ଭୁବନେଶ୍ବର/ଜଟଣୀ : ଟିକେଟ୍ରୁ ବଞ୍ଚିତ ଆଶାୟୀମାନଙ୍କ ଦଳ ଅଦଳବଦଳ ପ୍ରକ୍ରିୟା ସରିବା ପରେ ଏବେ ଜଟଣୀରେ ନିର୍ବାଚନ ପ୍ରଚାର ଜୋର୍ ଧରିଛି। ମଇଦାନରେ ଏବେ ନିଜ ନିଜ ସମର୍ଥକଙ୍କ ସହ ପ୍ରାର୍ଥୀମାନେ ବୁଲିବା ଆରମ୍ଭ କରି ଦେଇଛନ୍ତି। ଜଟଣୀ ନିର୍ବାଚନ ମଣ୍ଡଳୀରେ ବହୁ ବର୍ଷ ପରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ତେଣୁ ଚଳିତ ନିର୍ବାଚନ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଲୋଚନା ହେଉଛି। ବିଜେଡି, ବିଜେପି ଓ କଂଗ୍ରେସ କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନଥିବା ମୁଡ୍ରେ ନାହାନ୍ତି। ତେଣୁ ଏଥର ଲଢ଼େଇ ଜୋରଦାର ହେବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମତ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ବିଜେଡିରୁ, ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ କଂଗ୍ରେସରୁ ଓ ଯୁବନେତା ବିଶ୍ବରଂଜନ ବଡ଼ଜେନା ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଟିକେଟ୍ ହାତେଇବା ପରେ ପରେ ଏହି ତିନି ଜଣ ପ୍ରଚାର ଆରମ୍ଭ କରିଥିଲେ ମଧ୍ୟ ତାହା ଜୋର୍ ଧରି ନଥିଲା। ବିଶେଷକରି ଦଳୀୟ ଟିକେଟ୍ରୁ ବଞ୍ଚିତ ହୋଇଥିବା ବିଜେଡି ଓ ବିଜେପିର ଆଶାୟୀମାନଙ୍କ ଭୂମିକା ଉପରେ ସମସ୍ତଙ୍କର ନଜର ଥିଲା। ତେବେ ଏ ଭିତରେ ଆଶାୟୀମାନେ ଦଳ ଅଦଳବଦଳ କରି ସାରିଛନ୍ତି ଓ କିଏ କାହାକୁ ସମର୍ଥନ କରିବ, ତାହା ସ୍ପଷ୍ଟ କରି ସାରିଛନ୍ତି। ତେଣୁ ନିର୍ବାଚନ ଫଳାଫଳକୁ ନେଇ ନୂଆ ସମୀକରଣ ତିଆରି ହୋଇଛି। ପ୍ରଥମତଃ ବିଜେଡି ଟିକେଟ୍ରୁ ବଞ୍ଚିତ ବିଜୁ ଛୋଟରାୟ ଓ ତାଙ୍କ ସମର୍ଥକମାନେ କଂଗ୍ରେସରେ ମିଶି ପ୍ରଚାର କରିବା ଆରମ୍ଭ କରିଦେଲେ। ପରେ ପରେ ବିଜେଡିର ଅନ୍ୟତମ ଆଶାୟୀ ପୂର୍ବତନ ବିଧାୟକ ଶରତ ପାଇକରାୟଙ୍କ ପୁଅ ସୂରଜ ପାଇକରାୟ ବିଜେପିରେ ଯୋଗଦେଇ ପ୍ରଚାର ମଇଦାନକୁ ଓହ୍ଲାଇଲେ। ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କ ଯୋଗଦାନକୁ ନେଇ କଂଗ୍ରେସ ଓ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ବିଜେଡି ଶିବିର ମଧ୍ୟ ପଛରେ ପଡ଼ି ନଥିଲା।
ବିଜେପିର ଅନ୍ୟତମ ଆଶାୟୀ ସନ୍ତୋଷ ଜେନା ଓ କଂଗ୍ରେସର କିଛି ବରିଷ୍ଠ କର୍ମୀ ବିଜେଡିରେ ଯୋଗ ଦାନ କଲା ପରେ ନିର୍ବାଚନ ମାହୋଲ ପୁଣି ଏକ ନୂଆ ମୋଡ଼ରେ ପହଞ୍ଚିଛି। ଏଠାରେ ପ୍ରଚାର ନାରାରେ କୌଣସି ଆଖିଦୃଶିଆ ଘଟଣା ନଥିବା ଦେଖିବାକୁ ମିଳିଛି। ପାରମ୍ପରିକ ଢଙ୍ଗରେ ବିଜେଡି ପ୍ରାର୍ଥୀ ବିଭୂତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ବିକାଶ ଓ ଯୋଜନାର ଚିତ୍ର ଉପସ୍ଥାପନ କରୁଥିବା ବେଳେ ବିଜେପି ପ୍ରାର୍ଥୀ ବିଶ୍ବରଂଜନ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ‘ସବ୍କା ସାଥ୍ ସବ୍କା ବିକାଶ’ର କଥା କହୁଛନ୍ତି। କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ ୨୦୧୪ ମସିହା ନିର୍ବାଚନ ପ୍ରଚାର ଭଳି ଏଥର ମଧ୍ୟ ‘ଶେଷ ଥର’ କହି ଭୋଟରଙ୍କ ସହାନୁଭୂତି ସାଉଁଟିବାକୁ ଉଦ୍ୟମ କରୁଛନ୍ତି। ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଗତ ୧୦ବର୍ଷ ଭିତରେ ଜଟଣୀର ବିକାଶ ହୋଇନାହିଁ ବୋଲି ଅଭିଯୋଗ କରୁଥିବା ବେଳେ ବିଜେଡି ଉଭୟ ଦଳକୁ ଜଟଣୀ ବିକାଶର ବାଧକ ବୋଲି ପାଲଟା ଅଭିଯୋଗ କରୁଛି। ଜଟଣୀବାସୀଙ୍କ ପାଇଁ ପିଇବା ପାଣି ଦୀର୍ଘ ବର୍ଷ ଧରି ସମସ୍ୟା ଥିବା ବେଳେ ଏହାର ସମାଧାନ ପାଇଁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ଜଟଣୀ ବଜାରର ଭିଡ଼ ଓ ଦୁର୍ଘଟଣା କମାଇବା ପାଇଁ ଓଭରବ୍ରିଜ୍ କାମ ହେଉଥିବା ବିଜେଡି ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରିଛି।
ଏପଟେ ଦୁଇ ବିରୋଧୀଙ୍କ ପକ୍ଷରୁ ଓଭରବ୍ରିଜ୍ର ନିମ୍ନମାନର କାମକୁ ନେଇ ସରକାର ବିରୋଧୀ ପ୍ରଚାରର ଆୟୁଧ କରାଯାଇଛି। ସେହିଭଳି ଶ୍ରୀଜଗନ୍ନାଥ ପ୍ରଶାସନ ହାତରୁ ଜଟଣୀବାସୀଙ୍କ ଭିଟାମାଟି ଉଦ୍ଧାର ପ୍ରସଙ୍ଗ ସହ ଦାରୁଠେଙ୍ଗରେ ଡମ୍ପିଂୟାର୍ଡ ପ୍ରସଙ୍ଗକୁ ମଧ୍ୟ ସବୁ ଦଳ ନିର୍ବାଚନୀ ଅସ୍ତ୍ର କରିଛନ୍ତି। ବିଧାୟକ ପ୍ରାର୍ଥୀମାନଙ୍କ ସହ ସାଂସଦ ପ୍ରାର୍ଥୀମାନେ ଘର ଘର ବୁଲୁଥିବା ଦେଖିବାକୁ ମିଳୁଛି। ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ବହୁ ସ୍ଥାନରେ ପ୍ରଚାର ମଙ୍ଗ ଧରୁଛନ୍ତି। କଂଗ୍ରେସ ସମର୍ଥନରେ ଲଢ଼ୁଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ଜନାର୍ଦନ ପତି ବହୁ ସମୟରେ ସୁର ରାଉତରାୟଙ୍କ ସହ ବୁଲୁଥିବା ବେଳେ ଅନେକ ସମୟରେ ଏକାକୀ ବୁଲୁଥିବା ଦେଖିବାକୁ ମିଳୁଛି।