କାମ ଛାଡ଼ି ଚାଲିଗଲେ ଠିକାଦାର, ଶ୍ରମିକ

ବାଲିପାଟଣାବାସୀଙ୍କ ପାଇଁ ବିଜୁଳି ସ୍ବପ୍ନ, ହାତରୁ ଚାନ୍ଦା କରି କାମ କରୁଛନ୍ତି

ବାଲିପାଟଣା: ବାତ୍ୟା ଫନିକୁ ୩ ସପ୍ତାହରୁ ଅଧିକ ସମୟ ବିତି ଯାଇଛି। ଏବେବି ବାଲିପାଟଣା ଅଞ୍ଚଳ ଅନ୍ଧାରରେ ରହିଛି। କାଁ ଭାଁ କିଛି ସରକାରୀ କାର୍ଯ୍ୟାଳୟକୁ ଛାଡ଼ି ଦେଲେ ସାଧାରଣ ଲୋକଙ୍କ ପାଇଁ ବିଜୁଳି ଏବେ ସ୍ବପ୍ନ ହୋଇ ରହିଛି। ସ୍ଥାନୀୟ ବାସିନ୍ଦା ପ୍ରଚଣ୍ଡ ଖରାରେ ସିଝି ବିଦ୍ୟୁତ୍‌ ମରାମତି କାମରେ ସହଯୋଗ କରୁଥିବା ବେଳେ ୪୦/୪୫ ଜଣ ଠିକାଦାର ଓ ଶ୍ରମିକ କାମ ଛାଡ଼ି ଚାଲିଯାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ଧାର ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଅଞ୍ଚଳବାସୀ ଛଟପଟ ହେଉଥିବା ବେଳେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ କଥାରେ ତାଳମେଳ ରହୁନାହିଁ। ୧୧ କେଭି ବିଦ୍ୟୁତ୍‌ ମରାମତି କାମ ପ୍ରାୟ ୭୫ ପ୍ରତିଶତ ସରିଯାଇଛି। ବାକି ଥିବା କାମ ସାରିବାକୁ ଗୁଆପୁର ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଗୁଆପୁରର ମନୋଜ ଦତ୍ତ, କାହ୍ନୁଚରଣ ରାଉତ, ଧୀରେନ ସ୍ବାଇଁ, ବନବିହାରୀ ପଳତା, ରମେଶ ସାହୁ ଓ ସାତବିଶୁଆ ଗ୍ରାମବାସୀ ଚାନ୍ଦାକରି ବିଦ୍ୟୁତ୍‌ ସରଞ୍ଜାମ କିଣି ଗ୍ରାମରେ ମରାମତି ସାରି ଦେଇଛନ୍ତି। ମାତ୍ର କର୍ମଚାରୀ ଅଭାବରୁ ଗାଁକୁ ୧୧ କେଭି ବିଦ୍ୟୁତ୍‌ ସଂଯୋଗ ହୋଇପାରୁନି। ଅପରପକ୍ଷରେ ଦିନକୁ ହଜାରେ ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇ ପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଯଦି ଦିନକୁ ହଜାରେ ଲୋକଙ୍କୁ ବିଦ୍ୟୁତ୍‌ ଦିଆଯିବ ତେବେ ଲକ୍ଷାଧିକ ଲୋକ କେବେ ବିଜୁଳି ପାଇବେ ସେ ଚିନ୍ତାରେ ଅଞ୍ଚଳବାସୀ ରହିଛନ୍ତି। ମରାମତି କାମରେ ନିୟୋଜିତ ୮ଟି ସଂସ୍ଥା ଭିତରୁ ୪୦ରୁ ୪୫ ଶ୍ରମିକ ଓ ଠିକାଦାର ଚାଲିଯିବା ଯୋଗୁ ପ୍ରତ୍ୟେକ ଗାଁର ଟ୍ରାନ୍ସଫର୍ମର କାମ କେମିତି ହେବ ତାହା ମୁଖ୍ୟ ସମସ୍ୟା ହୋଇଛି। ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଶ୍ରମିକ ମାନେ ବାହାରୁ ଆସିଥିବାରୁ ପିଲାଛୁଆଙ୍କୁ ଦେଖିବାକୁ ଚାଲିଯାଇଛନ୍ତି। ପ୍ରକୃତପକ୍ଷେ ଠିକାଦାରଙ୍କୁ ମରାମତି ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଦର ନ ସୁହାଇବାରୁ ସେମାନେ କାମ ବନ୍ଦ କରି ଚାଲିଯାଇଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ କେବେ ବିଜୁଳି ଆସିବ ତାହାକୁ ଅଞ୍ଚଳବାସୀ ଚାତକ ପରି ଚାହିଁ ରହିଛନ୍ତି।

ସମ୍ବନ୍ଧିତ ଖବର