ବିଦ୍ୟୁତ୍‌ କେବୁଲ୍‌ ସାଜିଛି ବୁଢ଼ିଆଣି ଜାଲ

ଅରବିନ୍ଦ ନଗରରେ ଚାଲିଛି ବେଧଡ଼କ ବିଜୁଳି ଚୋରି, ପ୍ରତିଦିନ ବାଜି ଲାଗୁଛି ଲୋକଙ୍କ ଜୀବନ

ଚନ୍ଦ୍ରଶେଖରପୁର: ଗୋଟିଏ ଖୁଣ୍ଟ। ସେଥିରୁ ଦୁଇ ଶହରୁ ଅଧିକ ଲୋକଙ୍କ ଘରକୁ ଯାଇଛି ବିଜୁଳି କେବୁଲ୍‌। ଖୁଣ୍ଟ ସାରା ଗୁଡ଼ାଇ ହୋଇ ବି ରହିଛି ବେକୁଲ୍‌। ଲାଗୁଛି ବିଦ୍ୟୁତ୍‌ ଖୁଣ୍ଟରେ ସତେ ଯେମିତି ବୁଢ଼ିଆଣି ଜାଲ। ଏତେ ସଂଖ୍ୟକ କେବୁଲ୍‌ ଲୋକଙ୍କ ଘରକୁ ସଂଯୋଗ କରାଯାଇ ନାହିଁ। ବରଂ ଲୋକେ ଚୋରାରେ ଘରକୁ ବିଦ୍ୟୁତ୍‌ ତାର ଟାଣିଛନ୍ତି। ଯେଉଁଥିପାଇଁ କେବୁଲ୍‌ଗୁଡ଼ିକ ବିଦ୍ୟୁତ୍‌ ତାରରୁ ତଳକୁ ଝୁଲି ରହିଛି। ତଳେ ପାଣି ପାଇପ୍‌ ଯାଇଥିବାରୁ କେତେବେଳେ ସର୍ଟସର୍କିଟ୍‌ ହେବ କେହି କହିପାରିବେ ନାହିଁ। ଯଦି କେବେ କିଛି ଅଘଟଣ ଘଟିବ ତେବେ ସମ୍ପୂର୍ଣ୍ଣ ଅଞ୍ଚଳ ଜଳି ପୋଡ଼ି ପାଉଁଶ ହୋଇଯିବ। ଏଭଳି ଦୃଶ୍ୟ କୌଣସି ବାହାର ଜିଲ୍ଲାର ନୁହେଁ। ଖୋ‌ଦ୍‌ ରାଜଧାନୀରେ ବିପଜ୍ଜନକ ଭାବେ ଏଭଳି ଝୁଲି ରହିଛି ଏହି ବିଦ୍ୟୁତ୍‌ କେବୁଲ୍‌। ବର୍ଷ ବର୍ଷ ଧରି ଚନ୍ଦ୍ରଶେଖରପୁର ଅଞ୍ଚଳର ଅରବିନ୍ଦ ନଗରରେ ବିଦ୍ୟୁତ ଚୋରି ହେଉଥିଲେ ମଧ୍ୟ ଏଥିପ୍ରତି କାହାର ବି ନିଘା ନାହିଁ। ବିଦ୍ୟୁତ୍‌ ବିଭାଗ ଅଧିକାରୀମାନେ ସବୁ ଜାଣି ଆଖି ବୁଜି ଦେଇଥିବା ବେଳେ ଲୋକେ ବି ଅଭିଯୋଗ କରି ନୟାନ୍ତ ହେଲେଣି। କିନ୍ତୁ କେହି ଶୁଣୁନାହାନ୍ତି। ଯେଉଁଥିପାଇଁ ଏଠାରେ ବି ଢ଼େଙ୍କାନାଳର ହାତୀ ମୃତ୍ୟୁ ପରି ମଣିଷ ମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ୯ ନମ୍ବର ୱାର୍ଡରେ ରହିଛି ଅରବିନ୍ଦ ନଗର। ଏଠାରେ ୭୦୦ରୁ ଅଧିକ ପରିବାର ରହୁଥିବାରୁ ଚନ୍ଦ୍ରଶେଖରପୁର ବିଦ୍ୟୁତ୍‌ ସେକ୍ସନ-୧ ପକ୍ଷରୁ ଏହି ଅଞ୍ଚଳକୁ ସଂଯୋଗ ଦିଆଯାଇଛି। ଗଳିକନ୍ଦିରେ ଖୁଣ୍ଟ ପକାଯାଇ ଲୋକଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି। କିନ୍ତୁ ଅରବିନ୍ଦ ନଗରକୁ ଲାଗି ଗଢ଼ି ଉଠିଥିବା ବସ୍ତିକୁ ଏ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇନାହିଁ। ଯେଉଁଥିପାଇଁ ବସ୍ତିବାସିନ୍ଦା ଉକ୍ତ ବିଦ୍ୟୁତ୍‌ ଖୁଣ୍ଟରୁ ନିଜ ଘରକୁ ଚୋରାରେ କେବୁଲ୍‌ ଟାଣିଛନ୍ତି। ଅରବିନ୍ଦ ନଗରର ଏକ ନମ୍ବର ରାସ୍ତାର ଶେଷ ଭାଗରେ ଏହି ଖୁଣ୍ଟଟି ରହିଛି। ବେଆଇନ ଭାବେ ବିଦ୍ୟୁତ୍‌ ଖୁଣ୍ଟରୁ ତାର ଟଣା ଯାଇଥିଲେ ମଧ୍ୟ କେହି ବି ହସ୍ତକ୍ଷେପ କରୁନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ୍‌ ସେକ୍ସନର କେତେଜଣ ଅଧିକାରୀଙ୍କୁ ହାତ କରି ଏଭଳି ଖୁଲମଖୁଲା ବିଜୁଳି ଚୋରି ଚାଲିଛି। ସବୁଠାରୁ ବଡ଼ କଥା ହେଉଛି ଯେ କେବୁଲ୍‌ଗୁଡ଼ିକ ମାଟିକୁ ଛୁଇଁ ଲୋକଙ୍କ ଘରକୁ ଯାଇଛି। କେବୁଲ୍‌ ନିକଟରେ ପାଣି ପାଇପ୍‌ ଯାଇଥିବାରୁ ସର୍ଟ ସର୍କିଟ ଆଶଙ୍କା ଅଧିକ ରହିଛି। ବେଳେବେଳେ ପାଣି ପାଇପ୍‌ ଫାଟି ଯାଉଛି। ଏହି ଖୁଣ୍ଟ ନିକଟରେ ଛୋଟ ପିଲାମାନେ ମଧ୍ୟ ଚଳପ୍ରଚଳ କରୁଥିବାରୁ ଭୟ ରହୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ଖୁଣ୍ଟରେ ଏତେ ସଂଖ୍ୟକ କେବୁଲ୍‌ ଟଣାଯାଇ ବିଜୁଳି ଚୋରି ହେଉଥିଲେ ମଧ୍ୟ କେହି ପଦକ୍ଷେପ ନେଉନାହାନ୍ତି। ବାରମ୍ବାର ଅଭିଯୋଗ କରାଯାଇଛି। ବସ୍ତି ଲୋକଙ୍କୁ ଥରେ ଦୁଇଥର କହିଥିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ୨୦୦ରୁ ୩୦୦ ମିଟର ପର୍ଯ୍ୟନ୍ତ କେବୁଲ୍‌ ଟଣାଯାଇ ଥିବାରୁ ଅଘଟଣର ଆଶଙ୍କା ଅଧିକ ରହୁଛି। ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର