ବିଦ୍ୟୁତ୍ ମରାମତିରେ ବାଧକ ଜେନେରେଟର ଓ ଇନ୍‌ଭର୍ଟର

ଖଣ୍ଡଗିରି : ବାତ୍ୟା ଫନି ପରଠାରୁ ବିଦ୍ୟୁତ୍ ସେବା ବନ୍ଦ ହୋଇପଡ଼ିଥିବାରୁ ଲୋକେ ଡହଳବିକଳ ହୋଇ ପଡ଼ିଲେଣି। ତେଣୁ ପ୍ରାୟ ସବୁ ଅଞ୍ଚଳରେ ବିଦ୍ୟୁତ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କିନ୍ତୁ ବହୁ ସ୍ଥାନରେ ଲୋକେ ବ୍ୟବହାର କରୁଥିବା ଜେନେରେଟର ଓ ଇନ୍‌ଭର୍ଟର୍‌ ଏହି ମରାମତି କାମରେ ବାଧକ ସାଜିଥିବା ଜଣାପଡ଼ିଛି। ଏହି ଯନ୍ତ୍ରପାତି ବ୍ୟବହାର କରୁଥିବା ଲୋକଙ୍କ ଉପଯୁକ୍ତ ଜ୍ଞାନକୌଶଳ ଅଭାବରୁ ବିଦ୍ୟୁତ୍ ସ୍ରୋତ ପାଲଟା ଏଲ୍‌ଟି ଲାଇନ୍‌କୁ ପ୍ରବାହିତ ହେଉଛି ଓ ମରାମତି କାମରେ ଲାଗିଥିବା ଶ୍ରମିକମାନ‌େ ବିଦ୍ୟୁତ୍ ଆଘାତରେ ଆହତ ହେଉଛନ୍ତି। ଫଳରେ ମରାମତି କାମ ବିଳମ୍ବିତ ହେଉଛି। ବିଦ୍ୟୁତ୍ ଅଭାବରୁ ‌ଏବେ ଲୋକେ ବହୁ ସ୍ଥାନରେ ଜେନେରେଟର୍‌ ବ୍ୟବହାର କରୁଛନ୍ତି। ସେହିଭଳି ବିଦ୍ୟୁତ୍ ଲାଇନ୍ ନଥିବା ଅଞ୍ଚଳର ଲୋକେ ମଧ୍ୟ ଅନ୍ୟ ସ୍ଥାନରୁ ଚାର୍ଜ କରି ଆଣି ଇନ୍‌ଭର୍ଟର ବ୍ୟବହାର କରୁଛନ୍ତି। ମାତ୍ର ଏହାକୁ ବ୍ୟବହାର କରିବା ପୂର୍ବରୁ ନିମୟାନୁସାରେ ଏଲ୍‌ଟି ଲାଇନ୍‌ର ଫ୍ୟୁଜ୍ ବାହାର କରିବା କଥାକୁ ଭୁଲି ଯାଉଛନ୍ତି। ଫଳରେ ଜେନେରେଟର ଓ ଇନ୍‌ଭର୍ଟରର ବିଦ୍ୟୁତ୍ ସ୍ରୋତ୍ ଘର ଭିତରୁ ସିଧାସଳଖ ଏଲ୍‌ଟି ଲାଇନ୍ ଦେଇ ବାହାରକୁ ଚାଲି ଯାଉଛି। ଫଳରେ ଏଲ୍‌ଟି ଲାଇନ୍‌ ମରାମତି କାମରେ ଲାଗିଥିବା ଶ୍ରମିକମାନେ ବିଦ୍ୟୁତ୍ ଆଘାତ ଶିକାର ହେଉଛନ୍ତି। ଏହି ପାଲଟା କରେଣ୍ଟ ବହୁ ସମୟରେ ଭୟଙ୍କର ସାବ୍ୟସ୍ତ ହୋଇଥାଏ। ବେଳେବେଳେ ଏଥି‌ରେ ଜୀବନହାନି ଘଟିବା ଭଳି ଅଘଟଣ ଘଟେ। ଅନେକ ସମୟରେ ବିଦ୍ୟୁତ୍ ଲାଇନ୍ ମରାମତି ବେଳେ ବିଦ୍ୟୁତ୍ ଖମ୍ବ ଉପରେ ଥାଇ ଶ୍ରମିକଟିଏ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରୁଥିବା ଘଟଣା ପଛରେ ହିଁ ଏହି କାରଣ ନିହିତ ଥାଏ।

ଖାଲି ସେତିକି ନୁହେଁ, ଏବେ ବହୁ ସ୍ଥାନରେ ଛିଡ଼ା ତାର ରାସ୍ତାରେ ଏଣେ‌ତେଣେ ବିଛାଡ଼ି ହୋଇପଡ଼ିଛି। ତେଣୁ ସେହି ତାରକୁ ଏହି ବିଦ୍ୟୁତ୍ ସ୍ରୋତ ଆସିଲେ, ରାସ୍ତାରେ ଚଳପ୍ରଚଳ ହେଉଥିବା ଲୋକେ ମଧ୍ୟ ବିପଦ‌ରେ ପଡ଼ିବା ସମ୍ଭାବନା ରହିଛି। ଯାଁଳା ଅଞ୍ଚଳରେ ଏମିତି ଅଘଟଣ ଯୋଗୁଁ ବିଦ୍ୟୁତ୍ ମରାମତି କାମ ବିଳମ୍ବିତ ହୋଇଥିବା ଜଣାପଡ଼ିଛି। ତେ‌ବେ ସୌଭାଗ୍ୟକୁ ଏଭଳି ବିଦ୍ୟୁତ୍ ଆଘାତରେ ଦୁଇ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହା ପରଠାରୁ ସେମାନେ କାମ ଛାଡ଼ି ପଳାଇଛନ୍ତି। ଏଭଳି ଘଟଣା ନଜରକୁ ଆସିବା ପରେ ବିଭାଗୀୟ କର୍ମଚାରୀମାନେ ଘର ଘର ବୁଲି ଜେନେରେଟର ଓ ଇନ୍‌ଭର୍ଟର ବ୍ୟବହାର କରୁଥିବା ଲୋକଙ୍କୁ ବୁଝାଇବା ପରେ ଏବେ ଲାଇନ୍ ମରାମତି କାମ ଚାଲିଛି। ତେବେ ଏଭଳି ଅଘଟଣ ପାଇଁ ବିଦ୍ୟୁତ୍ ବିଭାଗକୁ ମଧ୍ୟ ଲୋକେ ଦାୟୀ କରୁଛନ୍ତି। କାମର ନିୟମିତତା ନଥିବାରୁ ଲୋକେ ମରାମତି କାମ ବାବଦରେ ଜାଣି ପାରୁ ନାହାନ୍ତି। ଫଳରେ ସେମାନେ ନିହାତି ଆବଶ୍ୟକ ବେଳେ ଜେନେରେଟେର ବ୍ୟବହାର କରୁଛନ୍ତି। ତେଣୁ ବିଭାଗୀୟ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ମରାମତି ବାବଦରେ ସୂଚନା ପ୍ରଦାନ କରିବାକୁ କହୁଛନ୍ତି।

ସମ୍ବନ୍ଧିତ ଖବର