ଚନ୍ଦ୍ରଶେଖରପୁର : ସିଲିକନ୍ କଲେଜ ରୋଡ୍ ଡିଏଲଏଫ ଟାୱାର୍ ନିକଟରେ ଥିବା ଏକ ଟ୍ରାନ୍ସଫର୍ମର୍ ଆଜି ହଠାତ୍ ଫାଟିଯିବାରୁ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ, ଅଜୟ କୁମାର ନାୟକ (୨୨) ଓ ଶୁଭାଶିଷ ସାହୁ (୨୬)। ଉଭୟଙ୍କ ଘର କାକଟପୁର ଅଞ୍ଚଳରେ। ଏଠାରେ ପଟିଆ ଅଞ୍ଚଳରେ ରହନ୍ତି। ଇନ୍ଫୋସିଟି ଥାନା ପିସିଆର୍ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛି। ଏହି ଅଘଟଣରେ ସେମାନଙ୍କ ବାଇକ୍ ମଧ୍ୟ ପୋଡ଼ି ଯାଇଛି। ସୂଚନା ଅନୁଯାୟୀ, ବାତ୍ୟାର ୬ ଦିନ ପରେ ଆଜି ଉକ୍ତ ଟାୱାରରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ଆଜି ଅପରାହ୍ଣରେ ଯୁବକ ଦୁହେଁ ଉକ୍ତ ବାଟ ଦେଇ ବାଇକ୍ରେ ଯାଉଥିବା ବେଳେ ହଠାତ୍ ଟ୍ରାନ୍ସଫର୍ମର୍ଟି ଫାଟି ଜଳି ଉଠିଥିଲା। ଗରମ ତେଲ ଯୁବକଦ୍ୱୟଙ୍କ ଦେହ ଓ ବାଇକ୍ରେ ପଡ଼ି ଜଳିବାରେ ଲାଗିଥିଲା। ତେବେ ଖବର ଦେବାର ଘଣ୍ଟାଏ ବିଳମ୍ବରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲଭାଇବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକ ହୋହଲ୍ଲା, ପାଟିତୁଣ୍ଡ କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜୋନ୍-୬ ଏସିପି ତରୁଣ କୁମାର ଦାସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅପରପକ୍ଷେ ଟ୍ରାନ୍ସଫର୍ମର୍ ଫାଟି ବିଦ୍ୟୁତ୍ କଟି ଯିବାରୁ ଡିଏଲଏଫ ଟାୱାର୍ ଲିଫ୍ଟରେ ଦୁଇଜଣ ଯୁବକ ଅଧଘଣ୍ଟା ପାଇଁ ଫସି ରହିଥିଲେ। ଜେନେରେଟର୍ ଚାଲୁ ହେବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ଟ୍ରାନ୍ସଫର୍ମର ଫାଟି ଦୁଇ ଯୁବକ ଗୁରୁତର
/sambad/media/post_attachments/wp-content/uploads/2019/05/madhu-transformer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)