ବଇଁଚୁଆରେ ନୂଆ ମୁହଁ ଲଢ଼େଇ: ଚୁଲି ମୁଣ୍ଡରେ ପହଞ୍ଚୁଛନ୍ତି ପ୍ରାର୍ଥିନୀ

ବାଲିଅନ୍ତା : ସ୍ଥାନୀୟ ବଇଁଚୁଆ ପଞ୍ଚାୟତରେ ଏଥର ଏକ ନିଆରା ରାଜନୈତିକ ପରିବେଶ ସୃଷ୍ଟି ହୋଇଥିବା ପରିଲକ୍ଷିତ ହେଉଛି। ସରପଞ୍ଚ ପଦ ତିନି ମହିଳା ପ୍ରାର୍ଥୀ ହୋଇଛନ୍ତି। ତିନି ଜଣଯାକ ରାଜନୀତି କ୍ଷେତ୍ରରେ ନୂଆ ମୁହଁ ହୋଇଥିବାରୁ ପ୍ରଚାର ମଇଦାନରେ ଭୋଟରମାନେ ଏକ ନୂଆ ଅନୁଭବ ହାସଲ କରୁଥିବା ଚର୍ଚ୍ଚା ହେଉଛି। ସେମାନେ ଘର ଘର ବୁଲି ଚୁଲି ପର୍ଯ୍ୟନ୍ତ ଯାଉଛନ୍ତି। ଏମାନଙ୍କ ପ୍ରଚାର ବେଳେ ଗାଁ ଦାଣ୍ଡରେ ଭିଡ଼ ହେଉନାହିଁ ସିନା ଘର ଭିତରେ ବେଶ୍ ଜମୁଛି। ତେଣୁ ଏବେ ଏହି ପଞ୍ଚାୟତରେ ମହିଳା ଭୋଟରମା‌ନଙ୍କ ଗୁରୁତ୍ବ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

୧୭ ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ଏଥର ଦିପାଲୀ ସାହୁ, ରଶ୍ମିତା ସାହୁ ଓ ଆରତୀ ସାହୁ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୩ ଜଣଯାକ ରାଜନୀତିରେ ନୂଆ ମୁହଁ। ରାଜନୈତିକ ଅଭିଜ୍ଞତା ନଥିଲେ ବି ପ୍ରଚାର ପାଇଁ ସେମାନେ କୌଣସି ମଉକା ହାତଛଡ଼ା କରୁନାହାନ୍ତି। ପୂର୍ବତନ ଜନପ୍ରତିନିଧି ଓ ପୁରୁଖା ନେତାଙ୍କ ଛତ୍ରଛାୟାରେ ଏମାନେ ପ୍ରାର୍ଥୀ ହୋଇଥିଲେ ବି ସେମାନଙ୍କର ନିଜସ୍ବ ପ୍ରଚାର ଶୈଳୀ ରହିଛି। ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ତିନି ଜଣଯାକ କେହି କାହାଠୁ ପଛରେ ନାହାନ୍ତି। ସମସ୍ତେ ଗ୍ରାଜୁଏସନ୍‌ କରିଛନ୍ତି। ଦିପାଲୀଙ୍କ ବାପା ରବୀନ୍ଦ୍ର ସାହୁ ଏହି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ। ତେଣୁ ପ୍ରଚାର କ୍ଷେତ୍ରରେ ଦୀପାଲି ତାଙ୍କ ବାପାଙ୍କ କଥା କହୁଛନ୍ତି। ରଶ୍ମିତା ଓ ଆରତୀ ନିଜର ତଥା ପରିବାରର ଭାବମୂର୍ତ୍ତିକୁ ନେଇ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ଏଠାରେ ସରପଞ୍ଚ ପ୍ରାର୍ଥୀମାନଙ୍କ ପ୍ରଚାରଠାରୁ ସମିତି ସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ପୂରା ଅଲଗା। ପୂର୍ବତନ ସମିତି ସଭ୍ୟ ଫଣିଭୂଷଣ ବାରିକ ପୁଣି ଥରେ ଭୋଟ ଭିକ୍ଷା କରୁଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଧନେଶ୍ବର ଦାଶ। ସରପଞ୍ଚ ପ୍ରାର୍ଥୀମାନଙ୍କ ପ୍ରଚାର ସ୍ରୋତ ଘର ଭିତରେ ବହୁଥିବା ବେଳେ ସମିତି ସଭ୍ୟଦ୍ବୟଙ୍କ ପ୍ରଚାର ଗାଁ ଦାଣ୍ଡରେ ଚାଲୁଛି।

ସମ୍ବନ୍ଧିତ ଖବର