ଲକ୍ଡାଉନ୍ରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଜାରି ରହିବ, ଅଣ୍ଟା ଭିଡ଼ିଲେ ଓପିଟିସିଏଲ୍ ଓ ୪ଟି ବିଦ୍ୟୁତ ବଣ୍ଟନ ସଂସ୍ଥା
ଭୁବନେଶ୍ବର : କୋଭିଡ୍-୧୯ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ଲକ୍ଡାଉନ୍ କାଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଅଣ୍ଟା ଭିଡ଼ିଛି ଓପିଟିସିଏଲ୍ ଓ ଅନ୍ୟ ୪ଟି ବିଦ୍ୟୁତ ବଣ୍ଟନ ସଂସ୍ଥା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓପିଟିସିଏଲ୍ ସହ ସେସୁ, ନେସ୍କୋ, ୱେସ୍କୋ ଏବଂ ସାଉଥ୍କୋ ପ୍ରମୁଖ ୪ଟି ୟୁଟିଲିଟି ସେମାନଙ୍କ କର୍ମଚାରୀଙ୍କୁ ପ୍ରସ୍ତୁତ କରିଛନ୍ତି। ବିଦ୍ୟୁତ୍ ସେବାରେ ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିବା ସହ ତାଲା ବନ୍ଦ ଅବଧିରେ ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ଟି ୟୁଟିଲିଟିର ୧୯୧୭ କାର୍ଯ୍ୟନିର୍ବାହୀ ଓ ୧୦ ହଜାର ୧୪୬ ଅଣ କାର୍ଯ୍ୟନିର୍ବାହୀ ୨୪ ଘଣ୍ଟା କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ହୋଇଛି। ବିଶେଷକରି ସରକାରୀ ଓ ବେସରକାରୀ ମେଡିକାଲ କଲେଜ୍ ଓ ହସ୍ପିଟାଲ, ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଯେଭଳି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନ ହୁଏ ସେ ନେଇ ଏହି ଅଧିକାରୀମାନେ ନିଶ୍ଚିତ କରିବେ ଏବଂ ବ୍ୟତିକ୍ରମ ହେଲେ ସେମାନେ ଦାୟୀ ରହିବେ ବୋଲି ଗ୍ରିଡ୍କୋ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ସ୍ଥିର ବିଦ୍ୟୁତ ଯୋଗାଣ, ବ୍ରେକଡାଉନ୍, ବିଦ୍ୟୁତ୍ ସରବରାହ ଓ ବିତରଣ କାର୍ଯ୍ୟକୁ ରାଜ୍ୟସ୍ତରୀୟ କେନ୍ଦ୍ର ପକ୍ଷରୁ ନଜର ରଖାଯାଉଛି ଓ ପରିଚାଳନା କରାଯାଉଛି। ଯୋଗାଣର ଶୀଘ୍ର ପୁନରୁଦ୍ଧାର ପାଇଁ ପର୍ଯ୍ୟାପ୍ତ ପରିମାଣର ମାନବସମ୍ବଳ ଓ ସାମଗ୍ରୀ ମହଜୁଦ ରଖାଯାଇଛି। ନିର୍ମାଣ ସ୍ଥାନରେ ଶ୍ରମିକମାନଙ୍କ ପାଇଁ ସମସ୍ତ ଆବଶ୍ୟକତା ପୂରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଶକ୍ତି ବିଭାଗ ଅନ୍ୟ ବିଭାଗ ସହ ହାତ ମିଳାଇ ପ୍ରସ୍ତୁତ ଥିବା କୁହାଯାଇଛି।