ବେଣୁପୁରରେ ନିର୍ବାଚନୀ ହିଂସା: ଠେଙ୍ଗାମାଡ଼ରେ ଯୁବକ ଗୁରୁତର

ବାଲିଅନ୍ତା : ସ୍ଥାନୀୟ ବେଣୁପୁର ଗ୍ରାମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି। ଏଥିରେ ସୁମନ୍ତ ଭୋଇ(୩୬) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପରିବାରଲୋକ ସୁମନ୍ତକୁ ଉଦ୍ଧାର କରି ଚିକିତ୍ସା ଲାଗି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ସୁମନ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଗଣ୍ଡଗୋଳ ସଂପର୍କରେ ସୁମନ୍ତଙ୍କ ପରିବରାଲୋକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ବାଲିଅନ୍ତା ଥାନା ପୁଲିସ ମାମଲାର ତଦନ୍ତ କରୁଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି। ଗଣ୍ଡଗୋଳ ଆଶଙ୍କାରେ ଗ୍ରାମର ପୁଲିସ ପାଟ୍ରୋଲିଂ କରୁଛି।

ସୂଚନା ଅନୁସାରେ ଗତକାଲି ରାତିରେ ଗ୍ରାମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର ହେଉଥିଲା। ନିର୍ଦ୍ଧାରିତ ସମୟ ପରେ ଗ୍ରାମ ଭିତରକୁ ପ୍ରଚାର ଗାଡ଼ି ନ ଆସିବାକୁ ସୁମନ୍ତ ବାଉଁଶ ଧଡ଼ା ବାନ୍ଧୁଥିଲେ। ସେହି ସମୟରେ ଏକ ପ୍ରଚାର ଗାଡ଼ି ଗାଁ ଭିତରକୁ ଆସିଥିଲା। ସୁମନ୍ତ ବିରୋଧ କରି ଗାଡ଼ି ଫେରାଇ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିରୋଧୀ ଗୋଷ୍ଠୀ ସମର୍ଥିତ ଯୁବକମାନେ ଆଜି ସଂଧ୍ୟାରେ ସୁମନ୍ତଙ୍କୁ ଗାଁ ମହାବୀର ମନ୍ଦିର ପାଖରେ ଠେଙ୍ଗାରେ ଆକ୍ରମଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର