ଚନ୍ଦ୍ରଶେଖରପୁର: ବିନ୍ଦୁସାଗର ପୁଷ୍କରିଣୀର ବର୍ଜ୍ୟବସ୍ତୁରୁ ବିଜୁଳି ପ୍ରସ୍ତୁତିର ଏକ ପ୍ରକଳ୍ପ ନିର୍ମାଣ କରାଯିବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି (ଆଇସିଟି)- ଭାରତୀୟ ତୈଳ ନିଗମ (ଆଇଓସି) ମିଳିତ ଭାବେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ସହଯୋଗରେ ଏହାକୁ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି। ଆଇସିଟି, ମୁମ୍ବାଇର ଭୁବନେଶ୍ୱର କ୍ୟାମ୍ପସରେ ପାଠପଢ଼ାର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି। ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଲେ ଦେଶର ଜିଡିପିର ଦ୍ରୁତ ବିକାଶ ପାଇଁ ପୂର୍ବ ଭାରତରେ ବିକାଶ ଯାତ୍ରାକୁ ପ୍ରାଥମିକତା ଦିଆଯାଉଛି। ସ୍ଥାନୀୟ ମାନବ ସମ୍ବଳ, ପ୍ରାକୃତିକ ସମ୍ପଦ ତଥା ଅନ୍ୟାନ୍ୟ ଉତ୍ପାଦର ବ୍ୟବହାରରେ ବିକାଶକୁ ଆଗକୁ ନେଇ ହେବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମ ଟେକ୍ନୋଲୋଜି ଡେରାଡୁନରୁ ପ୍ରସ୍ତୁତ ବାୟୋ ଫୁଏଲରେ ସ୍ପାଇସ ଜେଟ୍ର ବିମାନ ଡେରାଡୁନରୁ ଦିଲ୍ଲୀ ପରୀକ୍ଷଣ ଯାତ୍ରା କରି ସାରିଛି। ଆଇସିଟି ମୁମ୍ବାଇର ଲାବୋରେଟାରିରେ ପ୍ରାକୃତିକ ବର୍ଜ୍ୟବସ୍ତୁରୁ ଇନ୍ଧନ ପ୍ରସ୍ତୁତିର ଟେକ୍ନୋଲୋଜି ଉପଲବ୍ଧ ରହିଛି। ଭାରତ ଏହାର ଆବଶ୍ୟକତା ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ ଏବଂ କୋଇଲା ବାର୍ଷିକ ୪ ଶହ ମିଲିୟନ ମେଟ୍ରିକ ଟନ୍ ଆମଦାନୀ କରୁଛି। ମାତ୍ର ଦେଶର କେମିକାଲ ବିଶେଷଜ୍ଞମାନେ ପ୍ରଚୁର ଅଣଫସଲ ଶକ୍ତିର ଉତ୍ସ ଉପଲବ୍ଧ ଥିବାର ଆକଳନ କରିଛନ୍ତି । ଏହି ଉତ୍ସକୁ ଉର୍ଜାରେ ପରିବର୍ତ୍ତିତ କରିପାରିଲେ ତୈଳ ଆମଦାନୀ ଉପରେ ରୋକ ଲଗାଯାଇ ପାରିବ। ଦେଶର ଅର୍ଥନୀତି ମଜଭୁତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ସେ ଆହୁରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଏକ ଅତ୍ୟାଧୁନିକ କୋଇଲାରୁ ଗ୍ୟାସ୍, ଗ୍ୟାସ୍ରୁ ୟୁରିଆ ଓ ଆମୋନିଆ ପ୍ରସ୍ତୁତ ପ୍ଲାଣ୍ଟର ଶୁଭାରମ୍ଭ କରିବେ। ପାରାଦ୍ୱୀପ ତୈଳ ବିଶୋଧନାଗାରରୁ ଉପଲବ୍ଧ ପେଟକୋ ଓ କୋଇଲାର ବ୍ୟବହାରରେ ସିନ୍ଥେଟିକ୍ ଗ୍ୟାସ ପ୍ରକଳ୍ପ ଆରମ୍ଭ କରାଯିବ। ଓଡ଼ିଶା ଦେଶର ଇସ୍ପାତ ରାଜଧାନୀ ହେବାର ସମ୍ଭାବନା ରହିଛି। ଆଇସିଟି-ଆଇଓସି କ୍ୟାମ୍ପସର ଛାତ୍ରଛାତ୍ରୀ ଦେଶ ବିକାଶର ବଡ଼ କାମ କରିବାର ସୁଯୋଗ ରହିଛି। ଏହି ଶିକ୍ଷାନୁଷ୍ଠାନର ନିଜସ୍ୱ କ୍ୟାମ୍ପସ ପାଇଁ ରାଜ୍ୟ ସରକାରଙ୍କୁ ୧୦୦ ଏକର ଜମି ମଗା ଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମିଳି ନଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ଖୁବ୍ଶୀଘ୍ର ଜମି ଯୋଗାଇଦେବାକୁ ନିବେଦନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଆଇଓସିଏଲ୍ର ଅଧ୍ୟକ୍ଷ ସଞ୍ଜୀବ ସିଂ, ଆଇସିଟି ମୁମ୍ବାଇର କୁଳପତି ପ୍ରଫେସର୍ ଜିଡି ଯାଦବ, ଆଇଓସିଏଲ୍ର ନିର୍ଦେଶକ (ଆର୍ଆଣ୍ଡବି) ଏସ୍ ଏସ୍ ରାମକୁମାର, ନିର୍ଦେଶକ (ଏଚ୍ଆର୍) ରଞ୍ଜନ କୁମାର ମହାପାତ୍ର, ଭୁବନେଶ୍ୱର କ୍ୟାମ୍ପସର ନିର୍ଦେଶକ ପ୍ରଫେସର ବି ଏନ୍ ଥୋରାଟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରଥମ ବ୍ୟାଚ୍ରେ ୬୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/Inauguration-of-the-Academic-Session-of....jpg)