ବୋତଣ୍ଡାରେ ନିର୍ବାଚନୀ ହିଂସା: ଗାଁ ଦାଣ୍ଡରେ ଖଣ୍ଡା ବୁଲାଇଲା ଦୁର୍ଦ୍ଦାନ୍ତ ରାକା, ବିଜେଡି କର୍ମୀ ଆହତ

ଗିରଫ ଦାବିରେ ଟାୟାର୍ ଜାଳି ରାସ୍ତାରୋକ୍‌

ଭୁବନେଶ୍ବର : ଗୁରୁବାର ଦିନ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସରିଥିବା ବେଳେ ସନ୍ଧ୍ୟାରେ ଅଶାନ୍ତ ହୋଇପଡ଼ିଥିଲା ରାଜଧାନୀ ଉପକଣ୍ଠ ବୋତଣ୍ଡା। ଦୁର୍ଦ୍ଦାନ୍ତ ଅପରାଧୀ ରାକା ବେହେରା ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ସହ ଜଣେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତା ଖଣ୍ଡା ଚୋଟରୁ ବିଜେଡି କର୍ମୀ ହେମନ୍ତ ପଟ୍ଟନାୟକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି। ପରେ ରାକାକୁ ଗିରଫ କରିବାକୁ ଦାବି କରି ବୋତଣ୍ଡା ଗ୍ରାମବାସୀମାନେ ଟାୟାର୍ ଜାଳି ଗଙ୍ଗାଯମୁନା ଆପାର୍ଟମେଣ୍ଟ ନିକଟରେ ସୁନ୍ଦରପଦା-ଜଟଣୀ ରାସ୍ତାକୁ ଅବରୋଧ କରିଥିଲେ। ଏୟାର୍‌ଫିଲ୍‌ଡ ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ଧାରଣାରୁ ଉଠିଥିଲେ। ତଥାପି ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ଗାଁରେ ପୁଲିସ ମୁତୟନ କରାଯାଇଛି।

ଗୁରୁବାର ରାତି ପ୍ରାୟ ୯ଟା ବେଳେ ରାକା ଖଣ୍ଡା ବୁଲାଇ ବୁଲାଇ ଗାଁ ଭିତରେ ପଶିଥିଲା। ତାକୁ ରୂପ ଦେଖି ଲୋକେ ଦାଣ୍ଡରୁ ପଳାଇବା ସହ ଘର କିଳି ଦେଇଥିଲେ। ଗାଳିମନ୍ଦ କରି ସେ ହେମନ୍ତ ପଟ୍ଟନାୟକଙ୍କୁ ଖୋଜିଥିଲା। ତାଙ୍କ ଦାଣ୍ଡରେ ଠିଆ ହୋଇ ମହିଳାମାନଙ୍କୁ ଗାଳିମନ୍ଦ କରିଥିଲା। ହେମନ୍ତ ଘରୁ ବାହାରି ଆସି ତାକୁ ବିରୋଧ କରିଥିଲେ। ରାକା ତାଙ୍କୁ ଖଣ୍ଡାରେ ଆକ୍ରମଣ କଲା ବେଳେ ସେ ଆହତ ହୋଇଥିଲେ। ଏହା ପରେ ରାକା ତାଙ୍କ କାର୍‌ (ଓଡି୦୨ୱାଇ୧୫୭୭)ର କାଚକୁ ଭାଙ୍ଗି ପକାଇଥିଲା ଓ ସେଠାରୁ ପଳାଇଥିଲା। ସେ ଚାଲିଯିବା ପରେ ସ୍ଥାନୀୟ ଲୋକେ ରାସ୍ତାକୁ ଆସି ଟାୟାର ଜାଳି ରାସ୍ତାରୋକ୍‌ କରିଥିଲେ। ତାକୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ରାକାର ଦୁଇ ଭାଇ ସୁବାସ ଓ ପ୍ରକାଶ ଅଲଗା ଅଲଗା ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିଲେ। ଏନେଇ ଦୁଇ ଭାଈଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପ୍ରକାଶ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ପ୍ରକାଶର ଅଭିଯୋଗ ଅନୁସାରେ ଗତକାଲି ଏୟାରଫିଲଡ୍‌ ଥାନା ପୁଲିସ ସୁବାସକୁ ଉଠାଇ ନେଇ ଆଜି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ରାକା ପ୍ରତିଶୋଧପରାୟଣ ହୋଇଉଠିଥିଲା। ସୁବାସ ଗିରଫ ହେବା ପଛରେ ବିଜେଡି କର୍ମୀ ହେମନ୍ତଙ୍କ ହାତ ରହିଛି ବୋଲି ସେ ଆଜି ତାଙ୍କୁ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର