ଭୁବନେଶ୍ବର: ରାଜ୍ୟରେ ୭ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ହୋଇ ନାହିଁ। ପ୍ରଥମେ ଗଣ୍ଡଗୋଳ, ତା’ପରେ କୋଭିଡ୍। ଏମିତି ଗୋଟିଏ ପରେ ଗୋଟିଏ ଆଳ ଦେଖାଇ ବିଜେଡି ସରକାର ନିର୍ବାଚନକୁ ଟାଳି ଦେଇଥିଲେ। କ୍ୟାମ୍ପସ୍ରୁ ସୃଷ୍ଟି ହୋଇପାରି ନଥିଲେ ଛାତ୍ରନେତା। ୨୦୨୨, ୨୦୨୩ରେ କୋଭିଡ୍ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ନିର୍ବାଚନ କରିବାକୁ ସରକାର ଆଗ୍ରହ ଦେଖାଇ ନଥିଲେ ୨୦୨୪ରେ ରାଜ୍ୟରେ ସରକାର ବଦଳିବା ପରେ ନିର୍ବାଚନ ନେଇ ଆଶା ସଞ୍ଚାର ହୋଇଥିଲା। ମାତ୍ର ସମୟ ଅଭାବ ଦର୍ଶାଇ ଶେଷ ମୁହୂର୍ତ୍ତରେ ନିର୍ବାଚନ ନ କରିବାକୁ ବିଜେପି ନେତୃତ୍ବାଧୀନ ନୂଆ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରତିଶ୍ରୁତି ଦେଇଥିଲେ ଯେ ଆସନ୍ତାବର୍ଷକୁ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏସମ୍ପର୍କରେ ଏକାଧିକ ଥର ସର୍ବସାଧାରଣରେ ଘୋଷଣା କରି ସାରିଛନ୍ତି। ତେବେ କେବେ ହେବ ନିର୍ବାଚନ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସାଧାରଣତଃ ଦଶହରା ଛୁଟି ପୂର୍ବରୁ କ୍ୟାମ୍ପସ୍ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ସେହି ଅନୁଯାୟୀ ତିନି ସପ୍ତାହ ଆଗରୁ ବିଜ୍ଞପ୍ତି ପ୍ରକାଶ କରାଯାଏ। ଏଥର ଦଶହରା ଛୁଟି ସେପ୍ଟେମ୍ବର ଶେଷ ସପ୍ତାହରୁ ହେଉଥିବାରୁ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ପ୍ରକ୍ରିୟା ଆରମ୍ଭ ହୋଇଯିବା କଥା। ମାତ୍ର ସରକାରୀ ସ୍ତରରେ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତୁତି ହୋଇ ନାହିଁ। ବିଜ୍ଞପ୍ତି ଦୂରର କଥା, ନିର୍ବାଚନ ସମ୍ପର୍କରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ କେହି ବି ସରକାରୀ ଅଧିକାରୀ ବିଚାରବିମର୍ଶ କରିନାହାନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ବି ନିର୍ବାଚନ ସମ୍ପର୍କରେ କିଛି କହୁନାହାନ୍ତି। ଯେଉଁଥିପାଇଁ ଏବେ ସମସ୍ତେ ଦ୍ବନ୍ଦ୍ବରେ ଅଛନ୍ତି। ନିର୍ବାଚନ କରାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଥିବାରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତ ହୋଇରହିଛନ୍ତି। ନିର୍ବାଚନ ହେବାକୁ ଥିବାରୁ ଏହି ସମୟରେ ଶିକ୍ଷାନୁଷ୍ଠାନର କୌଣସି କାର୍ଯ୍ୟକ୍ରମ ଯେପରିକି ପରୀକ୍ଷା, ଅଭିଭାବକଙ୍କ ବୈଠକ, ସିଣ୍ଡିକେଟ୍ ବୈଠକ କରାଯାଉନାହିଁ। କୌଣସି କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି। ନିର୍ବାଚନକୁ ଓହ୍ଲାଇବାକୁ ଥିବା ଆଶାୟୀ ପ୍ରାର୍ଥୀମାନେ ଏବେଠୁ ଖର୍ଚ୍ଚ କରିବେ କି ନାହିଁ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ମାତ୍ର ନିର୍ବାଚନକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି। ଯେତେଶୀଘ୍ର ସମ୍ଭବ ତାରିଖ ଘୋଷଣା କରିବାକୁ ସେମାନେ କହିଛନ୍ତି। ଛାତ୍ର ସଂସଦ ନିର୍ବାଚନ ହୋଇ ନୂଆ ନେତା ଆଗକୁ ଆସନ୍ତୁ। ପରବର୍ତ୍ତୀ ସମୟରେ ରାଜ୍ୟ ଓ ଦେଶର ନେତୃତ୍ବ ନେବା ପାଇଁ ଛାତ୍ରସଂସଦ ନିର୍ବାଚନ ଜରୁରି ବୋଲି କଲେଜ ଛାତ୍ରଛାତ୍ରୀମାନେ କହିଛନ୍ତି।