ବାଲିପାଟଣା: ଦୁଇ ଦିନ ତଳେ ଗଛରେ ବନ୍ଧା ହୋଇଥିବା ଏକ ବିଦ୍ୟୁତ୍‌ଖୁଣ୍ଟିର ଷ୍ଟେ’ ତାର ଯୋଗୁ କୁଳନ୍ତିରା ଶାସନର ମେଧାବୀ ଛାତ୍ର ଚନ୍ଦନ ଭୋଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ବିଦ୍ୟୁତ୍‌ ସରବାରାହ କ୍ଷେତ୍ରରେ ଥିବା ଦୁର୍ବଳ ଭିତ୍ତିଭୂମି ସହ ବିଦ୍ୟୁତ୍‌ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ପଦାରେ ପକାଇଥିଲା। ତେବେ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷ ସଂପୃକ୍ତ ଘଟଣା ନେଇ ତନାଘନା ଆରମ୍ଭ କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ ଭିତ୍ତିଭୂମିର ଆହୁରି ଅନେକ ଅଭାବନୀୟ ଚିତ୍ର ଦେଖିବାକୁ ମିଳୁଛି।

Advertisment

ଗାଁ ଗାଁ ରେ ଗଛରେ ବିଦ୍ୟୁତ୍‌ଖୁଣ୍ଟର ଷ୍ଟେ’ ତାର ଭିଡ଼ା ହୋଇଛି। ଏହା ସହିତ ଅନେକ ଜାଗାରେ ମୁକୁଳା ଟ୍ରାନ୍ସଫର୍ମର ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାଲିପାଟଣା ଓ ବନମାଳୀପୁରରେ ୨ଟି ସବ୍‌ଷ୍ଟେସନ୍‌ ରହିଛି। ଏଠାରେ ୨୦ ହଜାରରୁ ଅଧିକ ଉପଭୋକ୍ତା ଅଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ଗ୍ରାମବାସୀ ଓ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେଇଥିବା ଅଭିଯୋଗ ହେଉଛି। ଶହ ଶହ ଖୁଣ୍ଟରେ ଅସ୍ଥାୟୀ ଷ୍ଟେ’ ତାର ବନ୍ଧା ହୋଇଛି। ବହୁ ସ୍ଥାନରେ ଛିଣ୍ଡା ତାରରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ଖୁବ୍‌ ତଳକୁ ତାର ଝୁଲୁଛି। ଗ୍ରାମ ଦେଇ ଯାଇଥିବା ୧୧ କେଭି ଲାଇନ୍‌ର ରକ୍ଷଣାବେକ୍ଷେଣ ଅଭାବରୁ ତାର ଛିଣ୍ଡୁଛି। ଗତକାଲି କୁଳନ୍ତିରା ଶାସନରେ ଗୋଟିଏ ଜାଗାରେ ୧୧ କେଭି ବିଦ୍ୟୁତ୍‌ ତାର ହଠାତ ଛିଣ୍ଡି ଧାନ କିଆରିରେ ପଡ଼ିଥିଲା। ତେବେ ସେ ସମୟରେ ଚାଷୀ ବିଲରେ ନ ଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଥିଲା।  ଧନଜୀବନର ସୁରକ୍ଷା ସହ ବିଦ୍ୟୁତ୍‌ ସେବାରେ ଉନ୍ନତି ପାଇଁ ଏଦିଗରେ ଧ୍ୟାନ ଦେବାକୁ ଗ୍ରାମବାସୀ ସ୍ଥାନୀୟ ବିଦ୍ୟୁତ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଟିପିସିଓଡିଏଲ୍‌ର କନିଷ୍ଠ ଯନ୍ତ୍ରୀ ରାଜେଶ ନାୟକ କହିଛନ୍ତି ଯେ ସବୁ ଜାଗାରେ ଦୁର୍ବଳ ଷ୍ଟେ’ ତାରଗୁଡ଼ିକର ମରାମତି ଖୁବ୍‌ ଶୀଘ୍ର ହେବ। ଏଡାଛଡ଼ା ଏବେ ଥିବା ତାରଗୁଡ଼ିକୁ ବଦଳାଇ କେବୁଲ୍‌ କରିବାକୁ ପଦକ୍ଷେପ ନିଆଯାଇଛି।