ସମସ୍ତଙ୍କର ଗୋଟିଏ ପ୍ରଶ୍ନ କେବେ ଆସିବ ଲାଇନ୍?

ସଚିବଙ୍କ ବାହାସ୍ଫୋଟ ଲୋକଙ୍କୁ ତତାଇଲାଣି, ୪ଦିନ ପରେ ବି ସ୍ଥିତି ସୁଧୁରୁନି

ଭୁବନେଶ୍ୱର : ପୂରା ରାଜଧାନୀରେ କିଟିମିଟି ଅନ୍ଧାର। ଲାଇନ୍ ନଥିବାରୁ ଘରେ ପାଣି ନାହିଁ କି ମୋବାଇଲ୍‌ରେ ଚାର୍ଜ ନାହିଁ। ଗରମରେ ଦେହ ସିଝିଯାଉଛି। ରାଜଧାନୀବାସୀଙ୍କ ଜୀବନ ପୂରା ଦୁର୍ବିସହ ହୋଇଗଲାଣି। ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କେବେ ଆସିବ ଲାଇନ୍।

ଶକ୍ତି ବିଭାଗ ବାତ୍ୟା ହେବା ଦିନରୁ କହି ଚାଲିଛି ୨୪ଘଣ୍ଟାରେ ଏତିକି ପ୍ରତିଶତ ଲୋକଙ୍କୁ ଲାଇନ୍ ସଂଯୋଗ ଦିଆଯିବ, ଦି ଦିନରେ ଏତିକି ପ୍ରତିଶତ ତିନି ଦିନରେ ଏତିକି ପ୍ରତିଶତଙ୍କୁ ଲାଇନ୍ ଦିଆଯିବ। ହେଲେ ସବୁ ବାହାସ୍ଫୋଟ। ଆଜି କିଛି ଜରୁରିକାଳୀନ ସେବା ଉପଲବ୍ଧ ହେଉଥିବା ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲେ ହେଁ ଜଣେ ବି ହିତାଧିକାରୀଙ୍କୁ ଲାଇନ୍ ସଂଯୋଗ ଦିଆଯାଇପାରିଲାନି। ଦକ୍ଷ ଅଧିକାରୀଙ୍କୁ ସରକାର ଦାୟିତ୍ବ ଦେଇଛନ୍ତି ବୋଲି କହୁଥିବାବେଳେ ବାବୁମାନଙ୍କ ଅପାରଗତା ରାଜଧାନୀବାସୀଙ୍କୁ କୌଣସି ଉପାନ୍ତ ଅଞ୍ଚଳରେ ରହିଲା ଭଳି ଅନୁଭୂତି ଦେଉଛି।

୪ଦିନ ହେଲା ଘନ ଅନ୍ଧାରରେ ରହୁଥିବା ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିଲାଣି। ଲୋକ ପୂରା ତାତିଗଲେଣି। ଲାଇନ୍, ପାଣି ଅଭାବରୁ ରାଜଧାନୀବାସୀଙ୍କ ଜୀବନଶୈଳୀ ପୂରା ବଦଳିଗଲାଣି। କେବେ ବି ଲଗାତାର ଏତେଦିନ ଅନ୍ଧାରରେ ରହିନଥିବା ଲୋକଙ୍କୁ ୪ଦିନ ଅନ୍ଧାର ବାଧିଲାଣି। କେବେ ଆସିବ ‌େସନେଇ ପ୍ରଶାସନ କିଛି ବି ନିର୍ଦ୍ଦିଷ୍ଟ ଭାବେ କହିପାରୁନଥିବାରୁ ଲୋକଙ୍କ ଆକ୍ରୋଶ ସୀମା ଟପିଲାଣି। ପ୍ରଶାସନ ରାଜଧାନୀରେ ବିଦ୍ୟୁତ୍‌ ସେବା ସ୍ବାଭାବିକ କରିପାରୁନଥିବାବେଳେ ବାକି ରାଜ୍ୟରେ କ’ଣ କରୁଥିବ ବୋଲି ପ୍ରଶ୍ନ ଉଠିଲାଣି।

