ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲା ପରିଷଦ ୨୦ ନମ୍ବର ଜୋନ୍‌ରେ ପ୍ରଚାର ଜମି ଆସିଲାଣି। ବିଜେଡି, ବିଜେପି, କଂଗ୍ରେସ, ବିଏସ୍‌ପି ଓ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ୫ ଜଣ ପ୍ରାର୍ଥୀ ଭୋଟରମାନଙ୍କ ନିକଟତର ହେଉଛନ୍ତି। ପ୍ରଚାର ମଇଦାନରେ କେହି ପଛରେ ପଡ଼ିନଥିଲେ ବି ବିଜେଡି ଓ ବିଜେପି ଏକ୍ଷେତ୍ରରେ କିଛିଟା ଆଗୁଆ ଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ କର୍ମୀ ବା ଛାମୁଆ ନେତାମାନଙ୍କ ଦଳବଦଳ କାରଣରୁ ଏଠାରେ ରାଜନ‌ୈତିକ ପାଣିପାଗ ଗୋଳମାଳିଆ ସ୍ଥିତିରେ ଅଛି। କିନ୍ତୁ ଏଠାରେ ବିଜେଡି ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ଥିବାରୁ ଅନ୍ୟ ବିରୋଧୀମାନେ ରୋକ୍‌ ଲଗାଇବାକୁ ସ୍ବତନ୍ତ୍ର ରଣନୀତି ଅବଲମ୍ବନ କରୁଥିବା କୁହାଯାଉଛି।

Advertisment

ଏହି ଜୋନ୍‌ରେ ରହିଛି ୭ ପଞ୍ଚାୟତ। ଆଳିସି, ରାଜସ, ମକୁନ୍ଦଦାସପୁର, ସୋମଣାଶାସନ, ତୁରିନ୍ତିରା, କୁରୁଞ୍ଜିପୁର ଓ ମାର୍ଥାପୁର ପଞ୍ଚାୟତ ଏହି ଜୋନ୍‌ରେ ରହିଛି। ବାଲିପାଟଣା ବ୍ଲକ୍‌ରେ ଏହି ସମସ୍ତ ପଞ୍ଚାୟତ ସଚେତନ ଭୋଟର ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହି ଜୋନ୍‌ରେ ପୂର୍ବରୁ ବିଜେଡି, କଂଗ୍ରେସ ଓ ବିଜେପିର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏଠାରୁ ୧୯୯୭ରେ ବିଜେପି, ୨୦୦୨ରେ ବିଜେଡି, ୨୦୦୭ରେ କଂଗ୍ରେସ ବିଜୟୀ ହୋଇଥିଲା। ୨୦୧୨ ପରଠାରୁ ଏଠାରେ ବିଜେଡି ଜିତି ଆସୁଛି। ତେଣୁ ଏହି ଜୋନ୍‌ ବିଜେଡି ଗଡ଼ ଭାବେ ଜଣାଶୁଣା। ଏଥର ପୁଣି ବିଜେଡି ଜିତିଲେ ହ୍ୟାଟ୍ରିକ୍ ହେବ। ତେଣୁ ସ୍ଥାନୀୟ ନେତା କମଳ ପାତ୍ର ସବୁ କଳବଳ ଖଟାଇବା ଦେଖାଯାଉଛି।

ବଡ଼ କଥା ହେଉଛି କଂଗ୍ରେସରୁ ଜିତିଥିବା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବାସୁଦେବ ଭଟ୍ଟ ଏବେ ବିଜେଡିରେ ମିଶି ସାରିଛନ୍ତି। ତେଣୁ ବିଜେଡି ଶକ୍ତି ବୃଦ୍ଧି ପାଇଛି ବୋଲି କୁହାଯାଉଛି। ତେବେ ଟିକେଟ୍‌ ବଣ୍ଟନକୁ ନେଇ ଏଠାରେ ବିଜେଡି ବିଧା‌ୟକ ଅରବିନ୍ଦ ଢାଲି ଏକଘରକିଆ ହୋଇଯାଇଥିବାରୁ ତାଙ୍କ ସମର୍ଥକମାନଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ଏବେ ଏଠାରେ ବିଜେଡିରୁ ସୁକନ୍ୟା ସେଠୀ, ବିଜେପିରୁ ମିନତୀ ବେହେରା, କଂଗ୍ରେସରୁ ମାମିନା ମଲ୍ଲିକ, ବିଏସ୍‌ପିରୁ ବିନତା ଭୋଇ ଓ ଆମ୍‌ ଆଦମୀ ପାର୍ଟିରୁ ଲିଜା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଏହି ଜୋନ୍‌ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।