ ଥିବା ଏକ ମଲ୍‌ରେ ମ୍ୟାନେଜର୍‌ ଭାବେ କାମ କରୁଥିଲେ। ଗତ ରାତିରେ ସେ ବୁଲେଟ୍‌ ଯୋଗେ ତାଙ୍କ ବନ୍ଧୁଙ୍କ ଘରୁ ଫେରୁଥିଲେ। ପଳାସୁଣିରୁ ରସୁଲଗଡ଼ ଆସିବା ‌ବେଳେ ଖରାପ ରାସ୍ତାରେ ତାଙ୍କ ଗାଡ଼ି ଖସି ଯାଇଥିଲା। ଦ୍ରୁତ ଗତିରେ ଆସୁଥିବାରୁ ସେ ରାସ୍ତା ଉପରେ କିଛି ବାଟ ଛିଟିକି ପଡ଼ିଥିଲେ। ମୁଣ୍ଡରେ ଗୁରୁତର ଆଘାତ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା।

ସମ୍ବନ୍ଧିତ ଖବର