ଏବେବି ବହୁ ଅଞ୍ଚଳରେ ବିଦ୍ୟୁତ୍‌ ତାର ଉପରୁ ଗଛ ଉଠିନଥିବାବେଳେ କେବେ ସ୍ଥିତି ସ୍ବାଭାବିକ ହେବ ଲୋକ ସେନେଇ ଦ୍ବନ୍ଦ୍ବରେ ପଡ଼ିଲେଣି। ଆଶ୍ଚର୍ଯ୍ୟର ବିଷୟ ସେସୁ କର୍ତ୍ତୃପକ୍ଷଙ୍କ ପାଖରେ ହିସାବ ନାହିଁ କେତେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି, କେତେ ଉପୁଡ଼ିଛି, କେତେ ତାର ଛିଣ୍ଡିଛି, କେତେ ଟ୍ରାନ୍ସଫର୍ମର ବଦଳିବ। ଏପର୍ଯ୍ୟନ୍ତ ଆକଳନ ଶେଷ ହୋଇପାରିନି। ଏଥିରେ କର୍ତ୍ତୃପକ୍ଷ କେତେ ଖୁଣ୍ଟ ମଗାଇଛନ୍ତି, କେତେ ତାର ଆଣୁଛନ୍ତି, କେତେ ଟ୍ରାନ୍ସଫର୍ମର ଯୋଗାଡ଼ କରୁଛନ୍ତି, କେଉଁ ଅଞ୍ଚଳ ପାଇଁ କ’ଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସେନେଇ ପ୍ରଶ୍ନ ଉଠିଲାଣି। ବାତ୍ୟା ଯିବାର ୪ଦିନ ପରେ ସେସୁର ଅପାରଗତା ଜଳଜଳ ଦିଶୁଛି। ଆନ୍ଧ୍ର, ବ୍ରହ୍ମପୁର ଏବଂ ବିଭିନ୍ନ ଜିଲ୍ଲାରୁ ବିଦ୍ୟୁତ୍‌ କର୍ମଚାରୀ ଆସିଲେ କାମ ଜୋରଦାର ହେବ ବୋଲି ‌ଅପେକ୍ଷା କରିଥିବା ଶକ୍ତି ବିଭାଗ କେବେ ତତ୍ପର ହେବ ସେନେଇ କାହା ପାଖରେ ଉତ୍ତର ନାହିଁ।

ଏପଟେ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ଆମର ୮୮ଟି ଫିଡରରୁ ୭ଟି ଚାର୍ଜ ହୋଇଛି। ମଙ୍ଗଳବାର ଆଉ ୨୦ଟି ଚାର୍ଜ କରିବୁ। ମଙ୍ଗଳବାର ରାତି ସୁଦ୍ଧା‌ ୨୫% ହିତାଧିକାରୀଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ହେଲେ ରାସ୍ତା କଡ଼‌େର ଛିଣ୍ଡିଥିବା ତାର, ଭାଙ୍ଗି ପଡ଼ିଥିବା ବିଦ୍ୟୁତ ଖୁଣ୍ଟ, ପଡ଼ିଥିବା ଗଛକୁ ଦେଖିଲେ ଲାଗୁନି ଯେ, ଦୁଇ ତିନି ଦିନରେ ସ୍ଥିତି ସୁଧୁରିବାର ସମ୍ଭାବନା ଅଛି।

ଫିଲ୍ଡ କର୍ମଚାରୀଙ୍କୁ ଯୋଗାଯୋଗ ସମସ୍ୟା ପାଲଟିଛି

ସବୁଠାରୁ ବଡ଼ ସମସ୍ୟା ହୋଇଛି ଟେଲି ଯୋଗାଯୋଗ। ନିୟନ୍ତ୍ରଣ କକ୍ଷରୁ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ ସୂଚନା ପ୍ରଦାନ କରିବା ଓ ସୂଚନା ଅନୁସାରେ ଫିଲ୍ଡରେ ଥିବା କର୍ମଚାରୀ କାମ କରିବେ, ତାହା ସ୍ୱପ୍ନ ହୋଇଛି। ମୋବାଇଲ୍‌ ଫୋନ୍‌ ଯୋଗେ ୮୦ ପ୍ରତିଶତ କଲ୍‌ ସଂଯୋଗ ହୋଇପାରୁନାହିଁ। ଏଣୁ ବାଇକ୍‌ ଯୋଗେ ନିୟନ୍ତ୍ରଣ କକ୍ଷରୁ ଫିଲ୍ଡକୁ ସୂଚନା ବା ନି‌ର୍ଦ୍ଦେଶ ପ୍ରଦାନ କରାଯାଉଛି। ଫଳରେ ସମୟ ଦୁଇଗୁଣ ଅଧିକ ଯାଉଛି। ଭୁବନେଶ୍ବରରେ ଉପଭୋକ୍ତା ସାନ୍ଧ୍ରତା ବହୁତ ରହିଛି। ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟ ବାତ୍ୟାରେ ପ୍ରଭାବିତ ‌ହୋଇଛି। ଗୋଟିଏ ଖୁଣ୍ଟକୁ ସଂଯୋଗ ଦେ‌ଲେ ୪ଟି ଖୁଣ୍ଟରେ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ଏଣୁ କୌଣସି ଖୁଣ୍ଟ ଚାର୍ଜ କରି ହେଉନାହିଁ। ଗୋଟିଏ ଗୋଟିଏ ଖୁଣ୍ଟକୁ ଛିଡ଼ା କରିବା ପରେ ସଂଯୋଗ ଦେଇ ଟେଷ୍ଟ ଚାର୍ଜ କରିବାକୁ ପଡ଼ିବ। ଏଣୁ କିଛି ଦିନ ଉପଭୋକ୍ତାଙ୍କ ସହଯୋଗ ଆବଶ୍ୟକତା ରହିଛି ବୋଲି ସେସୁର ମହାପ୍ରବନ୍ଧକ ସୁବ୍ରତ ମିଶ୍ର କହିଛନ୍ତି।

ସର୍ଭେ ହେଉନି, ଅନୁମାନରେ ହିସାବ ହେଉଛି

ବାସ୍ତବରେ ଯେତିକି ଭିତ୍ତିଭୂମି ଥିଲା, ତାହାର ୮୦ ପ୍ରତିଶତ ନଷ୍ଟ ହୋଇଥିବା ନେଇ ଅନୁମାନ କରି ସଚିବଙ୍କୁ ରିପୋର୍ଟ ଦିଆଯାଇଛି। ଏହି ରିପୋର୍ଟକୁ ଆଧାର କରି ସଚିବ ଏସ୍‌ଆରସିଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସରକାରଙ୍କ ପାଖରେ ଯାହା ରିପୋର୍ଟ ରହିଛି, ତାହା ବାସ୍ତବତାଠାରୁ ଢେର୍‌ ଦୂରରେ ରହିଛି ତାହା କର୍ତ୍ତୃପକ୍ଷଙ୍କ ହିସାବକୁ ଦେଖି‌େଲ ଜଣାପଡ଼ୁଛି। ସେସୁ କର୍ତ୍ତୃପକ୍ଷଙ୍କୁ ଏହି କ୍ଷୟକ୍ଷତିର ହିସାବ ମାଗିବାରୁ ଏଭଳି ନିଚ୍ଛକ ସତ୍ୟ ଜଣାପଡ଼ିଛି। ‘ଆମ ପାଖରେ ହିସାବ ନଥିବାରୁ ଆମେ ଦେଇପାରୁନାହୁଁ। ଯିଏ ମାଗୁଛି ଆନୁମାନିକ ହିସାବ ଦିଆଯାଉଛି’ ବୋଲି ଜଣେ ବରି‌ଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆଉ ଏକ କଥା ହେଉଛି, କେଉଁଠି ଆଗ ପୁନରୁଦ୍ଧାର କାମ କରାଯିବ, ସେ ନେଇ ନକ୍ସା ପ୍ରସ୍ତୁତ ହେବା ପରେ ଅନ୍ୟ କେଉଁଠି କରିବା ପାଇଁ ଉପର ମୁଣ୍ଡରୁ ଚାପ ଆସୁଛି। ଫଳରେ ଅଧିକାରୀ ବାଟବଣା ହେଉଛନ୍ତି। ପାୱାର ହାଉସ୍‌ଠାରେ ଥିବା ନିୟନ୍ତ୍ରଣ କକ୍ଷରେ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ଦିନ ଘନଘନ ବୈଠକ ବସୁଛି। ହେଲେ ବାଟ ଫିଟୁନି।

ସ୍ଥିତି ସ୍ବାଭାବିକ କରିବାକୁ ତିନି ବିଭାଗ ଏକାଠି

ମାନବ ସମ୍ବଳ ଓ ଯୋଗଯୋଗ ସମସ୍ୟା ପୁନରୁଦ୍ଧାର କାମରେ କଣ୍ଟା ହୋଇ ଛିଡ଼ା ହୋଇଛି। ପ୍ରଭାବିତ ୪ଟି ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବା‌ ପାଇଁ ୧୦ ହଜାର ଲୋକ ଆବଶ୍ୟକତା ଥିବା ବେଳେ ଏବେ କେବଳ ୪ ହଜାର ଲୋକ ରହିଛନ୍ତି। ସେଥିରୁ ସିଂହଭାଗ ସବୁଠାରୁ ସଙ୍ଗିନ ସ୍ଥିତି ହୋଇଥିବା ପୁରୀ ଜିଲ୍ଲାରେ କାମ କରୁଥିବାରୁ ଭୁବନେଶ୍ବରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଜି ଓଏଫଡିସି(ଓଡ଼ିଶା ବନ ଉନ୍ନୟନ ନିଗମ)ରୁ ୨୦ଟି ଟିମ୍‌ ଆସୁଛନ୍ତି। ସେମାନେ ଏହି ପୁନରୁଦ୍ଧାର କାମରେ ଯୋଗଦେ‌ବେ। ଏଣୁ ପୁନରୁଦ୍ଧାର କାମ ଆହୁରି ତ୍ବରିତ ହେବ କର୍ତ୍ତୃପକ୍ଷ ଆଶା କରୁଛନ୍ତି। ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେଉଥିବାରୁ ବାହାର ରାଜ୍ୟରୁ ଯେଉଁମାନେ ଏହି ପୁନରୁଦ୍ଧାର କାମରେ ସହଯୋଗ କରିବା ପାଇଁ ଆସୁଛନ୍ତି, ସେମାନେ ପହଞ୍ଚିଗଲେ କାମ ତ୍ବରିତ ହେବ। ଅନ୍ୟପଟେ ଅଗ୍ନିଶମ ଡିଜି ବିଜୟ ଶର୍ମା କହିଛନ୍ତି, ବିଭାଗର ୨୬ଟି ଦଳ ବିଦ୍ୟୁତ୍‌ ପୁନରୁଦ୍ଧାର କାମରେ ସେସୁକୁ ସହଯୋଗ କରୁଛନ୍ତି। ଭୁବନେଶ୍ବରକୁ ୭ଟି ଜୋନ୍‌ରେ ବିଭକ୍ତ କରାଯାଇ ଏହି କାମର ତଦାରଖ କରାଯାଉଛି। ଟିମ୍‌ରେ ଉପଯୁକ୍ତ ଗଛ କଟା ମେସିନ୍‌ ସହ ଅନ୍ୟାନ୍ୟ ସରଞ୍ଜାମ ରହିଛି। ପ୍ରତି ଟିମ୍‌ରେ ୫ଜଣ ଫାୟାରମ୍ୟାନ୍‌ ସମେତ ଗଛ କଟାଳି ରହିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର