ଭୁବନେଶ୍ବର: ବିଏମ୍‌ସିର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ଆଜି ନିର୍ବାଚନ ହୋଇଛି। ଏହି କମିଟି ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସବୁ କମିଟି ଅଧ୍ୟକ୍ଷ ପଦବିରେ ପୁଣି ପୁରୁଣା ମୁହଁ ଦେଖିବାକୁ ମିଳିଛି। ଯେଉଁମାନେ ଯେଉଁ କମିଟିର ଅଧ୍ୟକ୍ଷ ଥିଲେ, ସେହିମାନେ ହିଁ ଅଧ୍ୟକ୍ଷ ପଦରେ ପୂନର୍ବାର ଅଧିଷ୍ଠିତ ହୋଇଛନ୍ତି। ଅନ୍ୟ କେହି ଜଣେ ହେଲେ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି। ଜଣେ ବିରୋଧୀ ନାମାଙ୍କନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବୁଝାଇ ଦିଆଯାଇଛି।

Advertisment

ତେବେ ଡେପୁଟି କମିସନର ଗାୟତ୍ରୀ ସାମନ୍ତରାୟଙ୍କ ବଦଳିକୁ ନେଇ ପୁଣି ଥରେ ହୋ ହଲ୍ଲା ହୋଇଛି। ବଦଳି ସତ୍ତ୍ବେ ସେ ବିଏମ୍‌ସି ଛାଡ଼ୁ ନାହାନ୍ତି କିମ୍ବା ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗ ମଧ୍ୟ ଛାଡ଼ୁ ନାହାନ୍ତି। ଏଣୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କୁମାରେନ୍ଦ୍ର ମହାପାତ୍ର ପୁଣି ଥରେ ଏହି ପ୍ରସଙ୍ଗ ଉଠାଇଥିଲେ। ସମ୍ପୃକ୍ତ ଅଧିକାରୀ ଏହି ଉପବିଭାଗରୁ ନ ହଟିଲେ ସେ ନାମାଙ୍କନ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଅନ୍ୟ କର୍ପୋରେଟର ମଧ୍ୟ ତାଙ୍କୁ ସମର୍ଥନ କରି ଏହ ଉପବିଭାଗ ଅଧ୍ୟକ୍ଷ ପଦ ପାଇଁ କେହି ନାମାଙ୍କନ ଦାଖଲ କରିନଥିଲେ। ଏଣୁ ବିବାଦ ବଢ଼ିଥିଲା। ପ୍ରାୟ ଏକ ଘଣ୍ଟା କାଳ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ମେୟର ସୁଲୋଚନା ଦାସ ମଧ୍ୟ ତାଙ୍କୁ ବୁଝାସୁଝା କରିଥିଲେ। ଶେଷରେ ସେ ନାମାଙ୍କନ କରିଥିଲେ।

publive-image

ଆଜି ପ୍ରେମାନନ୍ଦ ଜେନା ଅନୁପସ୍ଥିତ ଥିଲେ। ଏକ ଫୌଜଦାରୀ ମାମଲାରେ ଫସିବା ସହ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ସେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ନାମରେ ମାମଲା ଥିବାରୁ ସେ ଗିରଫ ହେବା ଆଶଙ୍କା ମଧ୍ୟ ରହିଛି। ଏଣୁ ସେ ଏହି ପଦରୁ ବାଦ୍‌ ପଡ଼ିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ତାଙ୍କର ନାମାଙ୍କନ ବିଏମ୍‌ସିକୁ ପଠାଇଥିଲେ। ଅନ୍ୟ କେହି ନାମାଙ୍କନ ନ କରିବାରୁ ସେ ବି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।
ଅନ୍ୟପଟେ ଜଣେ ବିଜେପି କର୍ପୋରେଟର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ମନ ବଳେଇଥିଲେ। କିନ୍ତୁ ସମେସ୍ତ ମିଶି ତାଙ୍କୁ ବୁଝାସୁଝା କରିଥିଲେ। ବିଜେପି, ସ୍ବାଧୀନ ଓ କିଛି ବିଜେଡି କର୍ପୋରେଟର ମିଶିଗଲେ କାଳେ ବିଜେପି କର୍ପୋରେଟର ଜିତିଯିବେ ସେଥିପାଇଁ ତାଙ୍କୁ ଯଥା ସମ୍ଭବ ବୁଝାସୁଝା କରି ବସାଇ ଦିଆଯାଇଥିଲା।

ମେୟର ସୁଲୋଚନା ଦାସଙ୍କ ଆହ୍ୱାନ କ୍ରମେ ବିଭିନ୍ନ କମିଟି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ନିର୍ବାଚନ ଅଧିକାରୀ ଭାବେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ନାମାଙ୍କନପତ୍ରଗୁଡିକୁ ଯାଞ୍ଚ କରିବା ସହ ପ୍ରତ୍ୟାହାର ପାଇଁ ସମୟ ଘୋଷଣା କରିଥିଲେ। କୌଣସି ପଦ ପାଇଁ ଏକାଧିକ ପ୍ରତିଦ୍ୱନ୍ଦ୍ୱୀ ନଥିଲେ କି ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ନାମାଙ୍କନ ପତ୍ର ପ୍ରତ୍ୟାହାର ମଧ୍ୟ କରିନଥିଲେ। ବିଏମ୍‌ସି ଏକାମ୍ର ହଲରେ ଅନୁଷ୍ଠିତ ଏହି ନିର୍ବାଚନରେ ଡେପୁଟି ମେୟର ମଞ୍ଜୁଲତା କହଁର, ସ୍ୱତନ୍ତ୍ର କର୍ପୋରେସନ ଅଧିକାରୀ ଡେପୁଟି କମିସନର ସପନ କୁମାର ନନ୍ଦ ଓ ଆଶିଷ୍ଟାଣ୍ଟ କମିସନର ଏନ. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।