ଚନ୍ଦ୍ରଶେଖରପୁର: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ। କିଏ କେଉଁଠୁ ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ହେବେ, ତାହା ମଧ୍ୟ ରାଜ୍ୟର କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି। ତା’ପୂର୍ବରୁ ଶାସକ ବିଜେଡିର ସମର୍ଥକ ଓ କର୍ମୀମାନେ ଦେଉଥିବା ନାରା ଏବେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଛି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଢାୱା ସୋମନାଥ ଦେବଙ୍କ ପୀଠରୁ ଆଜି ଆରମ୍ଭ ହୋଇଥିବା ‘ଘରେ ଘରେ ଶଙ୍ଖ ଜନ ସମ୍ପର୍କ ଅଭିଯାନ’ରେ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷା ତଥା ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି କର୍ମୀମାନେ ସାଂସଦ ପ୍ରାର୍ଥୀ ଭାବେ ଅଭିହିତ କରିବା ସହ ନାରା ଦେଇଛନ୍ତି। ଅଭିଯାନ ଆରମ୍ଭରେ ହିଁ ଶ୍ରୀମୟୀଙ୍କୁ ସ୍ୱାଗତ ସମୟରେ ‘ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ସ୍ୱାଗତମ୍‌’ ନାରାରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।

Advertisment

ପୂର୍ବାହ୍ନ ସାଢ଼େ ୧୧ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗାଁର ବ୍ରାହ୍ମଣପୁର ସାହି, ଗୋପନପୁର ସାହି, ମଝି ସାହିରେ ବୁଲିବା ସମୟରେ ବିଜେଡିର କର୍ମୀ ଓ ସମର୍ଥକଙ୍କ ନାରାବାଜି ଆଜି ନିର୍ବାଚନୀ ପରିବେଶଠାରୁ କୌଣସି କ୍ଷେତ୍ରରେ କମ୍‌ ନ ଥିଲା। ‘କହି କହି ଯାଉଛୁ ଚାଲି... ଶ୍ରୀମୟୀ ଅପାକୁ ନ ଯିବ ଭୁଲି’, ‘ଉତ୍ତର ଭୁବନେଶ୍ବରରେ ଡବଲ୍‌ ଶଙ୍ଖ’ ଆଦି ସ୍ଲୋଗାନ ଗାଁରେ ନିର୍ବାଚନ ଭ୍ରମ ସୃଷ୍ଟି କରିଥିଲା। କର୍ମୀମାନେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଶ୍ରୀମୟୀଙ୍କ ବେକରେ ଫୁଲମାଳ ପକାଇ ଏ ସାହିରୁ ସେ ସାହି ବୁଲିଥିଲେ। ଶ୍ରୀମୟୀ ମଧ୍ୟ ସମସ୍ତଙ୍କ ଘରେ ପହଞ୍ଚି ଲୋକଙ୍କ ଭଲ ମନ୍ଦ ବୁଝିଥିଲେ। ନିର୍ବାଚନ ସମୟରେ ଯେଉଁଭଳି ବାଇକ୍‌ ରାଲି ହୁଏ ସେଭଳି ପରିବେଶ ଆଜି ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାରେ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ରଙ୍କ ସମେତ ବିଏମ୍‌ସିର‌ କେତେଜଣ କର୍ପୋରେଟର, ପଞ୍ଚାୟତର ସରପଞ୍ଚ ପ୍ରମୁଖ ସାମିଲ ହୋଇଥିଲେ।

ଶ୍ରୀମୟୀ ମିଶ୍ର ଭୁବନେଶ୍ବରରୁ ବିଜେଡି ସାଂସଦ ପ୍ରାର୍ଥୀ ହେବା ଚର୍ଚ୍ଚା ନୂଆ ନୁହେଁ। କାରଣ ପୂର୍ବରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେକୌଣସି ପ୍ରସଙ୍ଗରେ ମତ ରଖନ୍ତି ତାଙ୍କୁ ଜବାବ ଦେବାକୁ ଦଳ ପକ୍ଷରୁ ଶ୍ରୀମୟୀଙ୍କୁ ହିଁ ଦାୟିତ୍ବ ଦିଆଯାଏ। ଶ୍ରୀମୟୀ ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଅଛନ୍ତି। ଏଥିସହ ନବୀନ ଓଡ଼ିଶା ଟିମ୍‌ର ପର୍ଯ୍ୟବେକ୍ଷକ ଓ ରାଜ୍ୟ ଶ୍ରମିକ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ରହିଛନ୍ତି। ଉତ୍ତର ଭୁବନେଶ୍ବର ସମେତ ଏକାମ୍ର ଭୁବନେଶ୍ୱର, ମଧ୍ୟ ଭୁବନେଶ୍ବର, ଜୟଦେବ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେଉଥିବା ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସେ ନଜର ଆସୁଛନ୍ତି। ପୂର୍ବରୁ ଭଦ୍ରକ ଜିଲ୍ଲା ଧାମନଗର ଏବଂ ବାଲେଶ୍ୱର ଜିଲ୍ଲା ବସ୍ତାରେ ବିଜେଡି ନେତା, ବିଧାୟକଙ୍କ ନାଁ ଘୋଷଣା କରିବାକୁ ନେଇ ଚର୍ଚ୍ଚା ହୋଇଥିଲା ବେଳେ ଏବେ ଭୁବନେଶ୍ୱରରେ କର୍ମୀଙ୍କ ନାରାକୁ ନେଇ ରାଜଧାନୀ ରାଜନୀତି ଉଷ୍ମ ହେବାରେ ଲାଗିଛି।