ଭୁବନେଶ୍ବର: ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଘରୋଇକରଣ ବନ୍ଦ, ପୁରୁଣା ପେନ୍‌ସନ୍ ବ୍ୟବସ୍ଥାର ପୁନଃ ପ୍ରଚଳନ, ରାଜ୍ୟର ସମସ୍ତ ବିଦ୍ୟୁତ ବିଭାଗର ଏକତ୍ରୀକରଣ, ଠିକାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ଇଂଜିନୟରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ। ମହାରାଷ୍ଟ୍ରର ପୁଣେ ସହ‌ରରେ ଅଲ୍‌ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନ୍‌ର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏଭଳି ଦାବି କରିଛି ସଂଘ। ଦାବିଗୁଡ଼ିକ ଉପରେ ବିଚାର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଅନୁରୋଧ କରିଛି। ଯଦି ଦାବି ଦିଗରେ ‌ସକାରାତ୍ମକ ପଦକ୍ଷେପ ନିଆ ନ ଯାଏ ତେବେ ଆସନ୍ତା ୮ ଓ ୯ ତାରିଖରେ ଦେଶବ୍ୟାପୀ ବିଦ୍ୟୁତ ଇଂଜିନିୟର ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଭାରତ ବର୍ଷରେ ଓଡ଼ିଶା ଓ ଦିଲ୍ଲୀକୁ ଛାଡ଼ି‌ଦେଲେ, ଅନ୍ୟ ସମସ୍ତ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସରକାରଙ୍କ ତତ୍ତ୍ବାବଧାନରେ ସଫଳତାର ସହ ପରିଚାଳିତ ହେଉଛି। କୌଣସି ରାଜ୍ୟ ଘରୋଇକରଣ ସପକ୍ଷରେ ନାହାନ୍ତି। ଓଡ଼ିଶା ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଘରୋଇକରଣ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏଥିପାଇଁ ବିଦ୍ୟୁତ କ୍ଷେତ୍ର ବିପର୍ଯ୍ୟସ୍ତ ଅବସ୍ଥା ଦେଇ ଗତି କରୁଛି। ଏହାର ପ୍ରଭାବ ଯୋଗୁଁ ଉପଭୋକ୍ତାମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଓଡ଼ିଶାରେ ଘରୋଇକରଣ ବନ୍ଦ ପାଇଁ ସଂଘ ମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କୁ ନିବଦେନ କରିଛି। ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ, ନଚେତ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସଂଘ ଚେତାବନୀ ଦେଇଛି।