୭ ମାସରେ ଅଧ ‌କୋଟିକୁ ଟପିଗଲା ବିଲ୍‌, ଘରେ ଲାଗିଛି ୪ ଏଲ୍‌ଇଡି ବଲ୍‌ବ, ୨ ସିଲିଂ ଫ୍ୟାନ୍‌

ପୁରୁଣା ଭୁବନେଶ୍ୱର: ଏକ ଦିବ୍ୟାଙ୍ଗ ଦମ୍ପତିଙ୍କ ଘରେ ବ୍ୟବହାର ହେଉଛି ମାତ୍ର ୪ଟି ଏଲ୍‌ଇଡି ବଲ୍‌ବ ଓ ୨ ସିଲିଂ ଫ୍ୟାନ୍‌। ପୁଣି ଦିନର ସବୁ ସମୟରେ ସବୁ ବଲ୍‌ବ ଓ ଫ୍ୟାନ୍‌ ଚାଲେ ନାହିଁ। ତଥାପି ୭ ମାସର ବିଦ୍ୟୁତ୍ ବିଲ୍‌ ଆସିଛି ୫୮ଲକ୍ଷ ୮୫ହଜାର ୯ଶହ ୯୮ଟଙ୍କା। କୌଣସି ଏକ ଶିଳ୍ପ ସଂସ୍ଥାର ବିଲ୍ ସହ ସମାନ ହୋଇଯାଇଛି ଏହି ଦିବ୍ୟାଙ୍ଗ ଗରିବ ପରିବାରର ବିଦ୍ୟୁତ୍ ବିଲ୍‌। ମାସିକ ୨ ଶହରୁ ୩ ଶହ ଟଙ୍କା ହିସାବରେ ୭ମାସର ବିଦ୍ୟୁତ୍ ବିଲ୍‌ ଅତି ବେଶିରେ ଦୁଇରୁ ଅଢ଼େଇ ହଜାର ଟଙ୍କା ହେବା କଥା। କିନ୍ତୁ ଅଧ କୋଟି ଟଙ୍କାକୁ ଟପି ଯାଇଛି। ଏହା ଏକ ଅବିଶ୍ବସନୀୟ ଘଟଣା ହୋଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଏବେ ଦିବ୍ୟାଙ୍ଗ ଦମ୍ପତି ସାଂଘାତିକ ଭାବେ ମାନସିକ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହେଉଛି। ଭୁବନେଶ୍ବର ଉପକଣ୍ଠ ପାଞ୍ଚଗାଁ ଅଞ୍ଚଳ‌ର ଏହି ଘଟଣା ଏବେ ସୁନ୍ଦରପଦା ବିଦ୍ୟୁତ୍ ସେକ୍ସନ ଅଧୀନସ୍ଥ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ, ପାଞ୍ଚଗାଁରେ ପ୍ରସନ୍ନ କୁମାର ନାୟକ, ତାଙ୍କ ପତ୍ନୀ ଓ ସାନ ଭାଇ ଅଜୟ ନାୟକ ଏମିତି ୩ ଜଣ ରହୁଛନ୍ତି। ପ୍ରସନ୍ନ ଓ ତାଙ୍କ ପତ୍ନୀ ଉଭୟ ଦୃଷ୍ଟିଶକ୍ତିରହିତ ଦିବ୍ୟାଙ୍ଗ। ସେମାନଙ୍କ ଘରେ ମାତ୍ର ୪ଟି ଏଲ୍‌ଇଡି ବଲ୍‌ବ ଓ ୨ଟି ଫ୍ୟାନ୍‌ ଲାଗିଛି। କିନ୍ତୁ ବାରମ୍ବାର ତାଙ୍କୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ମାସିକ ବିଲ୍‌କୁ ନେଇ ହଇରାଣ କରାଯାଉଛି। ଗତବର୍ଷ ସେପ୍ଟମ୍ବରରେ ମାସିକ ୧୮ ହଜାର ୮୪୫ ଟଙ୍କାର ବିଲ୍‌ ଆସିଥିଲା। ତେଣୁ ସେ ଏହାର ବିରୋଧ କରିଥିଲେ। ପରେ ବିଭାଗୀୟ ଅଧିକାରୀଙ୍କ ସହ ସେମାନଙ୍କ ବୁଝାମଣା ହୋଇଥିଲା ଓ ତାଙ୍କୁ ୯ ହଜାର ୭୧୦ ଟଙ୍କା ଦେବାକୁ ପଡ଼ିଥିଲା। ତ୍ରୁଟିପୂର୍ଣ୍ଣ ମିଟର ପାଇଁ ଏହି ସମସ୍ୟା ହୋଇଥିବାରୁ ଗତ ଡିସେମ୍ବର ୨୮ ତାରିଖରେ ଏକ ନୂଆ ମିଟର ବସା ଯାଇଥିଲା। ପ୍ରସନ୍ନଙ୍କ ଅଭି‌ଯୋଗ, ସେହିଦିନଠାରୁ ତାଙ୍କ ମିଟର ରିଡିଂ ନିଆଯାଉ ନଥିଲା। କିନ୍ତୁ ଏବେ ୭ମାସ ପରେ ମିଟର ରିଡିଂ ନିଆଯାଇଛି ଓ ମୋଟ୍ ୫୮ଲକ୍ଷ ୮୫ହଜାର ୯୯୮ ଟଙ୍କାର ବିଲ୍‌ ଆସିଛି। ବିଲ୍‌କୁ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି ଦିବ୍ୟାଙ୍ଗ ଦମ୍ପତି। ଗତବର୍ଷ ସେପ୍ଟେମ୍ବର ମାସର କଷ୍ଟ ସେମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ୧୮ ହଜାର ଟଙ୍କାର ବିଲ୍‌ ବୁଝାମଣା ପରେ ୯ ହଜାର ଟଙ୍କାକୁ ଖସିଥିଲା। କଷ୍ଟେମଷ୍ଟେ ସେମାନେ ଚଳାଇ ନେଇଥିଲେ। ଏବେ ଅଧକୋଟି ଟଙ୍କାର ବିଲ୍ ବୁଝାମଣା ପରେ କେତେ ହେବ ଓ ସେମାନେ ଏହା କିଭଳି ଭରଣା କରିବେ ବୋଲି ଭାବି ପାରୁନାହାନ୍ତି। ସାନ ଭାଇ ଅଜୟଙ୍କ ଅଭିଯୋଗ ଅନୁସାରେ ମିଟର ରିଡିଂ ନେବାକୁ ଆସିଥିବା କର୍ମଚାରୀ ଓ ବିଭାଗୀୟ ଯନ୍ତ୍ରୀ ଏ ବାବଦରେ କିଛି କରିପାରିବେ ନାହିଁ ବୋଲି କହିଛନ୍ତି। ତେଣୁ ସେମାନେ ବାଧ୍ୟ ହୋଇ ଖାଉଟି ଅଦାଲତର ଦ୍ବାରସ୍ଥ ହେବେ। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବା ପରେ ସେ ଏହାକୁ ଏକ ସାଧାରଣ ଭୁଲ୍‌ ବୋଲି କହିଛନ୍ତି। ତେବେ ଏ ବାବଦରେ ତଦନ୍ତ କରାଯିବ ଓ ତାଙ୍କୁ ଉପଯୁକ୍ତ ବିଲ୍‌ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର