ବିଦ୍ୟୁତ୍‌ ଆଘାତରେ ଜଳିଗଲେ ଯୁବକ, ଗୁରୁତର ଅବସ୍ଥା‌‌ରେ ହସ୍ପିଟାଲରେ ଭର୍ତ୍ତି

ଚନ୍ଦ୍ର‌ଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଶିଶୁ ବିହାରରେ ଆଜି ଜଣେ ଯୁବକ ବିଦ୍ୟୁତ୍‌ ଆଘାତରେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ, ବଡ଼ମ୍ବା ନରସିଂହପୁରର ସମୀର କୁମାର (୩୨)। ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍‌(୩୩ କେଭି) ତାର ସଂସ୍ପର୍ଶରେ ଆସିବାରୁ ତାଙ୍କ ଶରୀରର ୮୦ଭାଗ ଅଂଶ ଜଳି ଯାଇଛି। ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ୩ ମହଲା ଘରକୁ ଭଡ଼ାରେ ନେଇ ସେଠାରେ ଛାତ୍ରାବାସ କରିବା ପାଇଁ ସମୀର ଚାହୁଥିଲେ। ଏଥିପାଇଁ ଆଜି ସେ ଘର ଭିତର ଓ ବିଭିନ୍ନ ମହଲା ବୁଲି ଦେଖୁଥିଲେ। ତେବେ ଉପର ମହଲା ଘର ବୁଲି ଦେଖିବା ବେଳେ ଏହି ଅଘଟଣ ଘଟିଥିଲା। ମୋବାଇଲ୍‌ରେ କଥା ହୋଇ ସେ ନିକଟ ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ତାରକୁ ଅଜାଣତରେ ଛୁଇଁ ଦେବାରୁ ଗୁରୁତର ଆହତ ହୋଇଥିଲେ। ଏହା ଦେଖି ନିକଟରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଆମ୍ବୁଲାନସ୍‌ ଯୋଗେ ନିକଟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ଖବର ପାଇ ଇନ୍‌ଫୋସିଟି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଏହି ଅଭିଶପ୍ତ ଘରେ ସମାନ ଢଙ୍ଗରେ ରଙ୍ଗମିସ୍ତ୍ରି ବିହାରର ଲଲନ୍‌ କୁମାର ଶର୍ମା (୩୫)ଙ୍କ ମୃତ୍ୟୁ ହୋଇଥିଲା। ସେ ଘରର ରଙ୍ଗକାମ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ। ଏ ସଂପର୍କରେ ଅଭିଯୋଗ ହେବାରୁ ପୁଲିସ ଘର ମାଲିକକୁ ଗିରଫ କରି କୋର୍ଟ ଚାଲଣ କରିଥିଲା।

ସମ୍ବନ୍ଧିତ ଖବର