ସ୍ବାଭାବିକ ହେଉନି ବିଦ୍ୟୁତ ସେବା, ସଚିବ କହିଥିଲେ ୨୫%, ପାଇଲେ ୧୦%ରୁ କମ୍‌

୧୭ ହଜାର ଉପଭୋକ୍ତାଙ୍କୁ ମିଳିଲା ବିଦ୍ୟୁତ ସଂଯୋଗ: ସେସୁ, ମନ୍ତ୍ରୀ, ସଚିବ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଘରେ ଜଳିଲା ଲାଇଟ୍‌

ଭୁବନେଶ୍ୱର: ସୋମବାର ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା କହିଥିଲେ ‌େଯ, ୨୪ଘଣ୍ଟା ଭିତରେ ୨୫% ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯିବ। ହେଲେ ଆଜି ୧୦% ବି ଛୁଇଁଲାନି। ସଚିବ ପ୍ରତ୍ୟେକ ଦିନ ଗଣମାଧ୍ୟମ ସମ୍ମୁଖରେ ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ଯାହା କହୁଛନ୍ତି ତାକୁ କାମରେ ରୂପାନ୍ତର କରିପାରୁନାହାନ୍ତି। ସଚିବ ପ୍ରତ୍ୟେକ ଦିନ କହୁଥିବା ଡାହା ମିଛ ଯୋଗୁଁ ରାଜଧାନୀବାସୀଙ୍କର ଏବେ ଶକ୍ତି ବିଭାଗ ଉପରୁ ବିଶ୍ବାସ ତୁଟିଗଲାଣି।

ରାଜଧାନୀରେ ବିଦ୍ୟୁତ ଯୋଗାଣ ଏବେବି କାଁ ଭାଁ ହୋଇଥିବାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇଗଲାଣି। ଦୈନନ୍ଦିନ ଜୀବନଶୈଳୀକୁ ଘୋର୍ ପ୍ରଭାବିତ କଲାଣି। ସରକାର ବିଦ୍ୟୁତ ସେବା ଯୋଗାଇବାରେ ବିଫଳ ହେଉଥିବାରୁ ବଜାରରେ ଏବେ କଳାବଜାରୀ ବଢ଼ିବାରେ ଲାଗିଛି। ଲୋକ ଏବେବି ଘଣ୍ଟାକୁ ୨୫୦୦ଟଙ୍କା ଦେଇ ପାଣି ଟାଙ୍କିକୁ ପାଣି ଚଢ଼ାଉଛନ୍ତି। ୨୦ଟଙ୍କା ଦେଇ ମୋବାଇଲ୍‌ ରିଚାର୍ଜ କରୁଛନ୍ତି। ବାତ୍ୟାର ୪ଦିନ ପରେ ରାଜଧାନୀରେ ଏହିଭଳି ବିକଳ ସ୍ଥିତି ଯୋଗୁଁ ହଜାର ହଜାର ଲୋକ ରାଜଧାନୀ ଛାଡ଼ି ଗାଁକୁ ପଳାଇଲେଣି। ରାଜଧାନୀ ବଜାର ପୂରା ପ୍ରଭାବିତ ହୋଇଛି। ଶକ୍ତି ବିଭାଗ ସଚିବଙ୍କୁ ସାଧାରଣ ଲୋକଙ୍କ ଦୁଃଖ ଦେଖା ଯାଉ ନଥିବାବେଳେ ଆଇଏଏସ୍‌, ଆଇପିଏସ୍‌ଙ୍କ ଦୁଃଖ ଦିଶୁଛି। ଜରୁରୀକାଳୀନ ସେବା ଦେବା ବାହନାରେ ଏବେ ବଡ଼ ବାବୁଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦିଆସରିଲାଣି। ଏପରିକି ଯେଉଁ ଅଞ୍ଚଳରେ କମ୍‌ କ୍ଷତି ହୋଇଛି ସେଠାରେ ବିଦ୍ୟୁତ ସେବା ସ୍ବାଭାବିକ ନକରି ଯେଉଁଠାରେ ବଡ଼ ବାବୁମାନେ ରହୁଛନ୍ତି ସେଠାରେ ଦଳବଳ ଲଗାଇ ଦିନରାତି ଏକକରି ବିଦ୍ୟୁତ ସଂଯୋଗ ଦିଆଯାଇଛି। ଯାହା ଏବେ ରାଜଧାନୀବାସୀଙ୍କୁ ଉତ୍ତ୍ୟକ୍ତ କଲାଣି।

ଆଜି ଭୁବନେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ୍‌ ଅଧୀନରେ ୧୧ ହଜାର ଓ ଭୁବ‌ନେଶ୍ବର ସିଟି ଡିଭିଜନ୍‌ ଅଧୀନରେ ୬ ହଜାର ଉପଭୋକ୍ତାଙ୍କୁ ସଂଯୋଗ ଦିଆଯାଇଛି ବୋଲି ସେସୁର ଜିଏମ୍‌ (ଏଚ୍‌ଆର୍‌) ସୁବ୍ରତ ମିଶ୍ର କହିଛନ୍ତି। ଆସନ୍ତାକାଲି ସୁଦ୍ଧା ମୋଟ ୨୫ ପ୍ରତିଶତରୁ ଊର୍ଦ୍ଧ୍ବ ଉପଭୋକ୍ତା ଏହି ସଂଯୋଗ ପାଇବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ପୂର୍ବପରି ମାନବ ସମ୍ବଳ ସମସ୍ୟା ଆଉ ନାହିଁ। ଭୁବନେଶ୍ବରରେ ବାହାର ରାଜ୍ୟରୁ ୨ହଜାର ଲୋକ କାମ କରିବା ପାଇଁ ଆସିଛନ୍ତି। ଯନ୍ତ୍ରପାତି ମଧ୍ୟ ଯଥେଷ୍ଟ ରହିଛି। ଖୁବ୍‌ଶୀଘ୍ର ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ହେଲେ କେତେକ ପରିଚାଳନାଗତ ତ୍ରୁଟି, ଦୂରଦୃଷ୍ଟିର ଅଭାବ ଯୋଗୁ ପୁନରୁଦ୍ଧାର କାମ ଶୀଘ୍ର ସରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

 

ଟ୍ରାନ୍ସଫର୍ମର ପୋଡ଼ିଲା
ଆଜି ସଂଧ୍ୟାରେ ରସୁଲଗଡ଼ ଗ୍ରାମର କିଛି ଅଂଶକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ହେଲେ କିଛି ସମୟ ପରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା। ଗ୍ରାମବାସୀମାନେ ଏନେଇ ରସୁଲଗଡ଼ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀଙ୍କୁ ଘେରାଉ କରିବା ପରେ ପୁଣି ବିଦ୍ୟୁତ ସଂଯୋଗ ଦିଆଯାଇଛି। ଅକ୍ଷୟ ତୃତୀୟ ଉପଲକ୍ଷେ ରସୁଲଗଡ଼ ଗ୍ରାମରେ କିଛି କାର୍ଯ୍ୟକ୍ରମ ହେବାର ଥିଲା। ତେଣୁ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚାପ ପକାଇ ବିଦ୍ୟୁତ ସଂଯୋଗ ନେଇଥିଲେ। ହେଲେ ଟ୍ରାନ୍ସଫର୍ମର ପୋଡ଼ି ଯିବା ପରେ ପୁଣି ‌ଗ୍ରିଡ୍‌ ଅଫିସ ଆସି ହୋହଲ୍ଲ କରିଥିଲେ। ଏହାପରେ କନିଷ୍ଠ ଯନ୍ତ୍ରୀ ଗ୍ରାମବାସୀଙ୍କୁ ନେଇ ଟ୍ରାନ୍ସଫର୍ମର ଆଣିବା ସହ ଏହାକୁ ଲଗାଇଥିଲେ।

କେଉଁମାନେ ପାଇଲେ
ପ୍ରଥମ ପର୍ଯ୍ୟାୟରେ ଗଙ୍ଗନଗରରୁ ଏଜି ଛକ ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ଜଳିଛି। ସୋମବାର ନବୀନ ନିବାସ ସାମ୍ନା ରାସ୍ତାର ଷ୍ଟ୍ରିଟ୍‌ ଲାଇଟ୍‌ କିଛି ସମୟ ଜଳି ବନ୍ଦ ହୋଇ ଯାଇଥିଲା। ଏହା ସହିତ ଭୁବନେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ ଅଧୀନରେ ରସୁଲଗଡ଼, ବମିଖାଲ, ଲକ୍ଷ୍ମୀସାଗର, ଝାରପଡ଼ା, କଳ୍ପନା, ଭୀମଟାଙ୍ଗୀ, ପୋଖରୀପୁଟ୍‌, ଲିଙ୍ଗରାଜ, ରାଜାରାଣୀ, ବ୍ରହ୍ମେଶ୍ବର ପ୍ରଭୃତି ଅଞ୍ଚଳରେ ୧୧ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଏହି ଅଞ୍ଚଳରେ ଉପଭୋକ୍ତାଙ୍କ ସମେତ ଷ୍ଟ୍ରିଟ୍‌ ଲାଇଟ୍‌ ବିଳମ୍ବିତ ରାତ୍ରି ସୁଦ୍ଧା ଜଳିବା ବ୍ୟବସ୍ଥା ହୋଇଛି। ସେହିଭଳି ଭୁବନେଶ୍ବର ସିଟି ଇଲେକ୍ଟ୍ରିକାଲ ଡିଭିଜନ୍‌ ଅଧୀନରେ ୟୁନିଟ୍‌-୯ ରାସ୍ତା ଓ ଫ୍ଲାଟ୍‌, ଓୟୁଏଟି ଡେଲ୍‌ଟା, ନୟାପଲ୍ଲୀ, ବରମୁଣ୍ଡା ଗାଁ, ଗୋପବନ୍ଧୁ ନଗର ପ୍ରଭୃତି ଅଞ୍ଚଳରେ ମଧ୍ୟ ବିଳମ୍ବିତ ରାତ୍ରି ସୁଦ୍ଧା ସଂଯୋଗ ଦିଆଯିବାକୁ ସ୍ଥିର ‌ହୋଇଛି। ୩୩ କେଭି ଓ ୧୧ କେଭି ଲାଇନ୍‌ ଚାର୍ଜ ହୋଇଯାଇଥିବା ବେଳେ ଏଲ୍‌ଟି ଲାଇନ୍‌ ଗୋଟିଏ ପରେ ଗୋଟିଏ ଟେଷ୍ଟ କରାଯାଇ ସଂଯୋଗ ଦିଆଯାଉଛି। ସେହିଭଳି ବୁଧବାର ଜୟଦେବ ବିହାରରୁ ପଟିଆ, ବାଣୀବିହାର, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସହ ରସୁଲଗଡ଼ର ବାକି ଅଞ୍ଚଳ ସଂଯୋଗ ଦିଆଯିବା ପାଇଁ ଯୋଜନା ହୋଇଛି।

ମନ୍ତ୍ରୀ, ସଚିବ, ବିଦ୍ୟୁତ କର୍ମଚାରୀଙ୍କ ଘରକୁ ଲାଇନ୍ ଦିଆଗଲା
ଲାଇନ୍‌ ପାଇଁ ସମସ୍ତେ ଡହଳ ବିକଳ। ଦିନ ଯେମିତି ହେଲେ କଟିଯାଉଛି ହେଲେ ରାତି କଟୁନି। ଅସହ୍ୟ ଗରମ ଯୋଗୁଁ ଚାହିଁ ଚାହିଁ ରାତି ପାହିଯାଉଛି। ଏଭଳି ସ୍ଥିତିରେ ପ୍ରଥମେ ଶକ୍ତି ମନ୍ତ୍ରୀ ଓ ସଚିବଙ୍କ କ୍ବାର୍ଟର୍ସକୁ ଲାଇନ୍ ସଂଯୋଗ ଦିଆଯାଇଥିବା ବେ‌‌ଳେ ଆଜି ସନ୍ଧ୍ୟାରେ ବିଦ୍ୟୁତ କର୍ମଚାରୀ ରହୁଥିବା ପାୱାର ହାଉସ୍‌ କଲୋନିକୁ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଫଳରେ ଆଜି ନିୟନ୍ତ୍ରଣ କକ୍ଷରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ୫୦ରୁ ଅଧିକ ଲୋକ କଣ୍ଟ୍ରୋଲ ରୁମ୍‌ ନିକଟରେ ପହଞ୍ଚି ହୋ ହଲ୍ଲା କରିବା ସହ ସମ୍ପୃକ୍ତ କଲୋନିରୁ ବିଦ୍ୟୁତ ସଂଯୋଗ କାଟି ସର୍ବସାଧାରଣଙ୍କୁ ଆଗ ସଂଯୋଗ ଦେବା ପାଇଁ ଦାବି କରିଛନ୍ତି। ଏଭଳି ଏକ ଘଟଣାକୁ ସେସୁ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଏଠାରୁ ବିଦ୍ୟୁତ ସଂଯୋଗ କଟାଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ଠିକାଦାରଙ୍କୁ ନୋଟିସ୍‌
ବିଦ୍ୟୁତ ବିଭାଗରେ କାମ କରୁଥିବା ସମସ୍ତ ଲାଇସେନ୍ସ ପ୍ରାପ୍ତ ଠିକାଦାରମାନଙ୍କୁ ନୋଟିସ୍‌ ଜାରି କରାଯାଇଛି। ୧୦ ତାରିଖ ସୁଦ୍ଧା ସମସ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ରିପୋର୍ଟ କରିବେ ଠିକାଦାର। ତାଙ୍କ ଅଧୀନରେ ରହିଥିବା ସମସ୍ତ ଶ୍ରମିକଙ୍କୁ ଧରି ପୁନରୁଦ୍ଧାର କାମରେ ଯୋଗଦେବା ପାଇଁ ପ୍ରସ୍ତୁତ ହୋଇ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାକୁ ଆସିବା ପରେ ବିଭିନ୍ନ ଦଳ ଗଠନ କରାଯାଇ ସେମାନଙ୍କୁ ଫିଲ୍‌ଡକୁ ପଠାଯିବ। ପ୍ରତ୍ୟେକ ଘରେ ସଂଯୋଗ ଦେବାପାଇଁ ଏହି କାରିଗରମାନେ ଲାଗିପଡ଼ିବେ ବୋଲି କୁହାଯାଇଛି। ନିର୍ଦ୍ଦେଶକୁ ଅବମାନନା କଲେ ତାଙ୍କର ଲାଇସେନ୍ସ ରଦ୍ଦ ହେଲା ବୋଲି ଧରାଯିବ ବୋଲି ନୋଟିସ୍‌ରେ କୁହାଯାଇଛି।

ଅକଳରେ ପକାଇଛି ଅନୁମାନ
ଅନୁମାନରେ ଚାଲିଛି ସେସୁ। ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିନାହାନ୍ତି। କେବଳ ଅନୁମାନ ଲଗାଇ ସରାକାରଙ୍କୁ ରିପୋର୍ଟ ଦେଇଛନ୍ତି। ଆନୁମାନିକ ରିପୋର୍ଟ ଦେଇ ସରକାରୀ ତାଗିଦରୁ ସିନା ବର୍ତ୍ତି ଯାଇଛନ୍ତି, ହେଲେ ଏଥିପାଇଁ ଖୋଦ୍‌ ଅଧିକାରୀମାନେ ଏବେ ଅକଳରେ ପଡ଼ିଛନ୍ତି। କ୍ଷେତ୍ର ବାବଦରେ ଜ୍ଞାନ ନଥିବାରୁ କେଉଁଠି ବଡ଼ ଗଛ, କେଉଁଠି ଛୋଟ ଗଛ, କେଉଁଠି ସହଜରେ ବିଦ୍ୟୁତ ସଂଯୋଗ ଦିଆଯାଇପାରିବ, କେଉଁଠି ସମସ୍ୟା ହେବ ଏ ସବୁ ଉପରେ ଅଧିକାରୀମାନେ ନିଶ୍ଚିତ ହୋଇ ପାରୁନାହାନ୍ତି। ଗୋଟିଏ ଟିମ୍‌ ଗୋଟିଏ ଜାଗାରେ ଛୋଟ ଯନ୍ତ୍ରପାତି ଧରି ପହଞ୍ଚିବା ବେଳକୁ ସେଠାରେ ବଡ଼ ଗଛ ପଡ଼ିଥିବାରୁ ସେହି ଯନ୍ତ୍ରପାତି କାମ ଦେଉନାହିଁ। କେଉଁଠି ହାଇଡ୍ରା ମେସିନ୍‌ ତ’ କେଉଁଠି ଡେଜର୍‌ ଦରକାର ହେଉଛି। ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ପୁନରୁଦ୍ଧାର କାମ ମଧ୍ୟ ବିଳମ୍ବିତ ହେଉଛି। ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ଉପଯୁକ୍ତ ନକ୍ସା ପ୍ରସ୍ତୁତ ହୋଇଥିଲେ ଏହି କାମ ସହଜ ହୋଇଥା’ନ୍ତା ବୋଲି ଜଣେ ତଳିଆ କର୍ମଚାରୀ କହିଛନ୍ତି।

ପରିଚାଳନାଗତ ତ୍ରୁଟି
ପୁନରୁଦ୍ଧାର କାମ ତଦାରଖ ପାଇଁ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହୋଇଛି। ଏଠାରେ ଘଡ଼ିକୁ ଘଡ଼ି ବୈଠକ ବସୁଛି। ହେଲେ ଫଳ ଶୂନ। ପରିଚାଳନାଗତ ତ୍ରୁଟି ରହୁଥିବାରୁ କାମ ତ୍ବରାନ୍ବିତ ହୋଇ ପାରୁନାହିଁ। ଯେଉଁଠି ଗୋଟିଏ ଟିମ୍‌ର ଆବଶ୍ୟକତା ରହିଛି ସେଠାରେ ଦୁଇଟି ଟିମ୍‌ ପହଞ୍ଚୁଛନ୍ତି। କେଉଁଠି କେବଳ ଗଛ କଟାଳି ପହଞ୍ଚୁଥିବା ବେଳେ ବିଦ୍ୟୁତ ବିଭାଗର କର୍ମଚାରୀ ପହଞ୍ଚୁ ନାହାନ୍ତି। କେଉଁଠି ତାର ଭିଡ଼ିବା ପାଇଁ କର୍ମଚାରୀ ପହଞ୍ଚି ଯାଉଥିଲେ ମଧ୍ୟ ଗଛ କଟାଳି ପହଞ୍ଚୁ ନାହାନ୍ତି। ପଶ୍ଚିମବଙ୍ଗ ତଥା କେତେକ ଅଣଓଡ଼ିଆ ଶ୍ରମିକ ଆସି ପହଞ୍ଚିଛନ୍ତି। କିନ୍ତୁ ଭୁବ‌ନେଶ୍ବରର ଅନେକ ଜାଗା ସେମାନେ ଦେଖି ନଥିବାରୁ ଜାଗାରେ ପହଞ୍ଚିବା ସମସ୍ୟା ହେଉଛି। ଭୁବନେଶ୍ବରରେ ଏବେ ଯଥେଷ୍ଟ ଶ୍ରମିକ ରହିଥିଲେ ମଧ୍ୟ ପୁନରୁଦ୍ଧାର କାମରେ ଆଖିଦୃଶିଆ ଉନ୍ନତି ଆସି ପାରୁନାହିଁ।

ସମ୍ବନ୍ଧିତ ଖବର