‌‌ମୋତେ ଭୋଟ୍‌ ଦିଅ, ମୁଁ ସେବା କରିବି: ହିସାବ ମାଗୁଛନ୍ତି ଜନତା

ପମ୍ପାଲୋ, ଗାରେଡ଼ିପାଞ୍ଚଣ ଓ ଅଠାନ୍ତର‌ରେ ଜମୁଛି ପ୍ରଚାର, ମଇଦାନରେ ୧୧୧ ପ୍ରାର୍ଥୀ

ବାଲିପାଟଣା : ବାଲିପାଟଣା ବ୍ଲକ୍‌ ଅନ୍ତର୍ଗତ ପମ୍ପାଲୋ, ଗାରେଡ଼ିପାଞ୍ଚଣ ଓ ଅଠାନ୍ତର ପଞ୍ଚାୟତରେ ନିର୍ବାଚନ ପ୍ରଚାର ସରଗରମ ହେଉଛି। ଏହି ୩ ପଞ୍ଚାୟତରେ ୱାର୍ଡମେମ୍ବର୍‌, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ମୋଟ ୧୧୧ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ ଏଥରକ ତ୍ରିମୁଖୀ ଲଢ଼େଇ ହେବ ବୋଲି ଆଲୋଚନା ହେଉଛି। ପ୍ରାର୍ଥୀମାନେ ଗାଁକୁ ଗାଁ ବୁଲି ଭୋଟ୍‌ ଭିକ୍ଷା କରିବା ସହ ଜନତାଙ୍କ ଆଗରେ ପ୍ରତିଶ୍ରୁତିର ପାହାଡ଼ ଗଦାଉଛନ୍ତି। କିନ୍ତୁ ସଚେତନ ଭୋଟର୍‌ ସେମାନଙ୍କ ପ୍ରତିଶ୍ରୁତିରେ ଭଳି ନଯାଇ ମୁହେଁ ମୁହେଁ ଜବାବ ମାଗୁଛନ୍ତି। ବିଶେଷକରି ଗତ ୫ବର୍ଷ ହେଲା କ୍ଷମତାରେ ରହି ଆସିଥିବା ନିର୍ବାଚନ ଜନପ୍ରତିନିଧିମାନଙ୍କୁ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ହିସାବ ମାଗୁଛନ୍ତି।

୨୦୧୭ରେ ଗାରେଡ଼ିପାଞ୍ଚଣ ପଞ୍ଚାୟତରୁ ବିଭାଜିତ ହୋଇ ନୂଆ ରୂପ ପାଇଥିଲା ଅଠାନ୍ତର ପଞ୍ଚାୟତ। ଗାରେଡ଼ିପାଞ୍ଚଣ ପଞ୍ଚାୟତରେ ଏଥରକ ୱାର୍ଡମେମ୍ବର୍‌ ପାଇଁ ୨୫, ସରପଞ୍ଚ ପଦରେ ୭ ଏବଂ ସମିତି ସଭ୍ୟ ପାଇଁ ୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଶୁଭଲକ୍ଷ୍ମୀ ଭୋଇ, ଶକୁନ୍ତଳା ଭୋଇ, ସୁନିତା ଭୋଇ, ଅନ୍ନପୂର୍ଣ୍ଣା କାଣ୍ଡି, ଝୁନଲତା ଭୋଇ, ପଦ୍ମିନୀ ମଲ୍ଲିକ, ରୋଜାଲିନ୍‌ ବେହେରା ସରପଞ୍ଚ ପଦ ପାଇଁ ଲଢ଼ୁଛନ୍ତି। ସେହିପରି ସମିତି ସଭ୍ୟା ପାଇଁ ଇତିଶ୍ରୀ ପାଣି, ରାଜଲକ୍ଷ୍ମୀ ଜେନା ଏବଂ କଳ୍ପନା ବରାଳ ମଇଦାନକୁ ଓହ୍ଲାଇଛନ୍ତି। ଏହି ପଞ୍ଚାୟତରେ ୨ଟି ଯାକ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

ଅଠାନ୍ତର ପଞ୍ଚାୟତରେ ୱାର୍ଡ ମେମ୍ବର୍‌ ପାଇଁ ୨୦, ସରପଞ୍ଚ ପାଇଁ ୫ ଏବଂ ସମିତି ସଭ୍ୟ ପାଇଁ ୪ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଅଜିତ କୁମାର ମହାନ୍ତି, ଜ୍ୟୋତ୍ସ୍ନାରାଣୀ ଭୋଳ, ପ୍ରଫୁଲ୍ଲ କୁମାର ଭୋଇ, ମାନସ ବେହେରା, ଲକ୍ଷ୍ମୀପ୍ରିୟା ବାରିକ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ନାରାୟଣ ଖୁଣ୍ଟିଆ, ରୁବି ପ୍ରଧାନ, ଶୈଳେନ୍ଦୁ କୁମାର ଭୋଳ, ଲୋକନାଥ ବେହେରା ସମିତି ସଭ୍ୟ ପାଇଁ ଲଢ଼ୁଛନ୍ତି। ସରପଞ୍ଚ ପ୍ରାର୍ଥୀ ପ୍ରଫୁଲ୍ଲ ଭୋଇଙ୍କ ପତ୍ନୀ ମନ୍ଦୋଦରି ଦେଇ ପୂର୍ବ ନିର୍ବାଚନରେ ସରପଞ୍ଚ ହୋଇଥିଲେ। ତାଙ୍କ ଅମଳରେ ପଞ୍ଚାୟତରେ ଆଖିଦୃଶିଆ ବିକାଶ ହୋଇ ନଥିବାରୁ ପ୍ରଫୁଲ୍ଲଙ୍କୁ ମୁହେଁ ମୁହେଁ ଜବାବ ଦେଉଛନ୍ତି ଭୋଟର୍‌। ପଞ୍ଚାୟତର କ’ଣ ବିକାଶ କରିଛ, ହିସାବ ମାଗୁଛନ୍ତି।

ପମ୍ପାଲୋ ପଞ୍ଚାୟତରେ ୱାର୍ଡ ମେମ୍ବର ପାଇଁ ୩୬, ସରପଞ୍ଚ ପାଇଁ ୮ ଏବଂ ନୋମିନି ପାଇଁ ୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବାହାନ ଭୋଇ, ନରେନ୍ଦ୍ର ମଲ୍ଲିକ, ଲଚ୍ଛମନ ଭୋଇ, ରବୀନ୍ଦ୍ର ଭୋଇ, ବିଶ୍ୱନାଥ ସେଠି, ସୁକାନ୍ତ ଭୋଇ, ବାସୁଦେବ ଭୋଇ, ହରିହର ଭୋଇ ସରପଞ୍ଚ ପଦ ପାଇଁ ମଇଦାନକୁ ଓହ୍ଲାଇଥିବା ବେଳେ ଏଥରକ ଘମାଘୋଟ ଲଢ଼େଇ ହେବ ବୋଲି କୁହାଯାଉଛି। ସେହିପରି ନମିତା ଭୋଇ, ଲକ୍ଷ୍ମୀପ୍ରିୟା ବେହେରା, ସୁମିତ୍ରା ବେହେରା ସମିତି ସଭ୍ୟା ପ୍ରାର୍ଥୀ ପାଇଁ ଲଢ଼େଇ କରୁଛନ୍ତି। ଏହି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପଦ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଗତ ନିର୍ବାଚନରେ ବିଜୟଲକ୍ଷ୍ମୀ ପାଇକରାୟ ଭୋଟର୍‌ଙ୍କ ଆସ୍ଥାଭାଜନ ହୋଇ ସରପଞ୍ଚ ପଦ ହାତେଇଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକାଳରେ ଫନି ବାତ୍ୟା‌ରେ କ୍ଷତିଗ୍ରସ୍ତ ହୋଇଥିବା ବହୁ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବାରୁ ଜନତାଙ୍କ ଭିତରେ ଅସନ୍ତୋଷ ରହିଛି। ତାଙ୍କ କାର୍ଯ୍ୟକାଳରେ କିଛି ହାତଗଣତି ୱାର୍ଡକୁ ଛାଡ଼ି ଦେଲେ ଅଧିକାଂଶ ୱାର୍ଡରେ ସେଭଳି କୌଣସି ବିକାଶମୂଳକ କାର୍ଯ୍ୟ ହୋଇନଥିବାରୁ ଏଥରକ ପଞ୍ଚାୟତବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଇବେ, ତାହା ଦେଖିବା ବାକି ରହିଲା।

‌ଖୋର୍ଧା ଜିଲ୍ଲା ପରିଷଦ ଜୋନ୍‌-୭, ଛତାବରରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର

ମେଣ୍ଢାଶାଳ : ଖୋର୍ଧା ଜିଲ୍ଲା ପରିଷଦ ଜୋନ୍‌-୭ ପାଇଁ ଛତାବର ପଞ୍ଚାୟତରେ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଏଠାରେ ବିଜେଡି ପକ୍ଷରୁ ମୋହିନୀ ନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତକାଲି ସେ ଛତାବର ପଞ୍ଚାୟତର ଜାମୁଝରୀ ଓ ଆଖପାଖ ଗ୍ରାମରେ ପ୍ରଚାର କରି ଲୋକଙ୍କୁ ଭୋଟ୍‌ଭିକ୍ଷା କରିଥିଲେ। ତାଙ୍କ ସହ ବହୁ ବିଜେଡି କର୍ମୀ ଓ ଛତାବର ସରପଞ୍ଚ ପଦ ପାଇଁ ଲଢ଼ୁଥିବା ସ୍ବାମୀ ସରୋଜ ନାୟକ ଉପସ୍ଥିତ ଥିଲେ। ଛତାବର ପଞ୍ଚାୟତରେ ମୋଟ ୬୨୨୨ ଭୋଟର୍‌ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୪୭ଜଣ ପୁରୁଷ ୩୦୭୪ଜଣ ମହିଳା ଭୋଟର୍‌ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର