ବିଦ୍ୟୁତ ବିଭାଗ କର୍ମଚାରୀ ପରଦା ପଛର ନାୟକ

ଚନ୍ଦ୍ରଶେଖରପୁର : ସାରା ଦେଶ ଲକ୍‌ଡାଉନ। ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ଘରେ କଟୁଛି ସମୟ। ଏଭଳି ଏକ ସମୟରେ ନିଜ ଜୀବନ ଓ ପରିବାର କଥା ଚିନ୍ତା ନକରି ଲୋକଙ୍କ ଲାଗି ଦିନରାତି ଏକ କରି ଦେଇଛନ୍ତି କରୋନା ଯୁଦ୍ଧର ପରଦା ପଛର ନାୟକ ‘ବିଦ୍ୟୁତ କର୍ମଚାରୀ’। କାଳବୈଶାଖୀ ହେଉ ଅଥବା ଝଡବର୍ଷା, ସବୁ କିଛିକୁ ପଛରେ ଛାଡ଼ି ଏମାନେ ସବୁବେଳେ ଲୋକଙ୍କ ପାଖରେ ଅଛନ୍ତି। ବିଦ୍ୟୁତ ବିଭ୍ରାଟ ହେବା କ୍ଷଣି ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଉଛନ୍ତି। ହେଲେ ସେମାନଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି। ନା ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ଏମାନଙ୍କ କଥା କହୁଛନ୍ତି ନା ପ୍ରଶାସନ ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ବୁଝୁଛି। ସମସ୍ତେ ସବୁ ଜାଣି ନିରବ।

ସବୁଠାରୁ ବଡ଼ କଥା ହେଲା ଯେ ମାସାଧିକ ହେଲା ଏମାନେ ସେବା ଯୋଗାଇ ଚାଲିଛନ୍ତି। ଗୋଟେ ପଟେ ବିଦ୍ୟୁତ ସେକ୍ସନରେ କର୍ମଚାରୀ ସଙ୍କଟ ଲାଗିରହିଥିବା ବେଳେ ଅନ୍ୟପଟେ ବିଦ୍ୟୁତ ବିଭାଗର ଗୋଟିଏ ଗୋଟିଏ ସେକ୍ସନରେ କମ କର୍ମଚାରୀଙ୍କୁ ନେଇ କାମ ଚାଲିଛି। ତା’ ଭିତରେ ଗତ କିଛି ଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିଛି। ଯେଉଁଥିପାଇଁ ସେକ୍ସନର ଲାଇନ ମ୍ୟାନମାନଙ୍କୁ ନକେଦମ ହେବାକୁ ପଡୁଛି। ବିପଦପୂର୍ଣ୍ଣ ଭାବେ ଏମାନେ କାମ କରିଚାଲିଛନ୍ତି। ଏମିତି କି ଗତ କିଛିଦିନ ମଧ୍ୟରେ କର୍ମଚାରୀଙ୍କ ଜୀବନ ଚାଲିଯିବାର ବି ସୂଚନା ମିଳିଛି।

ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର କୋଷାଧ୍ୟକ୍ଷ ସଞ୍ଜୀବ ପ୍ରସାଦ ବେହେରା କହିଛନ୍ତି ଯେ କରୋନା ଯୁଦ୍ଧରେ ବିଦ୍ୟୁତ କ୍ଷେତ୍ରର କର୍ମଚାରୀ ମଧ୍ୟ ଉକ୍ତ ସମ୍ବେଦନଶୀଳ ସ୍ଥିତି ପାଇଁ କୌଣସି ପ୍ରତିବାଦ ନ କରି ରାଜ୍ୟରେ ବିଦ୍ୟୁତ ସେବା ଯୋଗାଇ ଆସୁଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି ଯେ ବିଦ୍ୟୁତ କ୍ଷେତ୍ରରେ ଯେଉଁ କର୍ମଚାରୀ ଯଥା ଲାଇନ ମ୍ୟାନ, ହେଲପର ବିଦ୍ୟୁତ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛନ୍ତି, ସେମାନଙ୍କ ବିଷୟରେ ଚିନ୍ତା କରିବା ପାଇଁ କୌଣସି ଜଣେ ହେଲେ ଉଚ୍ଚପ୍ରଦସ୍ଥ ଅଧିକାରୀ କିମ୍ବା ସଚିବ ଯତ୍ନବାନ ନୁହନ୍ତି। ଗୋଟିଏ ସେକ୍ସନ ଅଫିସରେ ସର୍ବନିମ୍ନ କେତେଜଣ କର୍ମଚାରୀ ଗୋଟିଏ ସିଫ୍ଟରେ ରହିଲେ କାର୍ଯ୍ୟ ହୋଇପାରିବ ତାହା ନ ଜାଣି ବିଭିନ୍ନ ପ୍ରକାର ବିଜ୍ଞପ୍ତି ଓ ଚିଠି ଜାରି କରୁଛନ୍ତି। ବିଦ୍ୟୁତ ଅତି ଆବଶ୍ୟକ ସଂସ୍ଥା ହୋଇଥିଲେ ମଧ୍ୟ ଯେତେବେଳେ କୌଣସି ନିୟମ ଲାଗୁ କରାଯାଉଛି ସେତେବେଳେ ଶକ୍ତି ସଚିବଙ୍କ ସମେତ ବିଦ୍ୟୁତ ବିତରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିତାରଣକାରୀ ସଂସ୍ଥାର ମୁଖ୍ୟମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଗତ ୨୦ ତାରିଖରେ ସେସୁର ବରିଷ୍ଠ ମାନବ ସମ୍ବଳ ଅଧିକାରୀ ଏକ ନିର୍ଦେଶନାମା ଜାରି କଲେ ଯେ ସାଧାରଣ ପ୍ରଶାସନ ବିଭାଗ ଅନୁସାରେ କର୍ଯ୍ୟନିର୍ବାହୀ ଅଧିକାରୀ ଓ ମଣ୍ଡଳ ଅଧିକାରୀମାନେ ସେମାନଙ୍କ ଅଧୀନରେ ଥିବା କାର୍ଯ୍ୟାଳୟଗୁଡିକରେ ୧୦% ରୋଷ୍ଟର ଡ୍ୟୁଟି ପ୍ରସ୍ତୁତ କରିବା ପାଇଁ। କିନ୍ତୁ ସେ ଭୁଲିଗଲେ ଯେ ସେକ୍ସନ ଅଫିସଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଖ୍ୟା ଯଦି ଦେଖାଯାଏ ଗୋଟିଏ ସେକ୍ସନ ଅଫିସରେ ୧୮ ଜଣ କର୍ମଚାରୀ ରୁହନ୍ତୁ। ଯଦି ୧୦% କର୍ମଚାରୀଙ୍କ ସଂଖ୍ୟା କେତେ ହେବ? ମାତ୍ର ୨ ଜଣ କର୍ମଚାରୀଙ୍କୁ ନେଇ କେମିତି କାମ ହେବ। କାରଣ ଏବେ କାଳବୈଶାଖୀ ଲାଗି ରହୁଥିବାରୁ ବର୍ଷା ପବନରେ ତାର ଛିଣ୍ଡିଲେ, ଗଛ ଭାଙ୍ଗି ପଡ଼ିଲେ କିଭଳି କାର୍ଯ୍ୟ ହେବ ସେବିଷୟରେ ଚିନ୍ତା ମଧ୍ୟ କଲେ ନାହିଁ। ଯେଉଁମାନେ ଅଫିସର ସେମାନେ ଅଫିସ ଆସିଲେ ନାହିଁ। କିନ୍ତୁ ଅଫିସ ନ ଆସିଲେ ବି ସେମାନଙ୍କର ପ୍ରମୋସନ, ଦରମା ବୃଦ୍ଧି କରାଯାଉଛି। ତାଳସ୍ତରର କର୍ମଚାରୀଙ୍କ ସମସ୍ୟା ବୁଝିବା ଦରକାର।

ସମ୍ବନ୍ଧିତ ଖବର