କାର୍ଯ୍ୟାନୁଷ୍ଠାନ ନେବାରେ ନିର୍ବାଚନ କମିସନ ବିଫଳ: କଂଗ୍ରେସ

ଶ୍ରୀଲିଙ୍ଗରାଜଙ୍କ ଜମିରେ ହୋଟେଲ ନିର୍ମାଣ, ସୁପ୍ରିମକୋର୍ଟରେ ହେବ ରିଭ୍ୟୁ ପିଟିସନ୍

ଭୁବନେଶ୍ବର : ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଓ ବିଜେପି ଦଳ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଥିବା ବେଳେ ରାଜ୍ୟ ନିର୍ବାଚନ କମିସନ ନିରବଦ୍ରଷ୍ଟା ସାଜିଛନ୍ତି। ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କମିସନ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଲେ, ବିଜେଡି, ବିଜେପି ଦଳର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀ ଟଙ୍କାଥଳି ଧରି ବୁଲୁଛନ୍ତି। ଚାରିଆଡ଼େ ମଦ, ମାଂସର ଆସର ଚାଲିଥିବା ବେଳେ ପୁଲିସ ନିରବଦ୍ରଷ୍ଟା ସାଜିଛି। ଭୋଟ ନ ଦେଲେ ଭତ୍ତା ଓ ରାସନକାର୍ଡ କାଟିଦେବା ଲାଗି ବିଜେଡି ଦଳର ବିଧାୟକ ଓ ପଦାଧିକାରୀମାନେ ଧମକ ଦେଉଛନ୍ତି। ଅନେକ ସ୍ଥାନରେ ରାସନକାର୍ଡର ଆବେଦନ ଫର୍ମ, ବାର୍ଦ୍ଧକ୍ୟ, ବିଧବା ଭତ୍ତା ଫର୍ମ ପୂରଣ କରାଇ‌ ଭୋଟ ଦେବାକୁ ପ୍ରଲୋଭନ ଦିଆଯାଉଛି। ଶାସକ ଦଳର ପକ୍ଷରୁ ଜୟଦେବ ନିର୍ବାଚନ ମଣ୍ଡଳୀରେ ବାଲିମାଫିଆ, ଖୋର୍ଧାର ପଥରମାଫିଆ, ନିଶା ମାଫିଆ ଓ ଅପରାଧୀମାନଙ୍କ ପ୍ରତ୍ୟେକ୍ଷ ସହଯୋଗରେ ନିର୍ବାଚନ ଲଢ଼ାଯାଉଛି। ନବୀନ ବାବୁ ରାଜ୍ୟରେ ଅବାଧ ଓ ମୁକ୍ତ ନିର୍ବାଚନ କରାଇ ଦେଉନାହାନ୍ତି। କଂଗ୍ରେସ ଦଳ ପକ୍ଷରୁ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇଛି। ମାତ୍ର ଶାସକ ଦଳ ପକ୍ଷରୁ ଅସତ ଉପାୟରେ ଧନ ଅର୍ଜନ କରିଥିବା ବହୁ ଲୋକଙ୍କୁ ନିର୍ବାଚନରେ ଟିକେଟ୍‌ ଦିଆଯାଇଛି।
ସେ ଆହୁରିମଧ୍ୟ କହିଛନ୍ତି ଯେ ନବୀନ ନିବାସକୁ ଲାଗି ଯେଉଁ ୫ ଏକର ଜମିରେ ପଞ୍ଚ ତାରକା ହୋଟେଲ ଗଢ଼ା ଚାଲିଥିଲା ତାହା ଶ୍ରୀଲିଙ୍ଗରାଜଙ୍କ ଜମି ‌ବୋଲି ଜଣା ପଡ଼ିଥିଲା। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ ପକରି ଏକର ପିଛା ୮କୋଟି ଟଙ୍କା ଦାଖଲ କରି ଜାଗା ନେବାକୁ ରାୟ ଦେଇଛନ୍ତି।

ଶ୍ରୀଲିଙ୍ଗରାଜଙ୍କ ଜମି ବିକ୍ରି ନ ହେବା ପାଇଁ ଏହି ରାୟର ପୁନର୍ବିଚାର କରିବା ଲାଗି ଆବେଦନ କରାଯିବ। ତେଣୁ ସରକାର କାମ ବନ୍ଦ କରନ୍ତୁ, ନଚେତ୍ ଶତାଧିକ ଲୋକ ଘେରାଉରେ ସାମିଲ କରିବେ। ଏହାସହ ପୌର ନିର୍ବାଚନ ପାଇଁ କଂଗ୍ରେସ ଦଳ ନିଜର ପ୍ରାର୍ଥୀ ଚୟନ କରିସାରିଛି। ଅନେକ ମହିଳାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଶ୍ରୀ ରାଉତରାୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଂଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ରମେଶ ମହାପାତ୍ର, ମୋହନ ଜେନା ଓ ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର