ଭୁବନେଶ୍ବର: ମୁକୁଳା ଟ୍ରାନ୍ସଫର୍ମର୍ ସଂସ୍ପର୍ଶରେ ଆସି ଆଉ ଗୋଟିଏ ଗାଈ ପ୍ରାଣ ହରାଇଛି। ୩୭ନଂ ଵାର୍ଡ ବେହେରା ସାହିସ୍ଥିତ ନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି। ଗାଈଟି ଚରି ବୁଲି ଟ୍ରାନ୍ସଫର୍ମର୍ ନିକଟକୁ ଚାଲି ଆସିଥିଲା ଏବଂ ବିଦ୍ୟୁତ୍ ଆଘାତରେ ସେହିଠାରେ ହିଁ ତା’ ପ୍ରାଣବାୟୁ ଉଡ଼ି ଯାଇଥିଲା। ରାଜଧାନୀରେ ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମର୍କୁ ନେଇ ଗତ ରବିବାର ଦିନ ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଅବ୍ୟବସ୍ଥା ପାଇଁ ବର୍ଷକ ମଧ୍ୟରେ ୫ ଗାଈ ମଲେଣି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଥିଲା। କିନ୍ତୁ ଏହା ପରେ ବି ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇନାହିଁ। କମ୍ ସମୟ ମଧ୍ୟରେ ସ୍ଥାୟୀ ବ୍ୟବସ୍ଥା କରାଯିବା ସମ୍ଭବ ନୁହେଁ। କିନ୍ତୁ ଟ୍ରାନ୍ସଫର୍ମର୍ ଥିବା ସ୍ଥାନକୁ ଅସ୍ଥାୟୀ ଭାବେ ବି ଘେରାବନ୍ଦୀ କରିବା ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ବିଦ୍ୟୁତ୍ ବିଭାଗର ଖାମଖିଆଲିକୁ ସ୍ପଷ୍ଟ ସୂଚାଉଛି। ଏହାର କୁ-ପରିଣତି ସ୍ବରୂପ ଗତକାଲି ଆଉ ଏକ ଗାଈର ଜୀବନ ହାନି ହେଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ବଡ଼ କଥା ହେଲା, ନୀଳକଣ୍ଠେଶ୍ବର ମନ୍ଦିର ପାଖ ଏହି ମୁକୁଳା ଟ୍ରାନ୍ସଫର୍ମର୍ ସଂସ୍ପର୍ଶରେ ଆସି ଦୁଇବର୍ଷ ତଳେ ଆଉ ଗୋଟିଏ ଗାଈର ମୃତ୍ୟୁ ଘଟିଥିଲା। ସେତେବେଳେ ସ୍ଥାନୀୟ ଲୋକେ ଏ ସଂପର୍କରେ ବିଦ୍ୟୁତ୍ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଟ୍ରାନ୍ସଫର୍ମର ପାଚେରି ତିଆରି କରିବାକୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ତେବେ ଆଉ କେତେ ଗାଈ ମଲେ, ବିଦ୍ୟୁତ୍ ବିଭାଗ ଚେତିବ ଓ ଏହି ମୁକୁଳା ଟ୍ରାନ୍ସଫର୍ମର୍କୁ ଘେରାବନ୍ଦୀ କରିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ଏନେଇ ସହାୟକ ଯନ୍ତ୍ରୀ ଦେବଜ୍ୟୋତି ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି, ପ୍ରତିବର୍ଷ ମାପଚୁପ ହୋଇ ଅଟକଳ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ବିଦ୍ୟୁତ୍ ବିଭାଗକୁ ପଠାଯାଉଛି। କିନ୍ତୁ ଏଥିପାଇଁ ସେଭଳି କୌଣସି ସ୍ବତନ୍ତ୍ର ବ୍ୟୟବରାଦ ରହୁ ନଥିବାରୁ ପାଚେରି କରାଯାଇପାରୁନାହିଁ। ତେବେ ଆସନ୍ତା ସପ୍ତାହକ ମଧ୍ୟରେ କାମ ଆରମ୍ଭ କରାଯିବ ବୋଲି ନୂଆ କରି ବିଦ୍ୟୁତ୍ ପରିଚାଳନା ଦାୟିତ୍ବ ନେଇଥିବା ଟାଟା ପାୱାର୍ ପକ୍ଷରୁ ସୂଚନା ଦିଆଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ତେବେ ବିଦ୍ୟୁତ୍ ବିଭାଗର ଏଭଳି ବେପରୁଆ ନୀତି ଯଦି ଆଗାମୀ ଦିନରେ ଜାରି ରୁହେ, ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଗଣେଶ ବେହେରା, ଜ୍ଞାନରଞ୍ଜନ ବେହେରା, ସର୍ବେଶ୍ୱର ବେହେରା, ମନୋରଞ୍ଜନ ବେହେରା, ମହେଶ୍ବର ବେହେରା ପ୍ରମୁଖ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଦିନ ୩୯ନଂ ଵାର୍ଡରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର୍ ସଂସ୍ପର୍ଶରେ ଆସି ଗୋଟିଏ ଗାଈର ମୃତ୍ୟୁ ହୋଇଥିଲା।