ବିଜୁଳି ଚାହିଦା ଭୁବନେଶ୍ବରରେ ୨୬ % ବୃଦ୍ଧି

ହୁକ, ବିଜୁଳି ଅପଚୟ ନ କରିବାକୁ ପରାମର୍ଶ ଦେଲା ଟିପିସିଓଡିଏଲ୍‌

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀ‌ଷ୍ମ ପ୍ରବାହ ଯୋଗୁ ବିଜୁଳି ଚାହିଦା ବଢ଼ିବାରେ ଲାଗିଛି। ପୂର୍ବବର୍ଷ ତୁଳନା‌ରେ ଚଳିତବର୍ଷ ଟାଟା ପାୱାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ଅଞ୍ଚଳରେ ୧୬ ପ୍ରତିଶତ ବିଜୁଳି ଚାହିଦା ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ବରରେ ୨୬ ପ୍ରତିଶତ ବିଜୁଳି ଚାହିଦା ବୃଦ୍ଧି ପାଇଛି। ଆଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିବା ପୂର୍ବାନୁମାନ କରାଯାଇଥିବାରୁ ବିଜୁଳି ଚାହିଦା ବଢ଼ିବା ଥୟ ହୋଇଛି। ଏଭଳି ସ୍ଥିତିରେ ହୁକ ପକାଇ ବେଆଇନ ଭାବରେ ବିଜୁଳି ବ୍ୟବହାର କରିବା ଟିପିସିଓଡିଏଲ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଥିଯୋଗୁ ଫ୍ୟୁଜ୍ ଉଡିବା, କେବୁଲ୍ କିମ୍ବା ଜଏଣ୍ଟରେ ସମସ୍ୟା ହେବା ଓ ଟ୍ରାନ୍ସଫର୍ମର ଓଭରଲୋଡିଂ ଭଳି ଆହ୍ୱାନ ବିଦ୍ୟୁତ୍ ଯୋଗାଣକୁ ଭୟଙ୍କର ଭାବରେ ପ୍ରଭାବିତ କରୁଛି। ଏଥିରେ ସଚ୍ଚୋଟ ବିଜୁଳି ଉପଭୋକ୍ତା କ୍ଷତିଗ୍ରସ୍ତ ହେଉଛନ୍ତି। ନିୟମିତ ବିଲ୍‌ ଦେଉଥିଲେ ମଧ୍ୟ ବିଜୁଳି ସଂଯୋଗ ବିଚ୍ଛିନ୍ନର ଶିକାର ହେଉଛନ୍ତି। ଏଥିପାଇଁ ହୁକ ପକାଇବା ଭଳି ଦଣ୍ଡନୀୟ ଅପରାଧରୁ ଦୂରେଇ ରହିବା ପାଇଁ ଟିପିସିଓଡିଏଲ୍‌ ପରାମର୍ଶ ଦେଇଛି।

ଟିପିସିଓଡିଏଲ୍ ଅଞ୍ଚଳରେ ୨୦୨୨-୨୩ ଆର୍ଥିକ ବର୍ଷରେ ଗୋଟିଏ ଦିନରେ ସର୍ବୋଚ୍ଚ ବିଜୁଳି ଚାହିଦା ୧୭୬୪ ମେଗାୱାଟ୍‌ ରହିଥିବା ବେଳେ ୨୦୨୩-୨୪ରେ ସର୍ବୋଚ୍ଚ ଚାହିଦା ୨୦୨୫ରେ ପହଞ୍ଚିଥିଲା। ଏହି ଚାହିଦାକୁ ଲକ୍ଷ୍ୟ କରି ଏଥର ବା ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବୋଚ୍ଚ ଚାହିଦା ୨୩୨୯ ମେଗାୱାଟ୍‌ ଆକଳନ କରାଯାଇଛି। ଏ ପର୍ଯ୍ୟନ୍ତ ବା ଏପ୍ରିଲ୍‌ ୨୮ ତାରିଖ ଦିନ ସର୍ବୋଚ୍ଚ ବିଦ୍ୟୁତ ଚାହିଦା ରହିଥିଲା। ତାହା ହେଉଛି ୨୦୨୮ ମେଗାୱାଟ୍‌। ଯାହା ଗତବର୍ଷ ଏହି ଦିନ ୧୬୯୦ ମେଗାୱାଟ୍‌ ତୁଳନାରେ ୨୦ ପ୍ରତିଶତ ଅଧିକ।
ଟିପିସିଓଡିଏଲ୍‌ ଅଞ୍ଚଳ ମଧ୍ୟରେ ଭୁବନେଶ୍ବରରେ ହିଁ ସର୍ବାଧିକ ଚାହିଦା ରହିଛି। ଗତକାଲି ବା ୨୮ ତାରିଖରେ ଭୁବନେଶ୍ବରରେ ସର୍ବୋଚ୍ଚ ଚାହିଦା ୫୫୩ ମେଗାୱାଟ୍‌ ‌ରେକର୍ଡ କରାଯାଇଛି। ଗତ ବର୍ଷ ଏପ୍ରିଲ୍‌ ୨୮ ତାରିଖର ବିଦ୍ୟୁତ ଚାହିଦା ୪୨୪ ମେଗାୱାଟ୍‌ ଠାରୁ ୩୦ ପ୍ରତିଶତ ଅଧିକ। ସେହିଭଳି ଚଳିତ ଏପ୍ରିଲ ୨୧ରେ ୫୪୧ ମେଗାୱାଟ୍‌ ରହିଥିବା ବେଳେ ଗତ ବର୍ଷ ଏପ୍ରିଲ ୨୧ରେ ୪୩୦ ରହିଥିଲା। ଏଭଳି ବୃଦ୍ଧିର କାରଣ ପଛରେ ଏସି, କୁଲର ବ୍ୟବହାର ସହ ବିଦ୍ୟୁତ ଚୋରି ପ୍ରମୁଖ କାରଣ ବୋଲି କୁହାଯାଉଛି।
ଭୁବନେଶ୍ୱରର ଭୀମଟାଙ୍ଗି, ପୋଖରୀପୁଟ, ଲିଙ୍ଗରାଜ ଓ ଜାମୁକୋଳି ଅଞ୍ଚଳରେ ବିଦ୍ୟୁତ ଚାହିଦା ଅଧିକ ରହିଥିବା ଦେଖାଯାଇଛି। ଚାହିଦା ପୂରଣ କରିବା ପାଇଁ ଭୀମଟାଙ୍ଗି ପିଏସ୍‌ଏସ୍‌ ଠାରେ ୧୬ ଏମ୍‌ଭିଏ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ କରାଯାଇଛି। ଭିତ୍ତିଭୂମି ଓ ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ଏକ କେନ୍ଦ୍ରୀୟ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର (ସିପିଏସ୍‌ସିସି) ପ୍ରତିଷ୍ଠା କରାଯାଇଛି। ୮୬୨ ଫ୍ୟୁଜ୍ କଲ୍ ସେଣ୍ଟର ପ୍ରତିଷ୍ଠା ହୋଇଥିବା ବେଳେ ୩୩ କେଭି ଓ ୧୧ କେଭି ତ୍ରୁଟି ତୁରନ୍ତ ସମାଧାନ ପାଇଁ ଉପଖଣ୍ଡଭିତ୍ତିକ ‘ନାଇଟ୍ ବ୍ରେକଡାଉନ୍ ଟିମ୍’ ନିୟୋଜିତ କରାଯାଇଛି।

ଟିପିସିଓଡିଏଲ୍‌ ପକ୍ଷରୁ କୁହାଯାଇଛି କି, ହୁକ ପକାଇବା ଭାରତୀୟ ବିଦ୍ୟୁତ ଅଧିନିୟମ, ୧୯୫୬ର ଧାରା ୧୩୫ ଅନୁଯାୟୀ ଦଣ୍ଡନୀୟ। ଆମେ ଉପଭୋକ୍ତାମାନଙ୍କୁ ଅନୁରୋଧ କରୁଛୁ ଯେ ବିଦ୍ୟୁତ୍ ବ୍ୟବହାର ସହିତ ଜଡ଼ିତ କୌଣସି ଅନଧିକୃତ କାର୍ଯ୍ୟକଳାପରୁ ଦୟାକରି ଦୂରେଇ ରୁହନ୍ତୁ। ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସହଯୋଗ କରନ୍ତୁ। ବିଦ୍ୟୁତ ଚୋରି ଖବର ଦେବା ପାଇଁ ଯେ କେହି ୧୯୧୨ ଡାଏଲ୍ କରି କିମ୍ବା ୯୪୩୭୧୫୮୬୭୦ ମୋବାଇଲ ନମ୍ବରକୁ ହ୍ୱାଟ୍‌ସଆପ୍ କରି ଖବର ଦେଇ ପାରିବେ। ଏଥିରେ ଖବରଦାତାଙ୍କ ପରିଚୟ ଗୋପନ ରହିବା ସହ ପୁରସ୍କାରର ବ୍ୟବସ୍ଥା ଅଛି।

ସମ୍ବନ୍ଧିତ ଖବର