ବବିତାଙ୍କ ପାଇଁ ପ୍ରଚାର କଲେ ବିଧାୟକ, କଲ୍ୟାଣପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ

୨୧ ନମ୍ବର ଜୋନ୍‌ରେ ପ୍ରଚାର କଲେ ମୁନା ଖାଁ

ଭୁବନେଶ୍ବର : ଖୋର୍ଧା ଜିଲ୍ଲା ୩୦ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ବବିତା ରାଉତଙ୍କ ପାଇଁ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରଚାର କରିଛନ୍ତି। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ସଭାପତି ରାଜେନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ କଲ୍ୟାଣପୁରସ୍ଥିତ ସ୍ବସ୍ତିବନଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ବିଜେଡି ପ୍ରାର୍ଥୀ ବବିତା ରାଉତଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ କର୍ମୀମାନେ ଶପଥ ନେଇଛନ୍ତି। ବିଧାୟକ ଶ୍ରୀ ରାଉତ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ଲାଗି କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି। ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ଯୋଗଦେଇ କହିଛନ୍ତି ଯେ ଏହି ମାଟି ବିଜୁ ବାବୁଙ୍କ କର୍ମଭୂମି ଥିଲା। ଆଗାମୀ ଦିଗରେ ବିଧାୟକ ଶ୍ରୀ ରାଉତଙ୍କ କର୍ତବ୍ୟନିଷ୍ଠ କାର୍ଯ୍ୟପନ୍ଥାକୁ ପାଥେୟ କରି ପାଞ୍ଚ ପଞ୍ଚାୟତକୁ ନେଇ ଗଠିତ ଏହି ଜୋନ୍‌ ଖୋର୍ଧା ଜିଲ୍ଲାରେ ବିଜେଡି ପ୍ରାର୍ଥୀ ସର୍ବାଧିକ ଭୋଟ ପାଇ ବିଜୟ ହାସଲ କରିବେ ବୋଲି ମତପ୍ରକାଶ କରିଥିଲେ। କର୍ମୀ ସମ୍ମିଳନୀରେ ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁର, ବସନ୍ତ ରଥ, ଭଗବାନ ଜେନା, ନୃସିଂହ ଖାଡ଼ଙ୍ଗା, ଗୋପିନାଥ ଦାସ, ପବିତ୍ର ସ୍ବାଇଁ, କୈଳାସ ରାଉତ, ପ୍ରଦୀପ ଦାସ, ଅନନ୍ତ ସେନାପତି, ଧନୁର୍ଦ୍ଧର ସ୍ବାଇଁ, ବସନ୍ତ ସାସମଲ, ଲଛମନ ରାଉତ, ମାଧବ ରାଉତ, ସମରେନ୍ଦ୍ର ସାହୁ, ନିମେଇ ଦାସ, ଆଦିକନ୍ଦ ରାଉତ, ଦିଲ୍ଲୀପ ଦାସଶର୍ମା, ଭୁବନେଶ୍ବର ଛାତ୍ର ସଭାପତି ସୁବାସ ସାହୁଙ୍କ ସମେତ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ମୁରବିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

୨୧ ନମ୍ବର ଜୋନ୍‌ରେ ପ୍ରଚାର କଲେ ମୁନା ଖାଁ

ବାଲିପାଟଣା : ବୁଧବାର ଦିନ ବାଲିପାଟଣାରେ ବିଜେଡି ରାଜ୍ୟ ସଭା ସାଂସଦ ତଥା ଅଭିନେତା ମୁନା ଖାଁ ନିର୍ବାଚନ ପ୍ରଚାର କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦ ୨୧ ନମ୍ବର ଜୋନ୍‌ରରେ ସେ ଦଳୀୟ ପ୍ରାର୍ଥୀ ପବିତ୍ର ମୋହନ ପଟେଲଙ୍କ ପାଇଁ ଘର ଘର ବୁଲି ଭୋ‌ଟ ଭିକ୍ଷା କରିଥିଲେ। ପ୍ରଚାର କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ଜୟଦେବ ବିଜେଡିର ବରିଷ୍ଠ ନେତା କମଳ କୁମାର ପାତ୍ର। ଏକ ବିଶାଳ ରୋଡ୍‌ ସୋ’ କରି ଶତାଧିକ ବିଜେଡି କର୍ମୀ ଗାଁ ଗାଁ ବୁଲିଥିଲେ। ଏହି ଶୋଭାଯାତ୍ରା ଗୁଆପୁର, ଭାପୁର, ଦେଉଳଧରପୁର, ନରିଶୋ ଓ ଆମେଣାକୁଦ ପଞ୍ଚାୟତରେ ପହଞ୍ଚିଥିଲା। ଗୁଆପୁର ମେଳଣ ପଡ଼ିଆରୁ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ମହମ୍ମଦ ଫାରୁକ୍‌, କିଶୋର ଜେନା, ବ୍ଲକ୍‌ ଅଧ୍ୟକ୍ଷ କୈଳାସ ସ୍ୱାଇଁ, ବିଧାୟକ ପ୍ରତିନିଧି ପ୍ରତାପ କେଶରୀ ନାୟକ, ପ୍ରଦ୍ୟୁମ୍ନ ସେନାପତି, ବିକ୍ରମ ପାତ୍ର ପ୍ରମୁଖ ଆଗ ଧାଡ଼ିରେ ଥିଲେ। ନିଜେ ମୁନା ଖାଁ ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରିଥିଲେ। ଶେଷରେ ଆମେଣାକୁଦରେ ପ୍ରଚାର ଶେଷ ହୋଇଥିଲା।

 

ସମ୍ବେଦନଶୀଳ ପଞ୍ଚାୟତରେ ଫ୍ଲାଗ୍‌ମାର୍ଚ

ପୁରୁଣା ଭୁବନେଶ୍ବର : ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଭିନ୍ନ ପଞ୍ଚାୟତରେ ଭୋଟ ଦାନ ତାରିଖ ପାଖେଇ ଆସୁଥିବା ବେଳେ ଗାଁ ଗାଁରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ତେଣୁ ପୂର୍ବ ନିର୍ଦ୍ଧାରିତ ସମ୍ବେଦନଶୀଳ ପଞ୍ଚାୟତ ବା ବୁଥ୍‌ରେ ଶାନ୍ତି ବଜାୟ ରଖିବାକୁ ପୁଲିସ ଫ୍ଲାଗମାର୍ଚ କରିବା ଆରମ୍ଭ କରିଛି। ଆଜି ଏୟାର୍‌ଫିଲଡ୍‌ ଥାନା ପୁଲିସ ଜଟଣୀ ବ୍ଲକ୍‌ର ପ୍ରଧାନସାହି ପଞ୍ଚାୟତ ଓ ଜାମୁକୋଳି ପଞ୍ଚାୟତରେ ଫ୍ଲାଗମାର୍ଚ କରିଥିଲା। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିର୍ଦେଶକ୍ରମେ ଥାନା ଅଧିକାରୀ ରାଧାକନ୍ତ ସାହୁ ଏହି ଫ୍ଲାଗମାର୍ଚର ନେତୃତ୍ବ ନେଇଥିଲେ। ଏସ୍‌ଆଇ ପ୍ରଦୀପ କୁମାର ମହାଲାଙ୍କ ସଂଯୋଜନାରେ ପୁଲିସ ବଳ ପ୍ରାୟ ୧୬ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ। ପାଞ୍ଚଗାଁ, ମୁଣ୍ଡଳ, ଜା‌ମୁକୋଳି, ପ୍ରଧାନସାହି, କ୍ଷେତ୍ରପାଳ, କୁହା, କଣ୍ଟିଲୋ, ବୀରବନ୍ଧ, ବୋତଣ୍ଡା, ଓରକଳ ଆଦି ଗ୍ରାମରେ ପୁଲିସ ବଳ ଫ୍ଲାଗମାର୍ଚ କରିଥିଲା। ଏହି ଅବସରରେ ପୁଲିସ ଅଧିକାରୀମାନେ ଲୋକଙ୍କୁ ବିଶୃଙ୍ଖଳିତ ନହେବାକୁ ଓ କୋଭିଡ୍‌ ନିୟମ ପାଳନ କରିବାକୁ ଲୋକମାନଙ୍କୁ ସଚେତନ କରିଥିଲେ। ଏସ୍ଆଇ ଅଜିତ କୁମାର ବାର୍ଗିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ପୁଲିସ କର୍ମଚାରୀ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର