ସ୍କୁଲ ହତାରେ ଝୁଲୁଛି ବିଦ୍ୟୁତ ତାର, ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା

ଏଲ୍‌ଟି ତାର ସଂସ୍ପର୍ଶରେ ଆସି ମାଙ୍କଡ଼ ମୃତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ରଣପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ହତା ଭିତରେ ଅତି ବିପଦସଙ୍କୁଳ ଅବସ୍ଥାରେ ଝୁଲୁଛି ବିଦ୍ୟୁତ ତାର। ଫନି ବେଳେ ଅତି ତରବରିଆ ଭାବେ ଟ୍ରାନ୍ସଫର୍ମରରୁ ପୁରୁଣା ତାରରେ ବିଦ୍ୟୁତ ସଂଯୋଗ କରାଯାଇ କାମ ଚଳାଇ ଦିଆଯାଇଥିଲା। ହେଲେ ଏବେ ସ୍କୁଲ ଭିତରେ ଖୋଲା ରହିଥିବା ଏହି ଏଲ୍‌ଟି ଲାଇନ ତାର ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ସୃଷ୍ଟି କରିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଖୋଲା ତାରକୁ ବଦଳାଇ କେବୁଲ କରାଯାଉନଥିବାରୁ ଅଭିଭାବକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ଆଜି ସକାଳେ ଏହି ଏଲ୍‌ଟି ଲାଇନ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଙ୍କଡ଼ ଜଳିଯିବା ସହ ତାର ଛିଣ୍ଡିପଡ଼ିଥିଲା। ସୌଭାଗ୍ୟବଶତଃ ସ୍କୁଲକୁ ପିଲାମାନେ ଆସିବା ସମୟ ହୋଇନଥିବାରୁ ଅଘଟଣରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ। ପୁଣି ସେହି ଛିଣ୍ଡା ତାର ଯୋଡ଼ି ବିଦ୍ୟୁତ ସଂଯୋଗ କରାଯାଇଥିବା ନେଇ ସୂଚନା ମିଳିଛି। ସ୍କୁଲ ଶିକ୍ଷକଙ୍କ ସମେତ ଗ୍ରାମ ଶିକ୍ଷା କମିଟି ଏ ସଂପର୍କରେ ବୁଦ୍ଧିପଡ଼ା ବିଦ୍ୟୁତ କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ବାଲିପାଟଣା ସ୍ଥିତ ସେସୁ କାର୍ଯ୍ୟାଳୟକୁ ଲିଖିତ ଭାବେ ଜଣାଇଛନ୍ତି। ସ୍କୁଲ ଭିତରେ ରହିଥିବା ବିଦ୍ୟୁତ ତାର କେବୁଲ କରିବା ନେଇ ପୂର୍ବରୁ ଅନେକ ଥର ଜଣାଇଥିଲେ ମଧ୍ୟ ବିଭାଗ କିଛି ଶୁଣୁନଥିବା ଗ୍ରାମବାସୀମାନେ କହିଛନ୍ତି। ଏଦିଗରେ ଶିକ୍ଷା ବିଭାଗ ଓ ସେସୁ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀ ଅବହେଳା ପ୍ରଦର୍ଶନ କଲେ ସମୂହ ଗ୍ରାମବାସୀ ଦୁଇ କାର୍ଯ୍ୟାଳୟ ଘେରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର