ବାଲିଅନ୍ତା: ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟି ବାଳକାଟି ବଜାରରେ ଥିବା ଅଲିବ ସାହୁଙ୍କ ଏକ ମୋବାଇଲ୍ ଦୋକାନ(ସିଦ୍ଧେଶ୍ବର କମ୍ୟୁନିକେସନ୍ ଡିଷ୍ଟ୍ରିବ୍ୟୁଟର୍) ଜଳି ଯାଇଛି। ଗତ ରାତି ପ୍ରାୟ ୩ଟାରେ ଘଟିଥିବା ଏହି ଅଘଟଣରେ ୨୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବିଭିନ୍ନ ଦାମୀ ମୋବାଇଲ୍ ଓ ଅନ୍ୟାନ୍ୟ ଆସବାବପତ୍ର ଜଳି ଯାଇଛି। କ୍ଷୟକ୍ଷତିର ପରିମାଣ ୩୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବୋଲି ଶ୍ରୀ ସାହୁ କହିଛନ୍ତି। ତେବେ ଏହି ଅଘଟଣରେ ଦୋକାନରେ ଶୋଇଥିବା ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।
ସେମାନେ ହେଲେ, ବାଲିପାଟଣା ଥାନା ଅଧୀନ ସାତକାବାଦ ଗ୍ରାମର ସୁନୀଲ ଜେନା (୨୪) ଓ ସ୍ଥାନୀୟ ପ୍ରତାପଶାସନ ଗ୍ରାମରେ ରହୁଥିବା ଶୁଭାଶିଷ ପଣ୍ଡା (୨୩)। ଉଭୟଙ୍କ ଶରୀରର ପ୍ରାୟ ୪୦ପ୍ରତିଶତ ପୋଡ଼ି ଯାଇଛି। ସ୍ଥାନୀୟ ବ୍ୟବସାୟୀମାନେ ଦୁହିଁଙ୍କୁ ଉଦ୍ଧାର କରି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଅପରପକ୍ଷେ, ବାଲିଅନ୍ତା ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଇଲୋକଟ୍ରୋନିକ୍ସ ଓ ବିଦ୍ୟୁତ୍ ସାମଗ୍ରୀଗୁଡ଼ିକରେ ନିଆଁ ଲାଗିଯିବାରୁ ଦୋକାନରେ ବିସ୍ଫୋରଣ ଘଟିଥିଲା। ତେଣୁ ନିଆଁକୁ ଆୟତ୍ତ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇଥିଲା। ଫାଣ୍ଡି ଅଧିକାରୀ ମୁମତାଜ ଅଲ୍ଲୀ ଖାନ ଏହି ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/49-14.jpg)