ଫୋନ୍‌-ଇନ୍‌-ପ୍ଲିଜ୍‌: ନିର୍ବାଚନ ଏବେ ବ୍ୟବସାୟ

ନିର୍ବାଚନ ଏବେ ବ୍ୟବସାୟ‌ରେ ପରିଣତ ହୋଇଗଲାଣି। ଯେଉଁ ଦଳ ଯେତେ ଖର୍ଚ୍ଚ କରୁଛି, ସେତେ ଜନମତ ହାସଲ କରିପାରୁଛି। ଲୋକମାନେ ମଧ୍ୟ ଏଭଳି ନେତାଙ୍କ ଦ୍ବାରା ପ୍ରଲୋଭିତ ହୋଇ ନିଜର ବହୁମୂଲ୍ୟ ଭୋଟ୍‌କୁ ବିକ୍ରି କରି‌ ଦେଉଛନ୍ତି। ପରେ ସେହି ନେତାମାନେ କ୍ଷମତାକୁ ଆସିଲେ ରାଜକୋଷରୁ ଲୁଟ୍‌ କରୁଛନ୍ତି। ଏଥିରେ ଦେଶର ଉନ୍ନତି ପରିବର୍ତ୍ତେ ଅବନତି ଘଟୁଛି। ତେଣୁ ଏଭଳି ହୀନ କାର୍ଯ୍ୟଠାରୁ ଉଭୟ ଜନତା ଏବଂ ନେତା ନିବୃତ୍ତ ରହିବା ଦରକାର ବୋଲି ଚଳିତଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ମାଗଣା ବଣ୍ଟନ ସବୁଠୁ ବଡ଼ ନିର୍ବାଚନୀ ଅସ୍ତ୍ର’ରେ ଅଧିକାଂଶ ପାଠକ ମତ ଦେଇଛନ୍ତି।

ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ଠିକ୍‌ କିଛି ମାସ ପୂର୍ବରୁ ରାଜ୍ୟ ସରକାର ବୁଲି ବୁଲି ସ୍ବାସ୍ଥ୍ୟ କାର୍ଡ଼ଠାରୁ ଆରମ୍ଭ କରି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାମାନ ପ୍ରଣୟନ କଲେ। ଏହା କେବଳ ଶାସକ ଦଳ ପକ୍ଷରୁ ଳାଳସା ଦେଇ ଭୋଟର୍‌ମାନଙ୍କୁ ନିଜ ପ୍ରତି ଆକର୍ଷିତ କରାଯାଉଛି। ପ୍ରକୃତରେ ଏହା ହିଁ ଯୋଜନା ନାମରେ ମା‌ଗଣା ବଣ୍ଟନ।
ଦେବାଶିଷ ସାହୁ, ନୟାଗଡ଼
ଶେଖ୍ ୟାକୁବ, ଗୋପ, ପୁରୀ
ସୀମାଞ୍ଚଳ ସାହୁ, ବରଗଡ଼

ରାଜନୀତିରେ ସକ୍ରିୟ ଥିବା‌ ଅଧିକାଂଶ ବ୍ୟକ୍ତି ଭ୍ରଷ୍ଟାଚାରୀ। ଏମାନେ କ୍ଷମତାକୁ ଆସିବା ପାଇଁ କୌଣସି ବି ହୀନ କାର୍ଯ୍ୟ କରିବାକୁ ପଛାଉନାହାନ୍ତି। ଭୋଟର୍‌ମାନଙ୍କୁ ଆକର୍ଷିତ କରିବା ପାଇଁ ଟଙ୍କା, ମଦ, ମାଂସ ଆଦିକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି।
ଶ୍ରୀଧର ବଳିୟାରସିଂହ, ବରମୁଣ୍ଡା
ସୁଧାକର ଦାସ, ଖଣ୍ଡପଡ଼ା

ନେତାମାନେ ରାଜକୋଷକୁ ଲୁଟ୍‌ କରି ଜନତାଙ୍କୁ ପ୍ରଲୋଭିତ କରି ନିଜ ଆଡ଼କୁ ଆକୃଷ୍ଟ କରୁଛନ୍ତି। ବିଭିନ୍ନ ପ୍ରକାର ମାଗଣା ଯୋଜନା ଦେଇ ଲୋକମାନଙ୍କୁ ଅଳସୁଆ କରି ଦେଉଛନ୍ତି। ଏହାଦ୍ବାରା ଗଣତନ୍ତ୍ରର ହତ୍ୟା କରାଯାଉଛି। ତେଣୁ ନେତାମ‌ାନେ ଏଭଳି ଆଚରଣଠାରୁ ଦୂରେଇ ରହିବା ଉଚିତ।
ଅଶୋକ କୁମାର ଆଢ଼୍ୟ, ପୁରୀ

ବର୍ତ୍ତମାନ ଲୋକ ବ୍ୟକ୍ତିତ୍ବ ଦେଖି ନିଜର ମତଦାନ କରୁନାହାନ୍ତି। ଗୁଣ୍ଡା, ବଦ୍‌ମାସ, ଭ୍ରଷ୍ଟାଚାରୀମାନଙ୍କ ପ୍ରଲୋଭନର ଶିକାର ହୋଇ ନିଜର ବହୁମୂଲ୍ୟ ଭୋଟ୍‌କୁ ଅପଚୟ କରୁଛନ୍ତି। ଫଳରେ ତାଙ୍କ ନିଜର ଏବଂ ନିଜ ଅଞ୍ଚଳର କୌଣସି ଉନ୍ନତି ହୋଇପାରୁନାହିଁ।
ଅମିତ କୁମାର ବଗର୍ତ୍ତି, ବଲାଙ୍ଗୀର

।ରାଜନେତାମାନେ ମାଗଣା ଯୋଜନାକୁ ଅମୋଘ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି। ନିର୍ବାଚନ ଆସିଲେ ଆଖିଦୃଶିଆ ଯୋଜନା କରି ଲୋକମାନଙ୍କୁ ପ୍ରଲୋଭିତ କରୁଛନ୍ତି। ପରେ ସେହି ଯୋଜନାଗୁଡ଼ିକରେ ଅନେକ ପରିବର୍ତ୍ତନ ଆଣୁଛନ୍ତି ଅଥବା ତାକୁ ସଂପୂର୍ଣ୍ଣ ବନ୍ଦ କରି ଦେଉଛନ୍ତି। ଏହାଦ୍ବାରା ଲୋକମାନେ ପ୍ରତାରିତ ହେଉଛନ୍ତି।
ରାକେଶ ବଳ, କେନ୍ଦ୍ରାପଡ଼ା

ବର୍ତ୍ତମାନ ସମୟରେ ମାଗଣା ବଣ୍ଟନ ହିଁ ରାଜନୈତିକ ବିଜୟର ଏକମାତ୍ର ଅସ୍ତ୍ର ପାଲଟିଛି। ସବୁ ରାଜନୈତିକ ଦଳମାନେ କିଛି ପ୍ରଲୋଭନ ଦେଖାଇ ଭୋଟର୍‌ମାନଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏମିତିକି ଯେଉଁ ଦଳ ଶାସନରେ ‌ରହୁଛି ସେ ନିଜର ସତ୍ତାକୁ ସୁରକ୍ଷିତ ରଖିବା ପାଇଁ ହଜାର ହଜାର କୋଟି ଟଙ୍କା ଋଣ କରି ଯୋଜନା ପରେ ଯୋଜନା ବର୍ଷା‌ କରିଚାଲିଛି। ଫଳରେ ଲୋକମାନେ ଅଳସୁଆ ହୋଇଯାଉଛନ୍ତି। ତେଣୁ କ୍ଷମତାସୀନ ଦଳ ଏପରି କାର୍ଯ୍ୟଠାରୁ ଦୂରେଇ ରହି ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ କାର୍ଯ୍ୟ କରନ୍ତୁ।
ପ୍ରଦୀପ ମିଶ୍ର, ନୟାଗଡ଼
ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ଯେଉଁ ନେତା ଯେତେ ବାଣ୍ଟିଲେ, ସେତେ ‌ଭୋଟ୍‌ ତାଙ୍କ ପକେଟ୍‌କୁ ଗଲା। ଲୋକପ୍ରିୟତା ଅର୍ଜନର କରିବାର ଏହା ଏକ ପ୍ରମୁଖ ମାଧ୍ୟମ। ଲୋକମାନେ ବି ‘ଦେଲେ ନେଲେ ସିନା କଥା ସୁନ୍ଦର’ ଉକ୍ତିକୁ ନେଇ ଏ କ୍ଷେତ୍ରରେ ପଛଘୁଞ୍ଚା ଦେଉନାହାନ୍ତି କି ଭବିଷ୍ୟତ କ’ଣ ହେବ, ଚିନ୍ତା କରୁନାହାନ୍ତି।
କୈଳାସ ଚନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା

ନେତା ଦେଉଥିବା ଟଙ୍କା, ମଦ, ମାଂସକୁ ସମସ୍ତେ ଆଖିବନ୍ଦ କରି ଗ୍ରହଣ କରି ନେଉଛନ୍ତି। କିନ୍ତୁ ଏହା ସେମାନେ କୋଉଠୁ ଆଣୁଛନ୍ତି ସେ ଦିଗରେ କେହି ଚିନ୍ତା କରୁନାହାନ୍ତି। ପ୍ରଥମେ ନେତାମାନେ ଲୋଭନୀୟ ଅଫର୍‌ ଦେଇ ଜନତାକୁ ଆକୃଷ୍ଟ କରୁଛନ୍ତି। ପରେ କ୍ଷମତାକୁ ଆସିଲା ପରେ ଲୁଟ୍‌ କରୁଛନ୍ତି।
ନୀଳମଣି ମିଶ୍ର, ସୁନ୍ଦରପଦା
ଦୀପ୍ତିରଞ୍ଜନ ସାହୁ, ପୁରୀ

ନିର୍ବାଚନ ପୂର୍ବରୁ ମାଗଣା ବଣ୍ଟନ କରି ଭୋଟ୍‌ ଦାତାମାନଙ୍କୁ ପ୍ରଲୋଭିତ କରିବା ଏକ ଦୁଃଖଦାୟକ ଘଟଣା। ନିଜର ସୁନ୍ଦର ଭାବମୂର୍ତ୍ତି ବଜାୟ ରଖିବା ପାଇଁ ନେତାମାନେ ଯେଉଁଭଳି କୂଟନୈତିକ ଆଚରଣ ପ୍ରଦର୍ଶନ କରୁଛନ୍ତି, ତାହା ସଂପୂର୍ଣ୍ଣ ନିନ୍ଦନୀୟ।
ଡାକ୍ତର ଦୀନନାଥ ଦାସ, ଲକ୍ଷ୍ମୀସାଗର

ସରକାର ସବୁବେଳେ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରି ଲୋକମାନଙ୍କୁ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଥା’ନ୍ତି। ଏହାକୁ ମାଗଣା କହି କଦର୍ଥ କରିବା ଆଦୌ ଠିକ୍‌ ନୁହେଁ। ହେଲେ ସାଧାରଣରେ ଏଭଳି ବକ୍ତବ୍ୟକୁ ଗ୍ରହଣ କରାଯାଉଛି। କାରଣ ଏବେ ଜନତା ଏବଂ ନେତାଙ୍କ ମଧ୍ୟରେ ଏକ ନକାରାତ୍ମକ ସମ୍ପର୍କ ସ୍ଥାପନ ହୋଇଯାଇଛି। ଅନ୍ୟପ‌ଟେ ‌ଏହି ନେତାମାନେ ମଧ୍ୟ କ୍ଷମତାସୀନ ହୋଇ ଯୋଜନା ନାମରେ ଲୁଟ୍‌ କରିବାରେ ଲାଗିଛନ୍ତି। ତେଣୁ ଏଠି ‘କଂସେଇ ଶାସକକୁ ଖଣ୍ଟ ପ୍ରଜାକୂଳ’ ଶାସନ ଚାଲିଛି।
ରାମଶଙ୍କର, ଖୋର୍ଦ୍ଧା

ନିର୍ବାଚନକୁ ନେତାମାନେ ବ୍ୟବସାୟରେ ପରିଣତ କରିଦେଲେଣି। ଲୋକମାନଙ୍କୁ ମାଗଣାରେ ମଦ, ମାଂସ, ଅର୍ଥ ଦେଇ କ୍ଷମତାକୁ ଆସୁଛନ୍ତି। ପରେ ରାଜକୋଷରୁ ଖର୍ଚ୍ଚ କରୁଥିବା ତିନି ଗୁଣ ଅର୍ଥ ଲୁଟ୍‌ କରୁଛନ୍ତି। ତେଣୁ ଜନସାଧାରଣ ସଚେତନ ହୋଇ ଏଥିରେ ପ୍ରଲୋଭିତ ନହୋଇ ଏଗୁଡ଼ିକୁ ବର୍ଜନ କଲେ ହିଁ ରାଷ୍ଟ୍ରର ବା‌ସ୍ତବ ଉନ୍ନତି ହୋଇପାରିବ।
ଛାୟାକାନ୍ତ ନାୟକ, ପୁରୀ
ଦେବେନ୍ଦ୍ର ଦୀକ୍ଷିତ, ସାକ୍ଷୀଗୋପାଳ, ପୁରୀ

ଧନୀକ ଶ୍ରେଣୀର ଲୋକମାନେ ନିର୍ବାଚନରେ ଅଂଶଗ୍ରହଣ କରି ଗରିବ ଲୋକଙ୍କୁ କିଛି ଲୋଭ ଦେଖାଇ ଭୋଟ ହାତେଇ ନେଉଛନ୍ତି। ଯାହା ଗରିବ ଲୋକଙ୍କ ସମ୍ମାନ ସହ ଖେଳିବା ସହ ସମାନ। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ହେବା ଉଚିତ ନୁହେଁ।
ପବିତ୍ର କୁମାର ସାହୁ, ଶୈଳଶ୍ରୀବିହାର

ପଞ୍ଚାୟତ ନିର୍ବାଚନ ଏକ ନିର୍ଦଳୀୟ ବିଧି ବ୍ୟବସ୍ଥା। ହେଲେ ଏଥିରେ ପ୍ରତିନିଧିତ୍ବ କରୁଥିବା ବ୍ୟକ୍ତିବିଶେଷ ଶାସକ, ବିରୋଧୀ ଦର୍ଶାଇ ଲୋକମାନଙ୍କୁ ଟଙ୍କା, ମଦ, ମାଂସ ଦ୍ବାରା ପ୍ରଲୋଭିତ କରୁଛନ୍ତି। ଏମିତିକି ଗରିବ ଲୋକମାନେ କିଛି ଟଙ୍କା ପାଇବା ଆଶାରେ ସହଜରେ ଏମାନଙ୍କର ପ୍ରଲୋଭନର ଶିକାର ହେଉଛନ୍ତ। ଏହା ସଂପୂର୍ଣ୍ଣ ଗଣତନ୍ତ୍ର ବିରୋଧୀ। ତେଣୁ ଦୟାକରି ନେତାମାନେ ଏଥିରୁ ନିବୃତ୍ତ ରୁହନ୍ତୁ।
ଦିବ୍ୟଲୋଚନ ଭାରିମଲ୍ଲ, ଖୋର୍ଧା
ଶ୍ରୀବାସ ମହାନ୍ତି, ଭୁବନେଶ୍ୱର
କାବୁ ମିଶ୍ର, ଗୌତମନଗର

ପୂର୍ବାପେକ୍ଷା ବର୍ତ୍ତମାନ ଲୋକମ‌ାନେ ବହୁତ ସଚେତନ ହେଲେଣି। ସେଥିପାଇଁ ଅନେକ ନିର୍ବାଚନମଣ୍ଡଳୀରେ ଶାସକ ଦଳର ପରିବର୍ତ୍ତନ ଦେଖାଯାଉଛି। କେତେକ ସ୍ଥାନରେ ଭୋଟର୍‌ମାନେ ପ୍ରାର୍ଥୀଙ୍କୁ ଦେଖି ପସନ୍ଦ କରୁଛନ୍ତି। ତେଣୁ ମାଗଣା ବ୍ୟବସ୍ଥା ଲୋକମାନଙ୍କୁ ଆଉ ପ୍ରଭାବିତ କରିପାରିବ ନାହିଁ।
ବାଳକୃଷ୍ଣ ଷଡ଼ଙ୍ଗୀ, ନୟାଗଡ଼

ମାଗଣା ବଣ୍ଟନ ଏବେ ଏକ ସଂକ୍ରାମକ ରୋଗରେ ପରିଣତ ହୋଇଗଲାଣି। କେବଳ ଆମ ରାଜ୍ୟ ନୁହେଁ, ବିଭିନ୍ନ ରାଜ୍ୟରେ ନିର୍ବାଚନ ସମୟରେ ଏମିତି ଘଟଣା ଦେଖିବାକୁ ମିଳୁଛି। ଯାହାଦ୍ବାରା ଦେଶର ଉନ୍ନତି ପରିବ‌ର୍ତ୍ତେ ଅବନତି ହେଉଛି। ତେଣୁ ଏଥିରୁ ସମସ୍ତେ ନିବୃତ୍ତ ରୁହନ୍ତି। ବିକାଶିତ ଦେଶଗୁଡ଼ିକରେ ଏଭଳି ବ୍ୟବସ୍ଥାକୁ ବହୁତ ଘୃଣା କରାଯାଏ।
ଆହ୍ବାନ ପାଇକରାୟ, ଭୁବନେଶ୍ବର

ଭୋଟରମାନଙ୍କୁ ପ୍ରଲୋଭିତ କରି କ୍ଷମତାକୁ ଆସିବା ସଂପୂର୍ଣ୍ଣ ବେଆଇନ। ନେତାମାନେ ଆମ ଟିକସ ଅର୍ଥକୁ ଏଭଳି ଅପବ୍ୟବହାର କରୁଛନ୍ତି। ତେଣୁ ଆମେ ସଚେତନ ହୋଇ ଏଥିରୁ ନିବୃତ୍ତ ରହିବା ଦରକାର। ଯେଉଁମାନେ ବି ଏଥିରେ ଲିପ୍ତ ରହି ଏଭଳି ହୀନ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଦେଶଦ୍ରୋହୀର ଆଖ୍ୟା ଦିଆଯିବା ଉଚିତ।
ବ୍ରଜକିଶୋର ପଟ୍ଟନାୟକ, ନୂଆପଲ୍ଲୀ

ପ୍ରଥମେ ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। କାରଣ ଲୋକମାନେ ଯେପର୍ଯ୍ୟନ୍ତ ମାଗଣାକୁ ଗ୍ରହଣ କରି ଚାଲିଥିବେ, ନେତାମାନେ ପ୍ରଲୋଭିତ କରି ଲୁଟ୍‌ କରି ଚାଲିଥିବେ। ତେଣୁ ଉଭୟ ନେତା ଏବଂ ଜନତା ଏଭଳି ହୀନ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ତେବେ ଯାଇ ଦେଶର ଦରିଦ୍ରଙ୍କ ସଂଖ୍ୟାରେ ହ୍ରାସ ଘଟିବ। ନଚେତ ଗରିବ ଆହୁରି ଗରିବ ହୋଇ ଚାଲିଥିବେ।
ମମତା ଦାସ, ସିଆରପି, ଭୁବନେଶ୍ବର

ନିର୍ବାଚନ ଏବେ ଏକ ବ୍ୟବସାୟରେ ପରିଣତ ହୋଇସାରିଛି। ଆଗାମୀ ଦିନରେ ଭୋଟର୍‌ ନିଲାମ ହେବେ। ସେମିତି ସ୍ଥିତି ଉପୁଜିବା ପୂର୍ବରୁ ନେତା ଓ ଜନତା ନିଜର ସ୍ବଭାବରେ ପରିଣତ ଆଣନ୍ତୁ।
ଶ୍ରୀବତ୍ସ ମହାନ୍ତି, ଯାଁଳା, ଭୁବନେଶ୍ବର

ସମ୍ବନ୍ଧିତ ଖବର