ରାଜଧାନୀରେ ପ୍ରାକ୍ ନିର୍ବାଚନୀ ହିଂସା : ୪୪ଟି ଅତ୍ୟନ୍ତ ସମ୍ବେଦନଶୀଳ ବୁଥ୍‌

ଭୁବନେଶ୍ବର : ଭୁବନେଶ୍ବରରେ ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୩ ଦିନ ବାକି। କିନ୍ତୁ ଏହା ମଧ୍ୟରେ ରାଜଧାନୀରେ ପ୍ରାକ ନିର୍ବା‌ଚନୀ ହିଂସା‌ ଆରମ୍ଭ ହୋଇ ଗଲାଣି। ଗତ ୫ ଦିନ ମଧ୍ୟରେ ରାଜନୈତିକ ଦଳର ପ୍ରାର୍ଥୀ ଓ ସମର୍ଥକମାନଙ୍କୁ ଆକ୍ରମଣ ହୋଇଛି। କେଉଁଠି ବୋମାମାଡ଼ ହୋଇଛି ତ ଆଉ କେଉଁଠି ଫାଙ୍କା ଗୁଳି ଚାଳନା। ସମର୍ଥକମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ମଧ୍ୟ ଘଟୁଛି। ଏହାକୁ ନେଇ ଏବେ କମିସନରେଟ ପୁଲିସ ଚିନ୍ତାରେ। କାରଣ ଏହାର ସିଧା ସଳଖ ପ୍ରଭାବ ନିର୍ବାଚନ ଉପରେ ପଡ଼ିବାର ଆଶଙ୍କା ରହିଛି। ଏପରିକି ନିର୍ବାଚନବେଳେ ବୁଥ ରିଗିଂର ସମ୍ଭାବନା ବି ରହିଛି। ଏହାକୁ ନେଇ ଆଜି କମିସନରେଟ ପୁଲିସ ମୁଖ୍ୟାଳୟରେ ଏକ ବୈଠକ ବସିଥିଲା। ଯେଉଁଥିରେ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା କ’ଣ ରହିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଭୁବନେଶ୍ବରରେ ଥିବା ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଏହି ସବୁ ବୁଥଗୁଡ଼ିକରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ। ଭୋଟରମା‌ନେ କିଭଳି ସୁରକ୍ଷିତ ଭାବେ ମତଦାନ ପ୍ରଦାନ କରିବେ ତାକୁ ନେଇ ଆଲୋଚନା ହୋଇଥିଲା।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ବରରେ ୪୯୫ ଭୋଟ ଗ୍ରହଣ କେନ୍ଦ୍ର ରହିଛି। ଯେଉଁଥିରେ ୧୧୫୬ଟି ବୁଥ ରହିଛି। ଏଥି ମଧ୍ୟରୁ ୧୮୧ ବୁଥ୍‌ ସମ୍ବେଦନଶୀଳ। ୪୪ରୁ ୫୦ଟି ପାଖାପାଖି ବୁଥ୍‌ ଅତ୍ୟନ୍ତ ସମ୍ବେଦନଶୀଳ। ଏହି ସବୁ ବୁଥ୍‌ ଲକ୍ଷ୍ମୀସାଗର, ନୂଆପଲ୍ଲୀ, ଖଣ୍ଡଗିରି, ଜଟଣୀ, ଶ୍ରୀଲିଙ୍ଗରାଜ, ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଆସୁଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ବେଳେ ୫୦ଟି ମୋବାଇଲ ଟିମ ସହରରେ ପଇଁତରା ମାରିବେ। ୨୦ ଜଣ ସେକ୍ଟର ଅଫିସର, ୯୪ ଜଣ ଆସିସଷ୍ଟାଣ୍ଟ ସେକ୍ଟର ଅଫିସର, ୧୧ ଏସିପି, ୧୪ଟି ଫ୍ଲାଇଂ ସ୍କ୍ବାଡ, ୧୪ଟି ସର୍ଭେଲାନ୍ସ ଟିମ୍, ପୁଲିସର ଦୁଇଟି କଂଟ୍ରୋଲ ରୁମ, ଗୋଟିଏ ଇଭିଏମ ଷ୍ଟ୍ରଙ୍ଗ ରୁମ୍, ୫ ଜଣ ଏଡିସିପି, ୮ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟର, ୨୫୧ ଜଣ ଏସଆଇ ଓ ୨୫ଶହ ପୁଲିସ ଫୋର୍ସ ନି‌ୟୋଜିତ ହେବେ। ଡିସିପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ।

ନିର୍ବାଚନ ବେଳେ ଟଙ୍କା କାରବାର, ଚୋରା ମଦ କାରବାର ଓ ଭୋଜିଭାତ ଉପରେ ଫ୍ଲାଇଂ ସ୍କ୍ବାଡ୍‌ ନଜର ରଖିବ। ଏହା ଛଡ଼ା ଗତ ଫେବ୍ରୁଆରି ମାସରୁ ଭୁବନେଶ୍ବର ଓ କଟକରେ ଥିବା ବିଭିନ୍ନ ହୋଟେଲ, ଲଜ୍‌ ଆଦିରେ ଯାଞ୍ଚ କରାଯଉଛି। ବିଳମ୍ବିତ ରାତିରେ ବିଭିନ୍ନ ଛକରେ ବ୍ଲକିଂ କରାଯାଉଛି ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ପେଶାଗତ ଅପରାଧୀଙ୍କୁ ୧୧୦ ଦଫା‌ରେ ଗିରଫ କରିବାକୁ ସମସ୍ତ ଥାନା ଇନ୍ସପେକ୍ଟରଙ୍କୁ ନିର୍ଦେଶ ମଧ୍ୟ ହୋଇଛି। ଆଜିର ବୈଠକରେ ପୁଲିସ କମିସନର ଶ୍ରୀ ମହାନ୍ତି, ଅତିରିକ୍ତ ପୁଲିସ କମିସନର ସଂଜୟ ସିଂହ, ଭୁବନେଶ୍ବର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ ସିଂହ ପ୍ରମୁଖ ଯୋଗ ଦେଇଥିଲେ।

କମିସନରଟ ପୁଲିସ ପକ୍ଷରୁ ସ୍ପେସାଲ ଡ୍ରାଇଭ୍‌, ଅଢ଼େଇ ମାସରେ ୪୦ ବନ୍ଧୁକ ଜବତ

ନିର୍ବାଚନ ସମୟରେ କୌଣସି ପ୍ରକାରର ଅପରାଧ ଯେମିତି ନ ଘଟେ ସେଥିପାଇଁ କମିସନରେଟ ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଯେଉଁଥି‌ରେ ସ୍ପେସାଲ ସ୍କ୍ବାଡ୍ ଓ କୁଇକ ଆକ୍ସନ ଟିମକୁ ସାମିଲ କରାଯାଇଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଗତ ଫେବ୍ରୁଆରି ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏଯାଏ ୪୦ଟା ବନ୍ଧୁକ ଜବତ ହୋଇ ସାରିଲାଣି। ପାଖାପାଖି ୩୫ ଜଣ ଅସାମାଜିକ ଯୁବକ ଗିରଫ ହୋଇ ସାରିଲେଣି। ଆଗାମୀ ଦିନରେ ଏଭଳି ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି।

ନିର୍ବାଚନ ପୂର୍ବରୁ ରାଜଧାନୀରେ ଘଟିଥିବା କେତେକ ପ୍ରାକ୍ ନିର୍ବାଚନୀ ହିଂସା

ଭୁବନେଶ୍ବର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ, କ୍ୟାପିଟାଲ ଥାନାରେ ଏତଲା

ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନାଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼, ଲକ୍ଷ୍ମୀସାଗର ଥାନାରେ ଏତଲା

ଭୁବନେଶ୍ବର ଉତ୍ତରର ବିଜେପି ପ୍ରାର୍ଥିନୀ ଅପରାଜିତା ମହାନ୍ତିଙ୍କ ସମର୍ଥକମାନଙ୍କୁ ନୀଳାଦ୍ରିବିହାର ମଙ୍ଗଳା ବସ୍ତି ନିକଟରେ ଆକ୍ରମଣ, ଚନ୍ଦ୍ରଶେଖରପୁର ଥାନାରେ ଏତଲା

ନୂଆପଲ୍ଲୀ ୟୁନିଟ-୮ ବିଜେପି କାର୍ଯ୍ୟାଳୟ ଉପରକୁ ବୋମାମାଡ଼, ନୂଆପଲ୍ଲୀ ଥାନାରେ ଏତଲା

ଚନ୍ଦ୍ରଶେଖରପୁର ଥାନା ଅଧୀନ ମଙ୍ଗଳାବସ୍ତିରେ କେତେକ ଅଜଣା ଦୁର୍ବୃତ୍ତଙ୍କ ଦୋକାନ ଭଙ୍ଗାରୁଜା

ସମ୍ବନ୍ଧିତ ଖବର