୩୧ ସୁଦ୍ଧା ନିର୍ବାଚନୀ ଖର୍ଚ୍ଚ ହିସାବ ତଲବ: ଖାଲି ଖାଇବାରେ ୧୨ ଲକ୍ଷ!

ଛୁଟି ଦିନରେ ଭାଉଚର ‌ଅଣ୍ଡାଳୁଛନ୍ତି ଅଫିସର

ଭୁବନେଶ୍ବର : ବିଏମ୍‌ସି ନିର୍ବାଚନକୁ ୨ ମାସରୁ ଅଧିକ ସମୟ ବିତିଲାଣି। ହେଲେ ଖର୍ଚ୍ଚ ହିସାବ ହେଇନି। ଚଳିତ ମାସ ୩୧ ସୁଦ୍ଧା ଖର୍ଚ୍ଚ ହିସାବ ଦେବାକୁ ରାଜ୍ୟ ନିର୍ବାଚନ କମିସନ ତାଗିଦ୍‌ କରିବାରୁ ତନାଘନା ହୋଇଛି। ଦାୟିତ୍ବରେ ଥିବା ଅଫିସର ଛୁଟି ଦିନରେ ଅଫିସ୍‌ରେ ବସି ଫାଇଲ୍‌ ଘାଣ୍ଟୁଛନ୍ତି, ପୁରୁଣା ଭାଉଚର ଖୋଜୁଛନ୍ତି। ଯେଉଁ ଭାଉଚର ମିଳୁନି ସାନି ତିଆରି ହେଉଛି। ଦସ୍ତଖତ ପାଇଁ କର୍ମଚାରୀ ବାରଦୁଆର ହେଉଛନ୍ତି। ବିଏମ୍‌ସି ଅଫିସ୍‌ରେ ଦୁଇଦିନ ହେଲାଣି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ତନାଘନା ବେଳେ ଆଉ ଏକ ବିଚିତ୍ର ହିସାବ ସାମ୍ନାକୁ ଆସିଛି। ନିର୍ବାଚନୀ ପ୍ରକ୍ରିୟା ଚାଲିଥିବା ବେଳେ କେବଳ ଖାଇବା ବାବଦରେ ୧୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ନିର୍ବାଚନ ସମୟରେ କିଏ କ’ଣ ଏମିତି ଖାଇଲେ ଯେ,‌ ୧୨ ଲକ୍ଷ ବିଲ୍‌ ହେଇଗଲା? ଖାଇବାରେ ଏତିକି ଖର୍ଚ୍ଚ ହୋଇଛି ନା ମୋଟା ଅଙ୍କର ହିସାବ ଦେଇ ଏଥିରୁ କିଛି ଟଙ୍କା ଖାଇବା ଯୋଜନା ହୋଇଛି? ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଗତ ଫେବ୍ରୁଆରି ୨୩ ତାରିଖରେ ନିର୍ବାଚନ କମିସନ ପୌର ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ। ସେବେ ଠାରୁ ହିଁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଏମ୍‌ସି ନିର୍ବାଚନ ଅଧିକାରୀ ତଥା ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଏହି ପ୍ରକ୍ରିୟାର ପୁରୋଧା ସାଜିଥିଲେ। ଭୋଟର ତାଲିକା ପ୍ରକାଶ ସହ ସୀମା ନିର୍ଦ୍ଧାରଣ ଓ ୱାର୍ଡ ସରଂକ୍ଷଣ ନେଇ ତାଲିକା ପ୍ରକାଶ ପାଇଥିଲା। ଏଥିପାଇଁ ବିଭିନ୍ନ ସମୟରେ ବିଏମ୍‌ସି ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ରେ ବୈଠକ ବସୁଥିଲା। କେତେବେଳେ ଚା’ ପାଣି ତ କେତେବେଳେ ଜଳଖିଆ ବ୍ୟବସ୍ଥା ହେଉଥିଲା।

ମାର୍ଚ୍ଚ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦା‌ଖଲ ସମୟ ରହିଥିଲା। ସକାଳ ୯ରୁ ୫ଟା ପର୍ଯ୍ୟନ୍ତ ୨୦ରୁ ଊର୍ଦ୍ଧ୍ବ ଅଫିସର ଓ କର୍ମଚାରୀ କାମରେ ଲାଗିଥିଲେ। ଏହି ସମୟରେ ଜଳଖିଆ ସହ ମଧ୍ୟାହ୍ନ ଭୋଜନରେ ମଧ୍ୟ ଖର୍ଚ୍ଚ ହୋଇଥିଲା। ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହୋଇଥିଲା। ଏଡିଏମ୍‌ଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ବିଏମ୍‌ସିର କର୍ମଚାରୀ ସହଯୋଗ କରିଥିଲେ। ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇଥିଲା। ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୬ ତାରିଖରେ ଗଣତି ହୋଇଥିଲା। ୧୪ରୁ ୨୬ ମଧ୍ୟରେ ସର୍କିଟ ହାଉସ୍‌ରେ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ କେବଳ ଜଳପାନ ବ୍ୟବସ୍ଥା ଥିଲା। ଗଣତି ଦିନ ସବୁଠାରୁ ଅଧିକ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଥିଲା।
ଏହାବାଦ୍‌ ନିର୍ବାଚନ ଯଥେଷ୍ଟ ପୂର୍ବରୁ ଖୋର୍ଦ୍ଧାରୁ ବିଜେବି କଲେଜ୍‌କୁ ଇଭିଏମ୍‌ ଅଣାଯାଇଥିଲା। ସେଠାରେ ୩ ଦିନ ଧରି କମିସନିଂ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ସହ ଜଳପାନ ବ୍ୟବସ୍ଥା କରାଯାଇଥିଲା। କୌତୁହଳପ୍ରଦ ହେଉଛି ସେଠାରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। କେତେକ କର୍ମଚାରୀ ବିରକ୍ତି ପ୍ରକାଶ କରିଥିଲେ। ଅଫିସରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସେତେବେଳେ ବିଏମ୍‌ସି ନିର୍ବାଚନ ଉପବିଭାଗ ଦାୟିତ୍ବରେ ଶ୍ରୀମନ୍ତ ମିଶ୍ର ଥିଲେ। ଏବେ ଡେପୁଟି କମିସନର କମଳାକାନ୍ତ ବେହେରା ଅଛନ୍ତି। ସେ କିଛି କହିବାକୁ ଚାହିନାହାନ୍ତି। ଅନ୍ୟଜଣେ ତଳିଆ କର୍ମଚାରୀଙ୍କ କହିବା କଥା, ଯେତିକି ବୈଠକ ବସିଛି, ଯେତିକି କର୍ମଚାରୀ ନିୟୋଜିତ ଥିଲେ, ସେସବୁର ହିସାବ ରହିଛି। ଯାହା ଖର୍ଚ୍ଚ ହୋଇଛି ତାହାର ଭାଉଚର ମଧ୍ୟ ଅଛି। ଏଥିରେ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର