ରମାଦେବୀ, ବିଜେବିରେ ଦ୍ବିମୁଖୀ ଲଢ଼େଇ

ଭୁବନେଶ୍ବର: ବାଣୀବିହାରରେ ନିର୍ବାଚନ ବନ୍ଦ ହେବା ପରେ ଏବେ ସମସ୍ତଙ୍କ ନଜର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଉପରେ। କ୍ୟାମ୍ପସର ନିର୍ବାଚନୀ ଉଷ୍ମତା ମଧ୍ୟରେ ଆଜି ଏଠାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି କ୍ୟାମ୍ପସରେ ସିଧାସଳଖ ଛାତ୍ର ବିଜେଡି ଓ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି। ସଭାପତି ପଦ ପାଇଁ ଏବିଭିପି ସମର୍ଥିତ ଇପ୍‌ସିତା ତ୍ରିପାଠୀ ଓ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ସ୍ବୀକୃତି ମିଶ୍ରଙ୍କ ମଧ୍ୟରେ ଲଢ଼େଇ ହେବ। ସମ୍ପାଦକ ପଦ ପାଇଁ ଛାତ୍ର ବିଜେଡିର ମଧୁସ୍ମିତା ନାୟକ ଓ ଏବିଭିପିର ଜ୍ୟୋତ୍ସ୍ନାମୟୀ ବେହେରାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି। କ୍ରୀଡ଼ା ସମ୍ପାଦକ ପଦ ପାଇଁ ଏଠାରେ ସୁଚରିତା ଓ ସୁନାଲି ବେହେରାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଉପସଭାପତି ଭାବେ ସମର୍ପିତା‌ ଦାସ ଓ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ରୋଜାଲିନ୍‌ ନାୟକ ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟ ହୋଇଛନ୍ତି। ଏଥିସହ ଅଧିକାଂଶ ପଦ ପାଇଁ ପ୍ରାର୍ଥୀ ନ ଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଦୁଇ ବର୍ଷ ପରେ ନିର୍ବାଚନ ହେଉଥିବା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର କଡ଼ା ଟକ୍କର ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସଭାପତି ପଦ ପାଇଁ ଏଠାରେ ଦୁଇ ଜଣ ପ୍ରାର୍ଥୀ ଚୂଡ଼ାନ୍ତ ତାଲିକ‌ାରେ ରହିଛନ୍ତି। ସଭାପତି ପଦ ପାଇଁ ଯୁକ୍ତ୩ ତୃତୀୟ ବର୍ଷ ଛାତ୍ର ସୌମିତ୍ରୀ ବତ୍ସଳ ଦାସ ଓ ଯୁକ୍ତ୩ ଦ୍ବିତୀୟ ବର୍ଷ ଛାତ୍ର ସାଇ ରଞ୍ଜନ ବେହେରାଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଉପସଭାପତି ପଦ ପାଇଁ ଯୁକ୍ତ୩ ଦ୍ବିତୀୟ ବଷର୍ର ଛାତ୍ର ସୁମିତ୍‌ କୁମାର ମହାନ୍ତି ଓ ସୋଭନା ସେଠୀଙ୍କ ମଧ୍ୟ ପ୍ରତିଦ୍ବନ୍ଦ୍ବିତା ହେବ। ସାଧାରଣ ସମ୍ପାଦକ ପଦ ପାଇଁ ଏଠାରେ ୪ ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ଚୂଡ଼ାନ୍ତ ତାଲିକାରେ ଅଜୟ କୁମାର ବିଶୋଇ, ବିଶ୍ବଜିତ୍‌ ବେହେରା, ବିଶ୍ବଜିତ୍‌ ବିଶ୍ବାଳ ଓ ମଧୁସୂଦନ ନାୟକ ରହିଛନ୍ତି। ସହ ସମ୍ପାଦକ ପଦ ପାଇଁ ଅମନ୍‌ କୁମାର ତାଣ୍ଡି ଓ ଜ୍ଞାନେନ୍ଦ୍ର ପରିଡ଼ାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା‌ ହେଉଥିବା ବେଳେ କ୍ରୀଡ଼ା ସମ୍ପାଦକ ଓ ନାଟ୍ୟ ସମ୍ପାଦକ ପଦ ପାଇଁ ଦୁଇ ଜଣ ଲେଖାଏ ପ୍ରାର୍ଥୀ ରହିଛନ୍ତି। ଦେବରାୟ ଓ ରାଜଧାନୀ କଲେଜରେ ନିର୍ବାଚନ ବାତିଲ୍‌ ସହ ସାଇନ୍‌ ଡାଏ ଘୋଷଣା ହେବା ପରେ ଏବେ ସମସ୍ତ ଛାତ୍ର ସଙ୍ଗଠନଗୁଡ଼ିକର ନଜରରେ ବିଜେବି କଲେଜ ରହିଛି। ଏହି କ୍ୟାମ୍ପସ ହାତେଇବାକୁ ପ୍ରାମମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ପ୍ରାର୍ଥୀମାନେ ଦିନରାତି ଏକ କରି ପ୍ରଚାର କରୁଥିବା‌ ଦେଖିବାକୁ ମିଳୁଛି।

ଦେବରାୟରେ ସାଇନ୍‌-ଡାଏ, ଛାତ୍ରଛାତ୍ରୀଙ୍କ ଧାରଣା
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଦେବରାୟ କଲେଜରେ ଦେଖାଦେଇଥିବା ଛାତ୍ର ଅଶାନ୍ତି ଆଜି ଉଗ୍ରରୂପ ଧାରଣା କରିଛି। ଘନ ଘନ ବୋମା ମାଡ଼ ସାଙ୍ଗକୁ କ୍ୟାମ୍ପସରେ ଉତ୍ତେଜନା ଲାଗିରହିବାରୁ କଲେଜ କର୍ତୃପକ୍ଷ ନିର୍ବାଚନ ବାତିଲ୍‌ କରିବା ସହ ସାଇନ୍ ଡାଏ ଘୋଷଣା କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଏକ ଛାତ୍ରଗୋଷ୍ଠୀ ପକ୍ଷରୁ କ୍ୟାମ୍ପସ ସମ୍ମୁଖରେ ଧାରଣା ଜାରି ରହିଛି। ନିର୍ବାଚନ ପୂର୍ବରୁ କଲେଜର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିଭିନ୍ନ ସମୟରେ ବିବାଦ ଦେଖା ଦେଇଥିଲା। ଗତ ୨୮ ତାରିଖରେ କଥା କଟାକଟିକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ହାତାହାତି ପରିସ୍ଥିତି ଉପୁଜିଥିଲା। ସେବେଠାରୁ କ୍ୟାମ୍ପସରେ ଉଭୟ ଛାତ୍ରଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା। ବୁଧବାର ନାମାଙ୍କନ ଦାଖଲ ସମୟରେ ବି ଦୁଇ‌ ଛାତ୍ରଗୋଷ୍ଠୀ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଆଜି ଉଗ୍ରରୂପ ଧା‌ରଣ କରିଥିଲା। ଅପରାହ୍‌ଣରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋ‌ଷଣା ହେବାକୁ ଥିବା ‌େବଳେ ଗୋଟିଏ ଗୋଷ୍ଠୀର ଛାତ୍ରଛା‌ତ୍ରୀ କ୍ୟାମ୍ପସରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। ଅପରାହ୍‌ଣ ପ୍ରାୟ ୩ଟାରେ ଏକ ନିର୍ଦିଷ୍ଟ ଗୋଷ୍ଠୀର ଛାତ୍ରା କଲେଜ ଉପରକୁ ଘନ ଘନ ବୋମା ମାଡ଼ କରିଥିଲେ। ଯାହାକୁ ନେଇ କଲେଜରେ ଚାପା ଉତ୍ତେଜନା ଲାଗି ରହିଥିଲା। ନୟାପଲ୍ଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି। ଏହାପରେ କଲେଜ କର୍ତୃପକ୍ଷ ଜରୁରୀ ବୈଠକ ଡାକି ଚଳିତବର୍ଷ ନିର୍ବାଚନକୁ ବାତିଲ କରିବା ସହ ସାଇନ୍ ଡାଏ ଘୋଷଣା କରିଥିଲେ। କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି କିଛି ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରା ନଯିବା ପର୍ଯ୍ୟନ୍ତ ଧାରଣାରୁ ହଟିବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ମହର୍ଷିରେ ଦୁଇ ପଦ ପାଇଁ ଲଢ଼େଇ
ମହର୍ଷି କଲେଜ ଅଫ୍‌ ନେଚୁରାଲ୍‌ ଲ’ରେ କେବଳ ସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି ପଦ ପାଇଁ ର‌ା‌େଜଶ କୁମାର ରଥ, ସମ୍ଭୁପ୍ରସାଦ ପଟ୍ଟନାୟକ, ଶୁଭମ୍‌ କୁମାର ସାହୁ ମୈଦାନରେ ରହିଥିବା ବେଳେ ସାଧାରଣ ସମ୍ପାଦକ ପଦ ଲାଗି ଅଶ୍ବିନୀ କୁମାର ମିଶ୍ର ଓ ସିପୁନ୍‌ କୁମାର ମଲ୍ଲିକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି। ଏମାନଙ୍କ ବ୍ୟତୀତ ନାଟ୍ୟ ସମ୍ପାଦକ ଭାବେ ସବିହା ୟୁନିସ୍‌, କ୍ରୀଡ଼ା ସମ୍ପାଦକ ଭାବେ ଅଭିଜିତ୍‌ ମହାପାତ୍ର, ଛାତ୍ରୀ କମନ୍‌ ରୁମ୍‌ ପାଇଁ ବିଶ୍ବଭାରତୀ ବେହେରା, ବିଜ୍ଞାନ ସୋସାଇଟ୍‌ ପାଇଁ ସତ୍ୟପ୍ରିୟ ସ୍ବାଇଁ ଓ କଳା ସୋସାଇଟ୍‌ ପାଇଁ ପ୍ରଳୟଜିତ୍‌ ଦାସ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

କମଳା ନେହେରୁରେ ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ
କମଳା ନେହେରୁ ମହିଳା ମହାବିଦ୍ୟାଳୟର ସଭାପତି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଛାତ୍ର ବିଜେଡି ସମର୍ଥନରେ ନାମାଙ୍କନ ଭରିଥିବା ଯୁକ୍ତ୩ ତୃତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ପ୍ରିୟଦର୍ଶିନୀ ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଛନ୍ତି। ଏହାକୁ ନେଇ ଆଜି ଅପରାହ୍‌ଣରେ କ୍ୟାମ୍ପସରେ ଉତ୍ସାହ ଦେଖିବାକୁ ମିଳିଥିଲା। ଛାତ୍ରୀମାନେ ବିଜୟ ଉତ୍ସବ ମନାଇଥିଲେ। ବାଜା, ବାଣରେ ପ୍ରକମ୍ପିତ ହୋଇ ଉଠିଥିଲା ସମ୍ପୂର୍ଣ୍ଣ ପରିବେଶ। ପ୍ରଥମ ବର୍ଷ ଛାତ୍ରୀ ରଶ୍ମିତା ବେହେରା ମଧ୍ୟ ନିର୍ଦ୍ବନ୍ଦ୍ବରେ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ନାଟ୍ୟ ସମ୍ପାଦକ ଭାବେ ସୁଶ୍ରୀ ନନ୍ଦିନୀ ପ୍ରଧାନ, କ୍ରୀଡ଼ା ସମ୍ପାଦକ ଭାବେ ଶୁଭଲକ୍ଷ୍ମୀ ସ୍ବାଇଁ ବିଜୟ ହାସଲ କରିଛନ୍ତି। ଏବେ କେବଳ ସାଧାରଣ ସମ୍ପାଦକ ପଦ ପାଇଁ ସସ୍ମିତା ମହାନ୍ତି ଓ ଟିକିନା ଦାଶଙ୍କ ମଧ୍ୟରେ ଲଢ଼େଇ ହେବ। ଆସନ୍ତା ୧୧ ତାରିଖରେ ହେବାକୁ ଥିବା ନିର୍ବାଚନରେ ଛାତ୍ରୀମାନେ କେବଳ ସାଧାରଣ ସମ୍ପାଦକ ପଦ ପାଇଁ ଭୋଟ ଦେବେ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏକାମ୍ର କଲେଜରେ ୮ ପ୍ରାର୍ଥୀ
ଏକାମ୍ର କଲେଜରେ ପ୍ରାର୍ଥିପତ୍ର ଯାଞ୍ଚ ପରେ ସଭାପତି ପଦ ପାଇଁ ସୌମ୍ୟରଞ୍ଜନ ପାତ୍ର ଓ ତୁଷାରକାନ୍ତ ସାହୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ଉପ-ସଭାପତି ପଦ ପାଇଁ ଜଗଦୀଶ ବୈଠାରୁ ଓ ଲୋପାମୁଦ୍ରା ବଳିଆ ମୁହାଁମୁହିଁ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦ ପାଇଁ ଐଶର୍ଯ୍ୟା ନାୟକ, ସ୍ମୃତିବାଳା ସେଠୀ ଓ ସହ ସମ୍ପାଦକ ପାଇଁ ବାସୁଦେବ ନାୟକ ଓ ସୁନିଲ କୁମାର ମହାନ୍ତି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।

ବିଜେବି କଲେଜ ଘରୋଇ ହଷ୍ଟେଲ୍‌ ଉପରକୁ ବୋମା ମାଡ଼
କଲେଜ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେବି ସ୍ବୟଂଶାସିତ କଲେଜରେ ଗଣ୍ଡଗୋଳ ବଢ଼ୁଛି । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କଲେଜ ନିକଟ ଏକ ଘରୋଇ ହଷ୍ଟେଲ୍ ଉପରକୁ ଘନଘନ ବୋମା ମାଡ଼ ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ଆତଙ୍କିତ ହୋଇପଡ଼ିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ପୂର୍ବରୁ ବନ୍ଧୁକ ଲଗାଇ ଜଣେ ଛାତ୍ରକୁ ଧମକଚମକ ହୋଇଥିଲା। ଏହାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରବର୍ତୀ ସମୟରେ ଏହା ଉଗ୍ରରୂପ ନେବାରେ ଲାଗିଛି। କ୍ୟାମ୍ପସ୍‌ରେ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ କଲେଜର ଅଧ କିଲୋମିଟର ଦୂରରେ ଥିବା ଏକ ଘରୋଇ ହଷ୍ଟେଲ ଉପରକୁ ବୋମା ମାଡ଼ ହୋଇଥିଲା। ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ବୋମା ପକାଇଥିଲେ। ହଷ୍ଟେଲ ନିକଟରେ ସେମାନେ ପ୍ରାୟ ୨ରୁ ୩ ମିନିଟ୍ ଅଟକି ରହିବା ପରେ ବୋମା ପକାଇ ପଳାଇଥିଲେ। ଖବରପାଇ ବଡ଼ଗଡ଼ ଥାନା ଥାନା ଅଧିକାରୀ ଶୁଭେନ୍ଦୁ ସ୍ବାଇଁ ଘଟଣାସ୍ଥଳ‌େର ପହଞ୍ଚି ଅନୁଧ୍ୟାନ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର