ରାଜଧାନୀକୁ ବିଜୁଳି ବୋଝ, ବିସିଡିଡି-୨ରେ ହଜାରେ ଗ୍ରାହକଙ୍କୁ ଦୁଇ କର୍ମଚାରୀ

ଭିଆଇପି ଏରିଆରେ ହଜାରେ ଗ୍ରାହକଙ୍କୁ ୬ ଜଣ
୫ ବର୍ଷ ମଧ୍ୟରେ ବଢ଼ିଲେଣି ଲକ୍ଷାଧିକ ଗ୍ରାହକ
୨୪ ଘଣ୍ଟିଆ ସେବାରୁ ବଞ୍ଚିତ ହେଉଛନ୍ତି ଉପଭୋକ୍ତା

ଚନ୍ଦ୍ରଶେଖରପୁର : ବଢ଼ୁଛି ରାଜଧାନୀ। ତା’ସହ ବଢ଼ୁଛି ବିଜୁଳି ବୋଝ। ଗତ ଏକ ଦଶନ୍ଧି ମଧ୍ୟରେ ଲୋକସଂଖ୍ୟା ୪ରୁ ୫ ଲକ୍ଷ ବଢ଼ିଥିବାରୁ ବିଦ୍ୟୁତ୍‌ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ତାଳ ଦେଇ ବଢ଼ି ଚାଲିଛି। ୫ ବର୍ଷ ତଳେ ସହରର ୩ଟି ବିଦ୍ୟୁତ୍‌ ଡିଭିଜନ୍‌ ଯଥା ବିସିଡିଡି (ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ୍‌ ଡିଭିଜନ୍‌)-୧, ୨ ଓ ଭୁବନେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ୍‌(ବିଇଡି)ରେ ବିଦ୍ୟୁତ୍‌ ଗ୍ରାହକଙ୍କ ସଂଖ୍ୟା ଲକ୍ଷାଧିକ ବୃଦ୍ଧି ପାଇଛି। ଅଧା ଭୁବନେଶ୍ବର ଆସୁଥିବା ବିସିଡିଡି-୨ରେ କେବଳ ୫୦ ହଜାରରୁ ଅଧିକ ଗ୍ରାହକ ବଢ଼ିଛନ୍ତି। ‌ଯେଉଁଥିପାଇଁ ଏହି ଅଞ୍ଚଳରେ ବିଦ୍ୟୁତ୍‌ ସେବାରେ ବାରମ୍ବାର ବିଭ୍ରାଟ ହେବା ସହ କର୍ମଚାରୀ ସଙ୍କଟ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗ୍ରାହକଙ୍କ ତୁଳନାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ମରାମତି ହୋଇପାରୁ ନାହିଁ। ଆଉ ୨୪ ଘଣ୍ଟିଆ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାହକ।

ବିସିଡିଡି-୨ ଅଧୀନରେ ଭୁବନେଶ୍ବରର ଅଧାରୁ ଅଧିକ ଅଞ୍ଚଳ ଆସୁଛି। ଉତ୍ତର ଭୁବନେଶ୍ବରର ଅଧିକାଂଶ ଅଞ୍ଚଳ ସମେତ ଜଟଣୀ ଓ ବାଙ୍କୀ ନିର୍ବାଚନମଣ୍ଡଳୀର କେତେକ ଅଞ୍ଚଳ ଏହି ଡିଭିଜନ ଅଧୀନରେ ରହିଛି। ଭିଏସ୍‌ଏସ୍‌ ନଗର, ବାଣୀବିହାର, ଗାଡ଼କଣ, ରଙ୍ଗମାଟିଆ, ଶ୍ରୀବିହାର, ବାରଙ୍ଗ, ଗୋଡ଼ିସାହି, ସିଆଇଏସ୍‌ଏଫ୍‌, ମୁଣ୍ଡୁଳି, କଣ୍ଟାବାଡ଼, ଡେରାସ, ପାତ୍ରପଡ଼ା, ନାରଗଦା, ପିତାପଲ୍ଲୀ, ବରମୁଣ୍ଡା, ଖଣ୍ଡଗିରି, ଏମ୍‌ସ, ସିଜୁଆ, ନୟାପଲ୍ଲୀ, ସିଆର୍‌ପି ଅଞ୍ଚଳ, ସରକନ୍ତରା, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, କଳାରାହାଙ୍ଗ ଆଦି ଅଞ୍ଚଳ ରହୁଛି। ଏସବୁ ଇଲାକାରେ ଅଧିକ ଶିଳ୍ପ ସଂସ୍ଥା ରହିଛି। ସେହି ଅନୁଯାୟୀ ଦେଖିଲେ ବିସିଡିଡି-୧ ଅଧୀନରେ ମୁଖ୍ୟତଃ ଭିଆଇପି ଏରିଆ ସମେତ ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଆସୁଛି। ବିଇଡି ଅଧୀନରେ ଫୁଲନଖରାଠାରୁ ଧଉଳି ପର୍ଯ୍ୟନ୍ତ ଅଞ୍ଚଳ ରହୁଛି।

ସେହି ଅନୁଯାୟୀ କର୍ମଚାରୀଙ୍କ ସଂଖ୍ୟାକୁ ଦେଖିଲେ ବିସିଡିଡି-୨ରେ ୩୪୨ ଜଣ କର୍ମଚାରୀ ରହିଛନ୍ତି। ଅର୍ଥାତ୍‌ ହଜାରେ ଗ୍ରାହକଙ୍କ ଲାଗି ଦୁଇ ଜଣ ଲେଖାଏଁ କର୍ମଚାରୀ ରହିଛନ୍ତି। କ୍ଷୁଦ୍ରଶିଳ୍ପ(ଏସ୍‌ଆଇ), ବୃହତ୍ ଶିଳ୍ପ(ଏଲ୍‌ଆଇ), ମଧ୍ୟମ ଶିଳ୍ପ(ଏମ୍‌ଆଇ) ଗ୍ରାହକଙ୍କ ସଂଖ୍ୟା ୪ ହଜାର ୧୭୬ ଥିବାବେଳେ ସାଧାରଣ ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ୮୦ ହଜାରରୁ ଅଧିକ। ଡିଭିଜନ୍‌ରେ ମୋଟ କଣ୍ଟ୍ରୋଲ ରୁମ୍‌ ସଂଖ୍ୟା ୨୧ଟି ରହିଛି, ଯେଉଁଠାରେ ୧୪୭ ଜଣ କର୍ମଚାରୀ ରହିଛନ୍ତି। ବିସିଡିଡି-୧ରେ ଏସ୍‌ଆଇ, ଏଲ୍‌ଆଇ, ଏମ୍‌ଆଇ ଗ୍ରାହକଙ୍କ ସଂଖ୍ୟା ୨୧୪୭ ଥିବା ବେଳେ ସାଧାରଣ ଗ୍ରାହକଙ୍କ ସଂଖ୍ୟା ୭୫ ହଜାର ହେବ। ଏମାନଙ୍କୁ ସେବା ଯୋଗାଇବା ଲାଗି ୩୪୫ ଜଣ କର୍ମଚାରୀ ଅଛନ୍ତି। ଅର୍ଥାତ୍‌ ହଜାରେ ଗ୍ରାହକରେ ୬ ଜଣ ଲେଖାଏଁ ରହୁଛନ୍ତି। ୧୧ଟି କଣ୍ଟ୍ରୋଲ ରୁମ୍‌ରେ କର୍ମଚାରୀଙ୍କ ସଂଖ୍ୟା ୭୭ ଜଣ ରହିଛି। ସେହିପରି ବିଇଡିରେ ଏସ୍‌ଆଇ, ଏଲ୍‌ଆଇ, ଏମ୍‌ଆଇ ଗ୍ରାହକଙ୍କ ସଂଖ୍ୟା ୧୪୭୫ ଏବଂ ସାଧାରଣ ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ରହିଛି। ଡିଭିଜନ୍‌ରେ ୩୪୨ ଜଣ କର୍ମଚାରୀ ସେବା ଯୋଗାଉଛନ୍ତି। ଅର୍ଥାତ୍‌ ପ୍ରତି ହଜାରରେ ୩ ଜଣ ଲେଖାଏଁ ଅଛନ୍ତି। ୧୪ଟି କଣ୍ଟ୍ରୋଲ ରୁମ୍‌ରେ ୯୮ ଜଣ କର୍ମଚାରୀ ସେବା ଯୋଗାଇ ଦେଉଛନ୍ତି। ଟାଟା ପାୱାର ପକ୍ଷରୁ ଦୁଇ ଦିନ ତଳେ ଓଇଆର୍‌ସିକୁ ଦିଆଯାଇଥିବା ସତ୍ୟପାଠରେ ଏହା ଉଲ୍ଲେଖ ହୋଇଛି। ତେବେ ଓଡ଼ିଶା ଷ୍ଟେଟ୍‌ ଇଲେକ୍‌ଟ୍ରିସିଟି ବୋର୍ଡ(ଓଏସ୍‌ଇବି) ନିୟମ ଅନୁଯାୟୀ ପ୍ରତି ୨୦୦ ଗ୍ରାହକରେ ଜଣେ ‌ଲାଇନ୍‌ ମ୍ୟାନ୍‌ ଓ ଦୁଇ ଜଣ ହେଲ୍‌ପର ରହିବା କଥା, ଯାହାକି ପାଳନ ହେଉ ନାହିଁ।

ବିସିଡିଡି-୨ ସବୁଠାରୁ ଅଧିକ ବିଦ୍ୟୁତ୍‌ ବୋଝ ମୁଣ୍ଡାଉଛି। ସେକ୍ସନ ଅନୁଯାୟୀ ଦେଖିଲେ ଭରତପୁରରେ ୨୨ ହଜାର ଗ୍ରାହକ ଥିବା ବେଳେ କଳିଙ୍ଗନଗରରେ ୧୯ ହଜାର, ଚନ୍ଦ୍ରଶେଖରପୁର-୧ରେ ୧୨ ହଜାର, ଚନ୍ଦ୍ରଶେଖରପୁର-୨ରେ ୧୪ରୁ ୧୫ ହଜାର, କାନନବିହାରରେ ୧୫ ହଜାର, ଜାଭିଅର ସେକ୍ସନରେ ୧୩ ହଜାର, ଭିଏସ୍‌ଏସ୍‌ ନଗରରେ ୧୩ ହଜାର, ନୟାପଲ୍ଲୀରେ ୧୪ ହଜାର, ଖଣ୍ଡଗିରି ସେକ୍ସନରେ ୧୩ ହଜାର, ବାରଙ୍ଗ ସେକ୍ସନରେ ୯ ହଜାର ବରମୁଣ୍ଡାରେ ୬ ହଜାର ରହିଛନ୍ତି। ଏହି ଡିଭିଜନ୍‌ରେ ଅଧିକାଂଶ ଶିଳ୍ପ ସଂସ୍ଥା ରହିଛି। ଗ୍ରାହକଙ୍କ ତୁଳନାରେ କମ୍‌ କର୍ମଚାରୀ ଥିବାରୁ ମରାମତି କାର୍ଯ୍ୟ ପାଇଁ ଥିବା ଲୋକଙ୍କୁ ବିଦ୍ୟୁତ ଦେୟ ସଂଗ୍ରହରେ ଲଗାଯାଉଛି। ଏହି ଡିଭିଜନ୍‌କୁ ବାରମ୍ବାର ଅବହେଳା କରାଯାଉଛି। ତେଣୁ ଖାଲି ଥିବା କର୍ମଚାରୀ ପଦ ପୂରଣ କରିବା ଦିଗରେ ତୁରନ୍ତ ପଦ‌କ୍ଷେପ ନେବାକୁ ବିଦ୍ୟୁତ୍‌ କର୍ମଚାରୀ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର