ଭୁବନେଶ୍ୱର: ଫନିବାତ୍ୟାକୁ ବର୍ଷେ ବିତିଛି। ଏହି ସମୟରେ ସେସୁର ପ୍ରତାରଣାର ଶିକାର ହୋଇଥିବା ଉପଭୋକ୍ତା ଯନ୍ତ୍ରଣାରୁ ମୁକ୍ତି ପାଇନାହାନ୍ତି। ବର୍ଷେ କାଳ ଉପେକ୍ଷିତ ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି। ବିଭାଗୀୟ ତ୍ରୁଟି ପାଇଁ ଉପଭୋକ୍ତା ମୋଟା ଅଙ୍କର ବିଲ୍ ବୋଝ ବୋହୁଛି। ଏଭଳି ସ୍ଥିତିରେ ଅଭିଯୋଗ ସମାଧାନ ମଞ୍ଚ(ଜିଆର୍ଏଫ୍)ର ନିଷ୍ପତ୍ତି ଉପଭୋକ୍ତା ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଜଟଣୀ ପୌରାଞ୍ଚଳ ଶ୍ରୀରାମ ନଗରରେ ରହୁଥିବା ଶାଶ୍ବତୀ ମହାନ୍ତି ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି। ଜିଆରଏଫ୍ ନିଷ୍ପତ୍ତି ବିରୋଧରେ ସେ ଅମ୍ବୁଡ୍ସ୍ମ୍ୟାନ୍ଙ୍କର ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ, ଶ୍ରୀମତୀ ମହାନ୍ତି ୨୦୧୬ ମସିହାରେ ବିଜୁଳି ସଂଯୋଗ ନେଇଥିଲେ। ସେବେଠାରୁ ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଲ୍ ଅନୁସାରେ ଦେୟ ପୈଠ କରି ଆସୁଥିଲେ। ଏପ୍ରିଲ ମାସରେ ସେସୁ ପକ୍ଷରୁ ମିଟର ରିଡିଂ ନିଆଗଲା ନାହିଁ। ମେ’ ମାସରେ ଫନି ବାତ୍ୟା ହେଲା। ମାସ ସାରା ବିଜୁଳି ସଂଯୋଗ ରହିଲା ନାହିଁ। ଜୁନ୍ ମାସରେ ସଂଯୋଗ ଆସିଲା ହେଲେ ଦିନରେ ମରାମତି ହେଉଥିବାରୁ କେବଳ ରାତିରେ ଲାଇନ୍ ଆସୁଥିଲା। ଜୁନ୍ରେ ତାଙ୍କର ଏପ୍ରିଲ ଓ ମେ’ ମାସର ବିଲ୍ ଆସିଲା। ଦୁଇମାସରେ ୩୨୦୭ ୟୁନିଟ୍ ପାଇଁ ୧୮ ହଜାର ୧୬୭ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଥିଲା। ତେବେ ପୂର୍ବରୁ ଆସୁଥିବା ବିଲ୍କୁ ହିସାବକୁ ନେଲେ ଏହି ପରିମାଣ ୨ ଶହ ୟୁନିଟ୍ ପାଇଁ ପ୍ରାୟ ୧ ହଜାର ଟଙ୍କା ହେବା କଥା। ଏନେଇ ଶ୍ରୀମତୀ ମହାନ୍ତି ସେସୁ କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ। ମିଟର ଖରାପ ଥିବାରୁ ନୂଆ ମିଟର ଲଗାଇବାକୁ ସେସୁ ପରାମର୍ଶ ଦେଲା। ତା’ ସହ ପୂର୍ବମାସର ବିଜୁଳି ବ୍ୟବହାରକୁ ଆଖି ଆଗରେ ରଖି ଦୁଇମାସ ପାଇଁ ୧ହଜାର ଟଙ୍କା ଦେୟ ବାବଦକୁ ଜମା କରିବା ପାଇଁ ପରାମର୍ଶ ଦେଲା। ପରାମର୍ଶ ମୁତାବକ ଅର୍ଥ ଜମା ହୋଇଥିଲା। ୨୦୧୯ ଜୁଲାଇ ୨୩ ତାରିଖରେ ୧୩୦୦ ଟଙ୍କା ବ୍ୟୟରେ ନୂଆ ମିଟର କିଣାଗଲା। ମିଟର ଟେଷ୍ଟିଂ ବାବଦକୁ ସେସୁ ଶହେ ଟଙ୍କା ମଧ୍ୟ ନେଲା। ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୪ ମାସ ଧରି ସେସୁ ମିଟର ଟେଷ୍ଟିଂ କଲା। ନଭେମ୍ବର ୬ ତାରିଖରେ ସେସୁ ନୂଆ ମିଟର ଲଗାଇଲା। ଇତିମଧ୍ୟରେ ସେସୁ ବଳକା ଦେୟ ଆଦାୟ କରିବା ଉପଭୋକ୍ତାଙ୍କର ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଘୋଷଣା କଲା। ଏଭଳି ସ୍ଥିତିରେ ସମ୍ପୃକ୍ତ କନିଷ୍ଠଯନ୍ତ୍ରୀ ଶ୍ରୀମତୀ ମହାନ୍ତିଙ୍କୁ ବକେୟା ବିଲ୍ର ୩୦ ପ୍ରତିଶତ ଜମା କରିବା ପାଇଁ ଚିଠି ନ ଲେଖି ମୌଖିକ ଦାବି କଲେ। ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଧମକ ମଧ୍ୟ ଦେଲେ।
ବିଭାଗର ଭୁଲ ପାଇଁ ବିଲ ବୋଝ ହୋଇଥିବାରୁ ଶ୍ରୀମତୀ ମହାନ୍ତି ଜାନୁଆରି ୨୯ ତାରିଖରେ ନ୍ୟାୟ ପାଇଁ ଜିଆରଏଫର ଦ୍ବାରସ୍ଥ ହୋଇଥିଲେ। ହେଲେ କୌଣସି ଆଦେଶ ହୋଇନଥିଲା। ଏଣେ ମିଟର ଲାଗିବାଠାରୁ ପ୍ରତି ମାସରେ ବିଲ ଆସୁଥିଲା। ୬ଟା ବିଲ୍ ଆସିବା ପରେ ସମାଧାନ ହେବ ବୋଲି ସେସୁ ପ୍ରତିଶ୍ରୁତି ଦେଇଥିଲା। ନୂଆ ମିଟର ଲାଗିବା ପରେ ଏହି ୬ମାସରେ ୫୭୮ ୟୁନିଟ୍(ମାସିକ ୯୬ ୟୁନିଟ୍) ବ୍ୟବହାର ହୋଇଥିବା ବିଲ୍ ଆସିଥିଲା। ମିଟର ଲାଗିବା ଦିନଠାରୁ ଅଭିଯୋଗ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ହାରାହାରି ବିଲ୍ ମଧ୍ୟ ଏଭଳି ୯୬ ୟୁନିଟ୍ ରହିଥିଲା। ଏଥିରୁ ସ୍ପଷ୍ଟ ହେଉଛି କି ଉପଭୋକ୍ତା ନିର୍ଦ୍ଦିଷ୍ଟ ପରିମାଣର ବିଜୁଳି ବ୍ୟବହାର କରୁଥିଲେ। ମିଟର ଖରାପ ଥିବାରୁ ଏଭଳି ହୋଇଥିବା ସେସୁ କର୍ମଚାରୀ ପରୀକ୍ଷା କରିବା ପରେ କହିଥିଲେ। ମିଟର ଘର ବାହାର କାନ୍ଥରେ ରହୁଥିବାରୁ ବାତ୍ୟାରେ ଖରାପ ହୋଇଥାଇପାରେ ବୋଲି ସେସୁ ସନ୍ଦେହ କରିଥିଲା। ଇତିମଧ୍ୟରେ ସଂଯୋଗ ନେବାଠାରୁ ୨୦୧୯ ମସିହା ଜୁନ୍ ମାସ ପର୍ଯ୍ୟନ୍ତ ମିଟରକୁ ଟ୍ୟାମ୍ପରିଂ କରାଯାଉଥିବାରୁ ବିଲ୍ କମ୍ ଆସୁଥିଲା ବୋଲି ଜିଆରଏଫ୍ ଆଦେଶ କରିଥିଲେ। ଏଣୁ ଉପଭୋକ୍ତା ସମସ୍ତ ପରିମାଣ ଦାଖଲ କରନ୍ତୁ ଆଦେଶନାମାରେ ଉଲ୍ଲେଖ କରିଥିଲେ। ଏହି ଆଦେଶକୁ ଆଧାର କରି ସେସୁ ଶ୍ରୀମନ୍ତୀ ମହାନ୍ତିଙ୍କୁ ସମସ୍ତ ପଇସା (୧୭ହଜାର ୨୪୫ ଟଙ୍କା) ଦାଖଲ କରିବା ପାଇଁ ଚିଠି ଲେଖିଥିଲା। ସେସୁ ମିଟର ଖରାପ ଥିବା କହୁଥିବା ବେଳେ ଜିଆରଏଫ୍ ମିଟର ଟ୍ୟାମ୍ପରିଂ ହେଉଥିବା ଦର୍ଶାଇଥିଲେ। ଏଭଳି ଏକ ବିଚିତ୍ର ସ୍ଥିତିକୁ ନେଇ ଉପଭୋକ୍ତା ଅମ୍ବୁଡ୍ସ୍ମ୍ୟାନ୍ର ଦ୍ବାରସ୍ଥ ହୋଇଛନ୍ତି।